ଆଜିଠୁ ଦିଲ୍ଲୀବାସୀଙ୍କୁ ମାଗଣା ବିଜୁଳି ବନ୍ଦ, ଏଲଜିଙ୍କୁ ଦାୟୀ କଲେ କେଜ୍ରିୱାଲ ସରକାର

ନୂଆଦିଲ୍ଲୀ: ଦିଲ୍ଲୀବାସୀଙ୍କୁ ମିଳୁଥିବା ମାଗଣା ବିଦ୍ୟୁତ ସବସିଡି‌‌ ସୁବିଧାକୁ ଅରବିନ୍ଦ କେଜ୍ରିୱାଲ ସରକାର ଆଜିଠାରୁ ବନ୍ଦ କରିଦେଇଛନ୍ତି । ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀର ଶକ୍ତି ମନ୍ତ୍ରୀ ଅତିଶୀ ମାର୍ଲେନା ଏହି ସୂଚନା ଦେଇଛନ୍ତି। ଅତିଶୀ କହିଛନ୍ତି, ‘ଆଜିଠାରୁ ଅର୍ଥାତ୍ ଶୁକ୍ରବାର (ଏପ୍ରିଲ ୧୪, ୨୦୨୩) ଦିଲ୍ଲୀବାସୀଙ୍କୁ ଦିଆଯାଉଥିବା ସବସିଡିଯୁକ୍ତ ବିଜୁଳି ବନ୍ଦ ହୋଇଯିବ। ଆସନ୍ତାକାଲି ଠାରୁ ସବସିଡିଯୁକ୍ତ ବିଲ୍ ଦିଆଯିବ ନାହିଁ |

ବିଦ୍ୟୁତ ସବସିଡି ବନ୍ଦ କରାଯିବା ନେଇ ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକ୍ସେନାଙ୍କୁ ଦାୟୀ କରିଛନ୍ତି କେଜ୍ରିୱାଲ ସରକାର । ଦିଲ୍ଲୀ ଶକ୍ତି ମନ୍ତ୍ରୀ ଅତିଶୀ କହିଛନ୍ତି, ‘ମାଗଣା ବିଦ୍ୟୁତ୍ ସବସିଡି ବନ୍ଦ କରାଯାଇଛି। ଆପ୍ ସରକାର ଆସନ୍ତା ବର୍ଷ ପାଇଁ ସବସିଡି ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି, କିନ୍ତୁ ଏହି ଫାଇଲ୍ ଦିଲ୍ଲୀ ଏଲଜି (ଉପରାଜ୍ୟପାଳ)ଙ୍କ ପାଖରେ ଅଛି । ଫାଇଲ୍ ନ ଫେରିବା ପର୍ଯ୍ୟନ୍ତ ଆପ୍ ସରକାର ସବସିଡି ବିଲ୍ ଜାରି କରିପାରିବେ ନାହିଁ।

ଆପ୍ ସରକାରଙ୍କ ଏହି ନିଷ୍ପତ୍ତି ଦିଲ୍ଲୀ ଲୋକଙ୍କ ପାଇଁ ଏକ ବଡ ଝଟକା ସଦୃଶ ହୋଇଛି ।

ଅତିଶୀ ଅଭିଯୋଗ କରିଛନ୍ତି ଯେ ଏଲଜି ମାଗଣା ବିଦ୍ୟୁତ ବନ୍ଦ କରିଦେଇଛନ୍ତି । ଏହି କାରଣରୁ ଦିଲ୍ଲୀର ୪୬ ଲକ୍ଷ ପରିବାର, କୃଷକ, ଆଇନଜୀବୀ ଏବଂ ୧୯୮୪ ଦଙ୍ଗା ପୀଡିତମାନେ ମାଗଣା ବିଦ୍ୟୁତରୁ ବଞ୍ଚିତ ହେବେ। ଦିଲ୍ଲୀ ସରକାରଙ୍କ ବିଦ୍ୟୁତ ସବସିଡି ଫାଇଲ ଉପରେ ବସି ରହିଛନ୍ତି ଏଲଜି । ସେ କହିଛନ୍ତି ଯେ ବିଦ୍ୟୁତ୍ କମ୍ପାନୀ ଟାଟା, ବିଏସ୍ଇଏସ୍ ଚିଠିରେ କହିଛନ୍ତି ଯଦି ସେମାନେ ସବସିଡି ସମ୍ବନ୍ଧୀୟ ସୂଚନା ନ ପାଆନ୍ତି, ତେବେ ସେମାନେ ବିଲିଂ ଆରମ୍ଭ କରିବେ’।

ଶକ୍ତି ମନ୍ତ୍ରୀ କହିଛନ୍ତି ଯେ ବିଦ୍ୟୁତ୍ କମ୍ପାନୀର ପ୍ରଥମ ଚିଠି ମୋ ପାଖକୁ ଆସିବା କ୍ଷଣି ମୁଁ ଏଲଜିଙ୍କୁ ସାକ୍ଷାତ କରିବାକୁ ଚାହୁଁଥିଲି | କିନ୍ତୁ ୨୪ ଘଣ୍ଟାରୁ ଅଧିକ ସମୟ ହୋଇଗଲାଣି, ସେ ଦିଲ୍ଲୀ ମନ୍ତ୍ରୀଙ୍କୁ ପାଞ୍ଚ ମିନିଟ୍ ସମୟ ମଧ୍ୟ ଦେଇପାରୁ ନାହାନ୍ତି। ଏହାଛଡ଼ା ସେ ଫାଇଲକୁ ମଧ୍ୟ ପଠାଇ ନାହାଁନ୍ତି | ଫଳ ସ୍ବରୂପ ଆସନ୍ତାକାଲିଠାରୁ ଦିଲ୍ଲୀବାସୀ ନର୍ମାଲ ବିଲ୍ ପାଇବେ।

Comments are closed.