ଶ୍ରୀଲଙ୍କା ବିପକ୍ଷ ତୃତୀୟ ଟି-୨୦ରୁ ବାଦ୍ ପଡ଼ିଲେ କିଶନ

ଧର୍ମଶାଳା: ଧର୍ମଶାଳାର ଏଚପିସିଏ କ୍ରିକେଟ୍ ଷ୍ଟାଡିୟମରେ ଶ୍ରୀଲଙ୍କା ବିପକ୍ଷ ଶନିବାର ଦ୍ୱିତୀୟ ଟି-୨୦ ରେ ଭାରତୀୟ ଦଳର ଓପନର୍ ତଥା ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଇଶାନ୍ କିଶନଙ୍କ ମୁଣ୍ଡରେ ବଲ୍ ବାଜିଥିଲା। ପରେ ବିଳମ୍ବିତ ରାତିରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା ଏବଂ ତାଙ୍କର ସିଟି ସ୍କାନ କରାଯାଇଥିଲା । ରିପୋର୍ଟ ଠିକ ଠାକ୍ ଥିଲେ ମଧ୍ୟ ସତର୍କତା ମୂଳକ ପଦକ୍ଷେପ ସ୍ବରୂପ ଆଜି ହେବାକୁ ଥିବା ଶ୍ରୀଲଙ୍କା ବିପକ୍ଷ ତୃତୀୟ ତଥା ଶେଷ ଟି-ଟ୍ୱେଣ୍ଟିରେ କିଶନ ଖେଳିବେ ନାହିଁ।

ବିସିସିଆଇ ଦ୍ଵାରା ଜାରି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ଶନିବାର ଧର୍ମଶାଳାରେ ଚାଲିଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ବ୍ୟାଟିଂ କରୁଥିବା ବେଳେ ଟିମ୍ ଇଣ୍ଡିଆର ୱିକେଟ୍ କିପର ଇଶାନ କିଶନଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ଏକ ଟିମ୍ ଡାକ୍ତରଙ୍କ ସହ ତାଙ୍କୁ ଗତକାଲି ରାତିରେ ସ୍ଥାନୀୟ ଡାକ୍ତରଖାନାକୁ ଯାଞ୍ଚ ପାଇଁ ନିଆଯାଇଥିଲା, ଯେଉଁଠାରେ ତାଙ୍କର ସିଟି ସ୍କାନ କରାଯାଇଥିଲା। ସିଟି ସ୍କାନ୍ ରିପୋର୍ଟ ଠିକ୍ ଅଛି |

ବୋର୍ଡ କହିଛି ଯେ, ବିସିସିଆଇର ଡାକ୍ତରୀ ଦଳ ତାଙ୍କ ସ୍ବାସ୍ଥ୍ୟ ଉପରେ ନଜର ରଖିବେ। ଏଭଳି ପରିସ୍ଥିତିରେ ଶ୍ରୀଲଙ୍କା ବିପକ୍ଷ ତୃତୀୟ ତଥା ଅନ୍ତିମ ଟି-୨୦ ଅନ୍ତର୍ଜାତୀୟରୁ ଇଶାନଙ୍କୁ ବାଦ୍ ଦିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ ଋତୁରାଜ ଗାଏକୱାଡ ମଧ୍ୟ ଆଘାତ ଯୋଗୁଁ ସିରିଜକୁ ବାଦ୍ ପଡ଼ିଥିଲେ। ବ୍ୟାକଅପ୍ ଓପନର ଭାବେ ମୟଙ୍କ ଅଗ୍ରୱାଲଙ୍କୁ ଭାରତୀୟ ଦଳରେ ସାମିଲ ହୋଇଥିଲେ ।

Comments are closed.