ଧାରା ୩୭୦ ନେଇ ସୁପ୍ରିମକୋର୍ଟଙ୍କ ରାୟରେ କାଶ୍ମୀର ନେତାଙ୍କ ଅସନ୍ତୋଷ

ନୂଆଦିଲ୍ଲୀ: ଧାରା ୩୭୦ ଉପରେ ସୁପ୍ରିମକୋର୍ଟଙ୍କ ରାୟ ନେଇ କଶ୍ମୀରର ନେତାମାନେ ଅସନ୍ତୋଷ ପ୍ରକାଶ କରିଛନ୍ତିି। ପିପୁଲ୍ସ ଡେମୋକ୍ରାଟିକ ପାର୍ଟି (ପିଡିପି) ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି କହିଛନ୍ତି – ସୁପ୍ରିମକୋର୍ଟଙ୍କ ରାୟ ଭାରତର ପରାଜୟ। ଆମେ ନିରାଶ ହେବା ଉଚିତ ନୁହେଁ। ଜମ୍ମୁ କାଶ୍ମୀର ଅନେକ ଉତ୍ଥାନ-ପତନ ଦେଖିଛି । ଧାରା ୩୭୦କୁ ଅସ୍ଥାୟୀ ବ୍ୟବସ୍ଥା ଘୋଷଣା କରିବା ସୁପ୍ରିମକୋର୍ଟଙ୍କ ରାୟ ଆମର ପରାଜୟ ନୁହେଁ, ବରଂ ଭାରତର ଅବଧାରଣର ପରାଜୟ। ମୁଁ ଦେଶର ଲୋକଙ୍କୁ କହିବାକୁ ଚାହେଁ ଯେ ଆପଣମାନଙ୍କ ମଧ୍ୟରୁ ଅନେକ ଏହି ରାୟ ନେଇ ଉତ୍ସବ ପାଳନ କରୁଛନ୍ତି।

ଆଜି ଜମ୍ମୁ କାଶ୍ମୀରକୁ ଏକ ଜେଲରେ ପରିଣତ କରି ଦିଆଯାଇଛି ଏବଂ ସମସ୍ତ ଦୋକାନୀମାନଙ୍କୁ ସକାଳ ୧୦ଟା ପୂର୍ବରୁ ଦୋକାନ ନ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଆମକୁ ଘରବନ୍ଦୀ ରଖାଯାଇଥିଲା। ଏହା ଏକ ରାଜନୈତିକ ଯୁଦ୍ଧ ଯାହା ଶହ ଶହ ବର୍ଷ ଧରି ଚାଲିଆସୁଛି ଏବଂ ଅନେକ ଲୋକ ଏଥିରେ ନିଜ ଜୀବନକୁ ବଳି ପକାଇଛନ୍ତି | ଆମେ ହାର୍ ମାନିବୁ ନାହିଁ, ଆମକୁ ଏକାଠି ହୋଇ ଯୁଦ୍ଧ କରିବାକୁ ପଡ଼ିବ।

ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ମଧ୍ୟ ସୁପ୍ରିମକୋର୍ଟଙ୍କ ରାୟରେ ନିରାଶା ବ୍ୟକ୍ତ କରିଛନ୍ତି। ସୋସିଆଲ ମିଡିଆ ‘ଏକ୍ସ’ରେ ରେ ଏକ ପୋଷ୍ଟରେ ସେ କହିଛନ୍ତି – ନିରାଶ ହୋଇଛି କିନ୍ତୁ ହତୋତ୍ସାହିତ ନୁହେଁ | ସଂଗ୍ରାମ ଜାରି ରହିବ। ବିଜେପି ଏଠାରେ ପହଞ୍ଚିବାକୁ ବହୁବର୍ଷ ଲାଗିଥିଲା। ଆମେ ମଧ୍ୟ ଦୀର୍ଘ ଯାତ୍ରା ପାଇଁ ପ୍ରସ୍ତୁତ |

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଡେମୋକ୍ରାଟିକ୍ ପ୍ରୋଗ୍ରେସିଭ୍ ଆଜାଦ ପାର୍ଟି (ଡିପିଏପି) ସଭାପତି ଗୁଲାମ ନବି ଆଜାଦ୍
ମଧ୍ୟ ସୁପ୍ରିମକୋର୍ଟଙ୍କ ରାୟରେ ଅସନ୍ତୋଷ ପ୍ରକାଶ କରିଛନ୍ତି।ସେ କହିଛନ୍ତି କୋର୍ଟ ରାୟ ଶୁଣି ବହୁତ ନିରାଶ | ବହୁତ ଦୁଃଖିତ । ମୁଁ ଆରମ୍ଭରୁ କହୁଥିଲି, କେବଳ ସଂସଦ ଏବଂ ସୁପ୍ରିମକୋର୍ଟ ଏହା ସ୍ଥିର କରିପାରିବେ। ସରକାର ନିଜେ ଆଇନ ତିଆରି କରି ଧାରା ୩୭୦କୁ ହଟାଇଥିବାରୁ ତାହା ପ୍ରତ୍ୟାହାର ହେବ ନାହିଁ। ସୁପ୍ରିମକୋର୍ଟଙ୍କ ଠାରୁ ଆମେ ଆଶା କରିଥିଲୁ। ଚାରିମାସ ଧରି ଏହାକୁ ନେଇ ଯୁକ୍ତିତର୍କ ହୋଇଥିଲା। ଜମ୍ମୁ କାଶ୍ମୀରର ଲୋକମାନେ ଏହା ପରେ ଆସିଥିବା ରାୟରେ ଖୁସି ନୁହଁନ୍ତି। ମୁଁ ଆଜି ବି ବୁଝିପାରୁଛି ଯେ ଏହା (୩୭୦) ଆମ ଅଞ୍ଚଳ ପାଇଁ ଐତିହାସିକ ଥିଲା । କିନ୍ତୁ ଆଉ ନୁହେଁ ।”

Comments are closed.