‘ପଛଦ୍ୱାର ଦେଇ କ୍ଷମତା ହାତେଇବାକୁ ଚାହୁଁଛି ବିଜେପି’, ଦିଲ୍ଲୀ ସେବା ବିଲ୍ ଉପରେ କେଜ୍ରିୱାଲଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ: ଦିଲ୍ଲୀରେ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କୁ ଟ୍ରାନ୍ସଫର-ପୋଷ୍ଟିଂ ଅଧିକାର ପ୍ରଦାନ କରିବା ଲକ୍ଷ୍ୟରେ ଆଗତ ଦିଲ୍ଲୀ ସେବା ବିଲ୍ ସୋମବାର ରାଜ୍ୟସଭାରେ ପାରିତ ହେବା ପରେ କୋର୍ଟରେ ପରବର୍ତ୍ତୀ ଲଢ଼େଇ ହେବ କହିଛି ବୋଲି ଆମ୍ ଆଦମୀ ପାର୍ଟି। ଆପ୍ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହାକୁ ଭାରତୀୟ ଗଣତନ୍ତ୍ର ପାଇଁ କଳା ଦିବସ ବୋଲି କହିଛନ୍ତି । ବିଜେପି ପଛଦ୍ୱାର ଦେଇ କ୍ଷମତା ହାତେଇବାକୁ ଚାହୁଁଛି ବୋଲି ସେ ଅଭିଯୋଗ କରିଛନ୍ତି ।

ଦିଲ୍ଲୀ ସେବା ବିଲ୍ ପୂର୍ବରୁ ଲୋକସଭାରେ ପାରିତ ହୋଇସାରିଛି। ରାଜ୍ୟସଭାରେ ଏହି ବିଲ୍ ଉପରେ ଭୋଟିଂ କାଗଜ ସ୍ଲିପ୍ ମାଧ୍ୟମରେ କରାଯାଇଥିଲା। ଏହି ବିଲ୍ ସପକ୍ଷରେ ୧୩୧ ଭୋଟ୍ ପଡ଼ିଥିବା ବେଳେ ବିପକ୍ଷରେ ୧୦୨ଟି ଭୋଟ୍ ପଡ଼ିଥିଲା ।

ଏହି ବିଲକୁ ଏକ କଳା ବିଲ୍ ଭାବେ ଅଭିହିତ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, “ବିଜେପି ୨୦୧୩, ୨୦୧୫, ୨୦୨୦ ଏବଂ ପରେ ଏମସିଡି ନିର୍ବାଚନରେ ଆପ୍ ଠାରୁ ହାରିଛି। ଦିଲ୍ଲୀର ଲୋକମାନେ ବିଜେପିକୁ ୨୫ ବର୍ଷ ଧରି ନିର୍ବାସନରେ ପଠାଇ ଦେଇଛନ୍ତି । ତେଣୁ ସେମାନେ ପଛଦ୍ୱାର ଦେଇ ସରକାର ଚଳାଇବାକୁ ଚାହୁଁଛନ୍ତି । ” ସରକାରଙ୍କ କାର୍ଯ୍ୟରେ ହସ୍ତକ୍ଷେପ ନ କରିବାକୁ ଦିଲ୍ଲୀର ଲୋକେ କହିଥିଲେ । କିନ୍ତୁ ମୋଦୀଜୀ ଜନତା, ସୁପ୍ରିମକୋର୍ଟ, ସମ୍ବିଧାନ କାହାକୁ ବି ମାନୁ ନାହାଁନ୍ତି ।

ଅରବିନ୍ଦ କେଜ୍ରିୱାଲ ଆହୁରି କହିଛନ୍ତି, ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଥିଲେ ଲୋକମାନେ ସରକାର ଚୟନ କରନ୍ତି ତେଣୁ ସରକାର ପୂର୍ଣ୍ଣ କ୍ଷମତା ମିଳିବା ଉଚିତ। ମାତ୍ର ଏକ ସପ୍ତାହ ମଧ୍ୟରେ ପ୍ରଧାନମନ୍ତ୍ରୀ ଅଧ୍ୟାଦେଶ ଆଣି କୋର୍ଟଙ୍କ ରାୟକୁ ପଲଟାଇ ଦେଇଥିଲେ ।

ଏହି ବିଲ୍ ରାଜ୍ୟସଭାରେ ପାରିତ ହୋଇଥିଲେ ମଧ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ସିଂ ଏବଂ ଶିବୁ ସୋରେନଙ୍କୁ ଦିଲ୍ଲୀ ସିଏମ୍ ଅରବିନ୍ଦ କେଜ୍ରିୱାଲ ବିଶେଷ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି ଯେ ବିଜେପି ଆଣିଥିବା କଳା ଆଇନ ବିରୋଧରେ ସଂସଦ ଭିତରେ ଓ ବାହାରେ ଅନେକ ଦଳ, ଅନେକ ନେତା ଦିଲ୍ଲୀର ଲୋକଙ୍କୁ ସମର୍ଥନ କରିଥିଲେ।

କେଜ୍ରିୱାଲ କହିଛନ୍ତି, “ଦିଲ୍ଲୀର ଦୁଇ କୋଟି ଲୋକଙ୍କ ତରଫରୁ ମୁଁ ଏହି ସମସ୍ତ ନେତା ଏବଂ ସମସ୍ତ ଦଳକୁ ହୃଦୟରୁ ଧନ୍ୟବାଦ ଜଣାଉଛି। ବିଶେଷ କରି ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ ଏବଂ ଜେଏମଏମ ସଭାପତି ଶିବୁ ସୋରେନ ସ୍ବାସ୍ଥ୍ୟଗତ ଦୃଷ୍ଟିରୁ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସଂସଦକୁ ଆସିଲେ । ଏହି ଦୁଇ ବରିଷ୍ଠ ନେତାଙ୍କୁ ଦିଲ୍ଲୀବାସୀଙ୍କ ତରଫରୁ ଅନେକ ଅନେକ ଧନ୍ୟବାଦ। “

Comments are closed.