ଠିକାଦାରଙ୍କ ଆତ୍ମହତ୍ୟା ମାମଲା: କର୍ଣ୍ଣାଟକ ମନ୍ତ୍ରୀ ଇଶ୍ୱରପ୍ପାଙ୍କ ନାଁରେ ଏତଲା

ବେଙ୍ଗାଲୁରୁ: ଠିକାଦାର ସନ୍ତୋଷ ପାଟିଲଙ୍କ ଆତ୍ମହତ୍ୟା ମାମଲାରେ କର୍ଣ୍ଣାଟକ ପଞ୍ଚାୟତ ମନ୍ତ୍ରୀ କେ.ଏସ୍ ଇଶ୍ୱରପ୍ପାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ସନ୍ତୋଷଙ୍କ ମୃତଦେହ ମଙ୍ଗଳବାର ସକାଳେ ଉଡୁପିର ଏକ ଲଜରେ ମିଳିଥିଲା । ମୃତ ଠିକାଦାର ମନ୍ତ୍ରୀ ଇଶ୍ୱରପ୍ପାଙ୍କ ବିରୋଧରେ ମାନସିକ ନିର୍ଯ୍ୟାତନା ଅଭିଯୋଗ ଆଣିଥିଲେ । ଏକ ଠିକା କାର୍ଯ୍ୟ ପାଇଁ ଇଶ୍ୱରପ୍ପା ତାଙ୍କ ଠାରୁ ୪୦ ପ୍ରତିଶତ କମିଶନ ଦାବି କରିଥିଲେ ବୋଲି ପାଟିଲ ଅଭିଯୋଗ କରିଥିଲେ । ସେବେଠାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଥିଲା। ତାଙ୍କ ସୁଇସାଇଡ୍ ନୋଟରେ କଣ୍ଟ୍ରାକ୍ଟର ତାଙ୍କ ମୃତ୍ୟୁ ପାଇଁ କେ.ଏସ୍ ଇଶ୍ୱରପ୍ପାଙ୍କୁ ଦାୟୀ କରିଥିଲେ ।

ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗରେ ଉଡୁପି ପୋଲିସ ଥାନାରେ ଆଇପିସିର ଧାରା ୩୦୬ ଅନୁଯାୟୀ ଇଶ୍ୱରପ୍ପାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ପୀଡିତାଙ୍କ ପରିବାର ମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ଏଥି ସହିତ, ଏହି ଘଟଣାରେ ଇଶ୍ୱରପ୍ପାଙ୍କ ଦୁଇ ସହଯୋଗୀଙ୍କ ବିରୋଧରେ ଏକ ଏଫ୍ଆଇଆର୍ ମଧ୍ୟ ରୁଜୁ ହୋଇଛି।

ନିଜକୁ ବିଜେପି କର୍ମୀ ବୋଲି କହୁଥିବା ପାଟିଲ ମାର୍ଚ୍ଚ ୩୦ରେ ଅଭିଯୋଗ କରିଥିଲେ ଯେ ସେ ଆରଡିପିଆର ବିଭାଗରେ ଏକ କାମ କରିଥିଲେ ଏବଂ ଏହାର ବିଲ୍ ପୈଠ କରିବା‌ ପାଇଁ ଇଶ୍ୱରପ୍ପାଙ୍କୁ କହିଥିଲେ। କିନ୍ତୁ ୪ କୋଟି ଟଙ୍କା କାମ ପାଇଁ ଇଶ୍ୱରପ୍ପା ୪୦ ପ୍ରତିଶତ କମିଶନ ଦାବି କରିଥିଲେ। ତେବେ ମନ୍ତ୍ରୀ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ପାଟିଲଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଥିଲେ ।

Comments are closed.