କେରଳ ଟ୍ରେନରେ ନିଆଁ ଲଗାଇବା ଘଟଣା: ଅଭିଯୁକ୍ତ ଶାହରୁଖ ସୈଫି ଗିରଫ

ମୁମ୍ବାଇ : କେରଳର ଏକ ଟ୍ରେନରେ ନିଆଁ ଲଗାଇ ୩ ଯାତ୍ରୀଙ୍କୁ ହତ୍ୟା କରିଥିବା ଘଟଣାର ଅଭିଯୁକ୍ତ ଶାହରୁଖ ସୈଫି ଶେଷରେ ଧରାପଡ଼ିଛି। ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏବଂ ମହାରାଷ୍ଟ୍ର ଏଟିଏସର ମିଳିତ ଅପରେସନରେ ତାକୁ ମଙ୍ଗଳବାର ବିଳମ୍ବିତ ରାତିରେ ମହାରାଷ୍ଟ୍ରର ରତ୍ନାଗିରି ରେଳ ଷ୍ଟେସନରୁ ଗିରଫ କରାଯାଇଛି।

ଗତ ରବିବାର (ଏପ୍ରିଲ ୨) ରାତି ପ୍ରାୟ ୯:୪୫ ସମୟରେ ଆଲାପୁଜା-କନ୍ନୁର ଏକଜିକ୍ୟୁଟିଭ୍ ଏକ୍ସପ୍ରେସ କୋଜିକୋଡ ସହର ପାର ହୋଇ କୋରାପୁଜା ରେଳ ବ୍ରିଜରେ ପହଞ୍ଚିବା ପରେ ସୈଫି ଏକ ବଗିରେ ଯାତ୍ରୀଙ୍କ ଉପରେ ହଠାତ୍ ଦହନଶୀଳ ତରଳ ପଦାର୍ଥ ଢାଳି ନିଆଁ ଲଗାଇ ଦେଇଥିଲା । ଏହି ଘଟଣାରେ ୮ ଜଣ ଆହତ ହୋଇଥିଲେ ।କୋଜିକୋଡସ୍ଥିତ ଏଲାଥୁର ରେଳ ଷ୍ଟେସନ ନିକଟର ରେଳ ଧାରଣାରୁ ଜଣେ ମହିଳା ଓ ଏକ ବର୍ଷର ଶିଶୁ ସହ ତିନି ଜଣଙ୍କର ମୃତଦେହ ମିଳିଥିଲା । କେହି ଜଣେ ଯାତ୍ରୀ ଚେନ୍ ଟାଣିବାରୁ ଟ୍ରେନ୍ ଗତି ମନ୍ଥର ହେବାପରେ ଅଭିଯୁକ୍ତ ଶାହାରୁଖ ସୈଫି ଖସି ପଳାଇଥିଲା ।

ଏହି ଘଟଣା ପରଠୁ କେରଳ ପୋଲିସ ସୈଫିକୁ ଧରିବା ପାଇଁ ଏକ ସ୍ଵତନ୍ତ୍ର ଟିମ୍ ଗଠନ କରିଥିଲା । ତାର ଏକ ସ୍କେଚ୍ ମଧ୍ୟ ଜାରି କରାଯାଇଥିଲା ।

ଶାହାରୁଖ ସୈଫି ମହାରାଷ୍ଟ୍ରର ରତ୍ନାଗିରିରେ ଥିବା ନେଇ ଗୁଇନ୍ଦା ସୂଚନା ମିଳିଥିଲା । ମୁଣ୍ଡରେ ଆଘାତ ଲାଗି ଚିକିତ୍ସା ପାଇଁ ସେ ରତ୍ନଗିରି ସିଭିଲ ହସ୍ପିଟାଲକୁ ଆସିଥିଲା । କେରଳ ଟ୍ରେନରୁ ଓହ୍ଲାଇବା ସମୟରେ ସୈଫିର ମୁଣ୍ଡରେ ଆଘାତ ଲାଗିଥିଲା। ତେବେ ଚିକିତ୍ସା ଅଧାରୁ ଡାକ୍ତରଖାନା ଛାଡି ପଳାଇଥିଲା ସୈଫି । ପୋଲିସ ବ୍ୟାପକ ସର୍ଚ୍ଚ ଅପରେସନ କରି ତାକୁ ଗିରଫ କରିବାରେ ସଫଳ ହୋଇଥିଲା ।

ସେ ବର୍ତ୍ତମାନ ରତ୍ନଗିରି ରେଳ ସୁରକ୍ଷା ବଳ (ଆରପିଏଫ) ହେପାଜତରେ ଅଛି । ତାର ଜେରା ଆରମ୍ଭ ହୋଇନାହିଁ। କେରଳ ପୋଲିସ ମଧ୍ୟ ରତ୍ନଗିରିରେ ପହଞ୍ଚିଛି। ଏହା ଏକ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ଘଟଣା ହୋଇଥିବାରୁ ଏନ୍ଆଇଏ ମଧ୍ୟ ନିଜ ଆଡୁ ତଦନ୍ତ କରୁଛି । ସୈଫି ହେଉଛି ଉତ୍ତର ପ୍ରଦେଶର ନୋଏଡା ବାସିନ୍ଦା ।

Comments are closed.