ଜମ୍ମୁ-କାଶ୍ମୀର: ପୁଣି ଜଣେ କାଶ୍ମୀରୀ ପଣ୍ଡିତଙ୍କୁ ହତ୍ୟା କଲେ ଆତଙ୍କବାଦୀ

ଶ୍ରୀନଗର: ଜମ୍ମୁ କାଶ୍ମୀରରେ କାଶ୍ମୀର ପଣ୍ଡିତଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ଥମୁନି । ଶନିବାର ଶୋପିଆନ୍‌ରେ ଆତଙ୍କବାଦୀ ପୁଣି ଜଣେ କାଶ୍ମୀରୀ ପଣ୍ଡିତଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଗତ କିଛି ମାସ ମଧ୍ୟରେ କାଶ୍ମୀର ପଣ୍ଡିତ ତଥା ଦେଶର ଅନ୍ୟାନ୍ୟ ସ୍ଥାନରୁ କର୍ମ ନିଯୁକ୍ତି ପାଇଁ କାଶ୍ମୀର ଉପତ୍ୟକାକୁ ଆସିଥିବା ଲୋକଙ୍କୁ ଆତଙ୍କବାଦୀ ଟାର୍ଗେଟ କରିଛନ୍ତି । ଏଭଳି ଟାର୍ଗେଟ କିଲିଂରେ ଅନେକ ଲୋକ ପ୍ରାଣ ହରାଇଛନ୍ତି। କାଶ୍ମୀରୀ ପଣ୍ଡିତ ପରିବାର ମଧ୍ୟ ଭୟଭୀତ ଅବସ୍ଥାରେ ରହିଛନ୍ତି ।

ଜାମ୍ମୁ କାଶ୍ମୀର ପୋଲିସର ସୂଚନାନୁସାରେ, ଆତଙ୍କବାଦୀମାନେ ଶୋପିଆନରେ ପୁରନ କୃଷ୍ଣ ଭଟ୍ଟ ନାମକ ଜଣେ ବ୍ୟକ୍ତିଙ୍କୁ ଗୁଳି କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଶୋପିଆନ୍ ଡାକ୍ତରଖାନା ନିଆଯାଇଥିଲା, କିନ୍ତୁ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିବା ଅଧିକାରୀମାନେ କହିଛନ୍ତି। ଶୋପିଆନ୍ ଜିଲ୍ଲାର ଚୌଧୁରୀ ଗୁଣ୍ଡ୍ ଅଞ୍ଚଳରେ ତାଙ୍କ ବାସଭବନ ନିକଟରେ ପୁରନ୍ କୃଷ୍ଣ ଭଟ୍ଟଙ୍କୁ ଆକ୍ରମଣ କରାଯାଇଥିଲା। ସେତେବେଳେ ସେ ଏକ ବଗିଚାକୁ ଯାଉଥିଲେ। ଏହି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ଭଟ୍ଟଙ୍କୁ ତଥା କାଶ୍ମୀର ପଣ୍ଡିତଙ୍କ ପରିବାରକୁ ନ୍ୟାୟ ଦାବି କରି ଲୋକ ରାସ୍ତାକୁ ଓହ୍ଲାଇଛନ୍ତି ।

ଅଗଷ୍ଟ ୧୬ରେ ମଧ୍ୟ ଶୋପିଆନ୍ ଜିଲ୍ଲାର ଏକ ଆପଲ୍ ବଗିଚାରେ ଆତଙ୍କବାଦୀମାନେ ଜଣେ କାଶ୍ମୀରୀ ପଣ୍ଡିତଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହି ଗୁଳିରେ ତାଙ୍କ ଭାଇ ଆହତ ହୋଇଥିଲେ।

Comments are closed.