‘ମୋଦୀଙ୍କ ଆକର୍ଷଣ ଯୋଗୁଁ ଭୁଶୁଡ଼ିଲା କି ମୋର୍ବି ପୋଲ?

ବେଙ୍ଗାଲୁରୁ: ଗୁଜରାଟର ମୋର୍ବିରେ ଝୁଲାପୋଲ ଭାଙ୍ଗିବା ଘଟଣାକୁ ନେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି । ସେ କଟାକ୍ଷ କରି କହିଛନ୍ତି – ବୋଧେ ମୋଦୀଙ୍କ ଆକର୍ଷଣ ଯୋଗୁଁ ମୋର୍ବି ପୋଲ ଭୁଶୁଡ଼ି ପଡ଼ିଲା ।

ଏଆଇସିସିର ସଭାପତି ହେବା ପରେ ପ୍ରଥମ ଥର ପାଇଁ ବାଙ୍ଗାଲୋରରେ ପହଞ୍ଚିଥିବା ୮୦ ବର୍ଷୀୟ ଖଡଗେ ହିନ୍ଦୁ ଏବଂ ମୁସଲମାନମାନଙ୍କ ମଧ୍ୟରେ ଚାଲିଥିବା ସଂଘର୍ଷ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମାଲୋଚନା କରିଛନ୍ତି । ମହିଳା ଏବଂ ଦଳିତଙ୍କ ଉପରେ ଅତ୍ୟାଚାର, ମୁଦ୍ରାସ୍ଫୀତି ଓ ଟଙ୍କା ଦୁର୍ବଳ ହେବା ଭଳି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନୀରବ ରହୁଥିବା ଅଭିଯୋଗ କରିଛନ୍ତି |

କର୍ଣ୍ଣାଟକରୁ ରାଜ୍ୟସଭା ସଦସ୍ୟ ଥିବା ତଥା ନବ ନିର୍ବାଚିତ କଂଗ୍ରେସ ସଭାପତି ଖଡଗେ ମୋର୍ବି ପୋଲ ଘଟଣାରେ ପ୍ରଧାନମନ୍ତ୍ରୀଙ୍କ ସମେତ ରାଜ୍ୟର ଅନ୍ୟ କେହି ନେତା କାହିଁକି ଇସ୍ତଫା ଦେଇନାହାଁନ୍ତି ବୋଲି ପ୍ରଶ୍ନ କରିଛନ୍ତି ।

କିଛି ବର୍ଷ ପୂର୍ବେ ପଶ୍ଚିମବଙ୍ଗରେ ଏକ ନିର୍ମାଣାଧୀନ ପୋଲ ଭୁଶୁଡ଼ି ଅନେକ ଲୋକଙ୍କ ମୃତ୍ୟୁ ପରେ ପ୍ରଧାନମନ୍ତ୍ରୀ ମୋଦୀ ଦେଇଥିବା ଏକ ଭାଷଣ ମନେ ପକାଇ ଖଡ଼ଗେ କହିଛନ୍ତି, “ଆପଣ (ମୋଦୀ) ସେତେବେଳେ ଲୋକଙ୍କ ଆଖି ଖୋଲିବା ପାଇଁ ଏହାକୁ ‘ଦୈବୀକୃତ (ଆକ୍ଟ ଅଫ୍ ଗଡ୍)’ ବୋଲି କହିଥିଲେ । ଏବେ କିଏ (ମୋର୍ବିରେ) ପୋଲ ଭାଙ୍ଗିଲା?

ଖଡ଼ଗେ କହିଛନ୍ତି – ଛୋଟ ଟ୍ରେନର ପତାକା ଦେଖାଇ ଶୁଭାରମ୍ଭ କରିବା ସହିତ ଛୋଟ ଛୋଟ କାମ ପାଇଁ ମଧ୍ୟ ମୋଦୀ ଶ୍ରେୟ ନେଉଛନ୍ତି। ସେ ଗୁଜୁରାଟର ମୋର୍ବି ପୋଲର ୨ କୋଟି ଟଙ୍କାରେ ମରାମତି କାର୍ଯ୍ୟର ମଧ୍ୟ ଶ୍ରେୟ ନେବାକୁ ଚାହୁଁଥିଲେ। ସେ ଜନସାଧାରଣଙ୍କ ପାଇଁ ଏହି ପୋଲର ଉଦଘାଟନ ବି କରିଥିଲେ । ମୁଁ ଜାଣିନଥିଲି ଯେ ତାଙ୍କ (ମୋଦୀ) ଆକର୍ଷଣ ଯୋଗୁଁ ଉଦଘାଟନର ପାଞ୍ଚ ଦିନ ପରେ ଏହି ପୋଲ ଏପରି ଭୁଶୁଡି ପଡ଼ିବ ।

ଉଲ୍ଲେଖଯୋଗ୍ୟ ଯେ ଅକ୍ଟୋବର ୩୦ରେ ମୋର୍ବିର ଝୁଲାପୋଲ ଭାଙ୍ଗି ଯିବାରୁ ୧୩୮ ଲୋକଙ୍କ ମୃତ୍ୟୁ ହୋଇଥିଲା ।

Comments are closed.