ସତ୍ୟେନ୍ଦ୍ର ଜୈନଙ୍କୁ ମିଥ୍ୟା ମାମଲାରେ ଫସାଇ ଦିଆଯାଇଛି: କେଜ୍ରିୱାଲ

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଗିରଫ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶେଷରେ ମୁହଁ ଖୋଲିଛନ୍ତି । ଜୈନଙ୍କୁ ମିଥ୍ୟା ମାମଲାରେ ଫସାଇ ଦିଆଯାଇଛି । ଏହି ମାମଲା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ସେ ଅଭିଯୋଗ କରିଛନ୍ତି । ଆମର ସରକାର ସଂପୂର୍ଣ୍ଣ ସଚ୍ଚୋଟ | ଆମ୍ ଆଦମୀ ପାର୍ଟି ଏକ ଅତ୍ୟନ୍ତ ସଚ୍ଚୋଟ ଦଳ | ଆମେ ଗୋଟିଏ ପଇସାର ଦୁର୍ନୀତିକୁ ବି ବରଦାସ୍ତ କରୁ ନାହୁଁ । ଅଦାଲତଙ୍କ ଉପରେ ଆମର ବିଶ୍ବାସ ଅଛି । ଭଗବାନ ଆମ ସହିତ ଅଛନ୍ତି ବୋଲି କେଜ୍ରିୱାଲ କହିଛନ୍ତି ।

ଅର୍ଥ ହେରଫେର ମାମଲାରେ ସତ୍ୟେନ୍ଦ୍ର ଜୈନଙ୍କୁ ସୋମବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଥିଲା। ତାଙ୍କୁ ଆଜି କୋର୍ଟରେ ହାଜର କରାଯାଇଥିଲା । ଜୈନଙ୍କୁ ଜୁନ ୯ ପର୍ଯ୍ୟନ୍ତ ଇଡି ହାଜତକୁ ପଠାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ କୋର୍ଟ ତାଙ୍କୁ ଘରରନ୍ଧା ଖାଦ୍ୟ ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସିବିଆଇ ତରଫରୁ ଅଗଷ୍ଟ ୨୦୧୭ରେ ସତ୍ୟେନ୍ଦ୍ର ଜୈନ ତଥା ଅନ୍ୟମାନଙ୍କ ବିରୋଧରେ ଦାଖଲ ହୋଇଥିବା ଏକ କେସରୁ ଆପ୍ ମନ୍ତ୍ରୀଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ ହୋଇଥିଲା। କୋଲକାତା ସ୍ଥିତ ହାଓ୍ବାଲା ଅପରେଟରଙ୍କ ମାଧ୍ୟମରେ ସେ ଅର୍ଥ କାରବାର କରୁଥିବା ଅଭିଯୋଗ ହୋଇଛି।

Comments are closed.