ନୋଟରେ ଗଣେଶ-ଲକ୍ଷ୍ମୀଙ୍କ ଫଟୋ ଛାପିବାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଭାରତୀୟ ନୋଟରେ ଗଣେଶ-ଲକ୍ଷ୍ମୀଙ୍କ ଫଟୋ ଛାପିବାକୁ ଅନୁରୋଧ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଛନ୍ତି । ସେ ଏହି ଚିଠିକୁ ଶୁକ୍ରବାର ଟ୍ୱିଟରରେ ମଧ୍ୟ ସେୟାର କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଏହି ଚିଠିରେ କେଜ୍ରିୱାଲ ଲେଖିଛନ୍ତି, “ଦେଶର ୧୩୦ କୋଟି ଲୋକ ଚାହୁଁଛନ୍ତି ଯେ ଭାରତୀୟ ମୁଦ୍ରାରେ ଗୋଟିଏ ପଟେ ଗାନ୍ଧିଜୀ ଏବଂ ଅନ୍ୟ ପଟେ ଶ୍ରୀଗଣେଶ ଏବଂ ମା’ ଲକ୍ଷ୍ମୀଙ୍କର ଚିତ୍ର ରହିବା ଉଚିତ। ଆଜି ଦେଶର ଅର୍ଥନୀତି ବେଶ୍ ଖରାପ ପର୍ଯ୍ୟାୟ ଦେଇ ଗତି କରୁଛି। ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ଭାରତ ବିକାଶଶୀଳ ତଥା ଗରିବ ଦେଶ ମଧ୍ୟରେ ଗଣାଯାଉଛି। ଆଜି ବି ଆମ ଦେଶରେ ବହୁତ ଗରିବ ଲୋକ ଅଛନ୍ତି | କାହିଁକି?”

ଦେଶବାସୀଙ୍କୁ କଠିନ ପରିଶ୍ରମ କରିବା ସହ ଭଗବାନଙ୍କ ଆଶୀର୍ବାଦ ମଧ୍ୟ ଦରକାର । ଯାହା ଫଳରେ ଆମର ପ୍ରୟାସ ଫଳପ୍ରଦ ହେବ। ସଠିକ୍ ନୀତି, ପରିଶ୍ରମ ଏବଂ ଈଶ୍ବରଙ୍କ ଆଶୀର୍ବାଦ ଦ୍ବାରା ହିଁ ଦେଶ ଆଗକୁ ବଢ଼ି ପାରିବ |

ଦୁଇ ଦିନ ତଳେ ଏକ ସାମ୍ବାଦିକ ସମ୍ମିଳନୀରେ କେଜ୍ରିୱାଲ ଏହି ପ୍ରସଙ୍ଗ ଉଠାଇଥିଲେ।

ତାଙ୍କ ଦାବି ଯଥାର୍ଥ ବୋଲି ସାବ୍ୟସ୍ତ କରିବାକୁ ଯାଇ ସେ ବିଶ୍ୱର ସର୍ବାଧିକ ମୁସଲମାନ ଜନସଂଖ୍ୟା ବିଶିଷ୍ଟ ଦେଶ ଇଣ୍ଡୋନେସିଆର ଉଦାହରଣ ଦେଇଥିଲେ । ଇଣ୍ଡୋନେସିଆ ଭଳି ମୁସଲିମ ବହୁଳ ଦେଶରେ ନୋଟରେ ଯଦି ଗଣେଶଙ୍କ ଚିତ୍ର ରହିଛି, ଭାରତରେ ଏପରି କାହିଁକି ହେବ ନାହିଁ ବୋଲି ସେ ପ୍ରଶ୍ନ କରିଥିଲେ ।

Comments are closed.