ସିବିଆଇ ଚାହୁଁନଥିଲା, ରାଜନୈତିକ ଚାପ ଯୋଗୁଁ ସିସୋଦିଆଙ୍କୁ ଗିରଫ କରାଯାଇଛି: କେଜ୍ରିୱାଲ

ଦିଲ୍ଲୀ: ମନୀଷ ସିସୋଦିଆଙ୍କୁ ରାଜନୈତିକ କାରଣରୁ ଗିରଫ କରାଯାଇଛି ‌। ଅଧିକାଂଶ ସିବିଆଇ ଅଧିକାରୀ ମନୀଷଙ୍କ ଗିରଫଦାରୀ ସପକ୍ଷରେ ନଥିଲେ । କିନ୍ତୁ ରାଜନୈତିକ ମାଲିକଙ୍କ ଚାପ ଆଗରେ ସିବିଆଇ ତାଙ୍କୁ ଗିରଫ କରିଥିଲା । ସିସୋଦିଆଙ୍କ ଗିରଫଦାରୀ ନେଇ ଏପରି ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ‌। ସେ ଟ୍ବିଟ୍ କରି କହିଛନ୍ତି ଯେ କେବଳ ରାଜନୈତିକ କାରଣରୁ ସିସୋଦିଆଙ୍କୁ ଗିରଫ କରାଯାଇଛି। ସିବିଆଇ ତଦନ୍ତରେ ତାଙ୍କ ବିରୋଧରେ କୌଣସି ପ୍ରମାଣ ମିଳିନାହିଁ।

ସିସୋଦିଆଙ୍କୁ ଗିରଫ ନେଇ କେଜ୍ରିୱାଲ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତ, ‘ମୋତେ କୁହାଯାଇଛି ଯେ ଅଧିକାଂଶ ସିବିଆଇ ଅଧିକାରୀ ମନୀଷଙ୍କୁ ଗିରଫ କରିବାକୁ ଚାହୁଁନଥିଲେ। ସେମାନେ ସମସ୍ତେ ତାଙ୍କୁ ବହୁତ ସମ୍ମାନ କରନ୍ତି ଏବଂ ତାଙ୍କ ବିରୋଧରେ କୌଣସି ପ୍ରମାଣ ମଧ୍ୟ ନାହିଁ। କିନ୍ତୁ ତାଙ୍କୁ ଗିରଫ କରିବା ପାଇଁ ସିବିଆଇ ଉପରେ ଏତେ ମାତ୍ରାରେ ଚାପ ଥିଲା ଯେ ସେମାନଙ୍କୁ ତାଙ୍କ ରାଜନୈତିକ ମାଲିକଙ୍କ କଥା ମାନିବାକୁ ପଡିଥିଲା। କେଜ୍ରିୱାଲ କହିଛନ୍ତି ଯେ ଆମ୍ ଆଦମୀ ପାର୍ଟିକୁ ଭାଙ୍ଗିବା ଏବଂ ଦୁର୍ବଳ କରିବା ପାଇଁ ବିଜେପି ସବୁ ପ୍ରକାର କୌଶଳ ପ୍ରୟୋଗ କରୁଛି। କିନ୍ତୁ ପ୍ରତ୍ୟେକ ଥର ତାଙ୍କ ଦଳ ଅଧିକ ଶକ୍ତିଶାଳୀ ହୋଇ ସାମ୍ନାକୁ ଆସିଛି | ଏଥର ବିଜେପି ସିବିଆଇକୁ ମାଧ୍ୟମ କରି ମନୀଷ ସିସୋଦିଆଙ୍କୁ ଗିରଫ କରିଛି। କିନ୍ତୁ ଏହା ବିଜେପିର ବଡ଼ ଭୁଲ ହୋଇପାରେ |”

ମଦ ଦୁର୍ନୀତି ମାମଲାରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଗିରଫଦାରୀ ବିରୋଧରେ ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରାଯିବ ବୋଲି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଦଳର କର୍ମୀମାନେ ଦିଲ୍ଲୀରେ ବିଜେପି କାର୍ଯ୍ୟାଳୟକୁ ଘେରାଉ କରିବେ ଏବଂ ସେଠାରେ ଧାରଣା ଦିଆଯିବ। ସବୁ ଜିଲ୍ଲା ମୁଖ୍ୟାଳୟ ଆଗରେ ମଧ୍ୟ ପ୍ରଦର୍ଶନ କରାଯିବ ଏବଂ ସିସୋଦିଆଙ୍କ ଗିରଫଦାରୀ ବିରୋଧରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ସ୍ମାରକପତ୍ର ଦିଆଯିବ ।

Comments are closed.