ଅବକାରୀ ଦୁର୍ନୀତି ମାମଲା: ଆଜି ସିବିଆଇରେ ହାଜର ହେବେ କେଜ୍ରିୱାଲ

ନୂଆଦିଲ୍ଲୀ: ଅବକାରୀ ନୀତି ଅନିୟମିତତା ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି (ଏପ୍ରିଲ ୧୬) ସିବିଆଇରେ ହାଜର ହେବେ । ଜେରା ପାଇଁ ହାଜର ହେବାକୁ ସିବିଆଇ ଶୁକ୍ରବାର (ଏପ୍ରିଲ୍ ୧୪) କେଜ୍ରିୱାଲଙ୍କୁ ସମନ କରିଥିଲା । ତାଙ୍କୁ ରବିବାର ଅର୍ଥାତ ଆଜି ପୂର୍ବାହ୍ନ ୧୧ଟାରେ ହାଜର ହେବାକୁ କୁହାଯାଇଥିଲା ।

କେଜ୍ରିୱାଲ ହାଜର ହେବାକୁ ଥିବାବେଳେ ସିବିଆଇ ମୁଖ୍ୟାଳୟ ବାହାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସିବିଆଇ ମୁଖ୍ୟାଳୟ ବାହାରେ ପାରାମିଲିଟାରୀ ଫୋର୍ସ ସମେତ ୧୦୦୦ ରୁ ଉର୍ଦ୍ଧ୍ବ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି । ସମଗ୍ର ଅଞ୍ଚଳରେ ଧାରା ୧୪୪ ଲାଗୁ କରାଯାଇଛି ବୋଲି ଅଧିକାରୀମାନେ କହିଛନ୍ତି।

ସୂଚନା ଅନୁଯାୟୀ ରାଉସ୍ ଆଭେନ୍ୟୁରେ ଥିବା ଆମ୍ ଆଦମୀ ପାର୍ଟି (ଏଏପି) କାର୍ଯ୍ୟାଳୟ ବାହାରେ ମଧ୍ୟ ସୁରକ୍ଷାକୁ କଡାକଡି କରାଯାଇଛି।

ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ପୂର୍ବରୁ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ କରିସାରିଛି। ପ୍ରାୟ ୮ ଘଣ୍ଟା ଜେରା ପରେ ତାଙ୍କୁ ଫେବୃଆରୀ ୨୬ରେ ସିବିଆଇ ଗିରଫ କରିଥିଲା। ପୁଣି ଏହି ମାମଲା ସହ ଜଡ଼ିତ ମନି ଲଣ୍ଡରିଂ କେସରେ ଇଡି ମଧ୍ୟ ସିସୋଦିଆଙ୍କୁ ଗିରଫ କରିଥିଲା । ସିସୋଦିଆଙ୍କ ଗିରଫ ପରେ ଆମ୍ ଆଦମୀ ପାର୍ଟି ମୋଦୀ ସରକାରଙ୍କ ଉପରେ ଆକ୍ରମଣ ଜୋରଦାର କରିଥିଲା ।

Comments are closed.