କୋହଲିଙ୍କ ୪୮ତମ ଶତକ, ଭାରତର ଚତୁର୍ଥ ବିଜୟ

ପୁଣେ: ଦିନିକିଆ ବିଶ୍ୱକପ୍‌ରେ ଭାରତ ଜାରି ରଖିଛି ଜୟଯାତ୍ରା ‌। ବିରାଟ କୋହଲିଙ୍କ ଅପରାଜିତ ଶତକ ଓ ଶୁଭମାନ ଗିଲଙ୍କ‌ ଅର୍ଦ୍ଧଶତକ ବଳରେ ଭାରତ ଗୁରୁବାର ବିଶ୍ବକପର ୧୭ତମ ମ୍ୟାଚ୍‌ରେ ବାଂଲାଦେଶକୁ ୭ ଓ୍ବିକେଟରେ ହରାଇ ଟୁର୍ଣ୍ଣାମେଣ୍ଟରେ କ୍ରମାଗତ ଚତୁର୍ଥ ବିଜୟ ହାସଲ କରିଛି ।

ବାଂଲାଦେଶ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବେଳେ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୨୫୬ ରନ୍ କରିଥିଲା । ଏହାର ଜବାବରେ ଭାରତ ୪୧.୩ ଓଭରରେ ମାତ୍ର ୩ ଓ୍ବିକେଟ୍ ହରାଇ ମ୍ୟାଚ୍ ଜିତିନେଇଥିଲା । ବିରାଟ ଛକା ମାରି ବିଜୟ ମୁଣ୍ଡି ମାରିବା ସହ ଦିନିକିଆ କ୍ୟାରିୟରର ୪୮ତମ ଶତକ ହାସଲ କରିଥିଲେ । ଚଳିତ ବିଶ୍ୱକପରେ ଏହି ଷ୍ଟାର ବ୍ୟାଟ୍ସମ୍ୟାନଙ୍କ ଏହା ପ୍ରଥମ ଶତକ। କୋହଲି ୯୭ଟି ବଲରେ ୬ଟି ଚୌକା ଓ ୪ଟି ଚକା ସହ ଅପରାଜିତ ୧୦୩ ରନ୍ କରିଥିଲେ । କୋହଲି ଅବିଭକ୍ତ ଚତୁର୍ଥ ଓ୍ବିକେଟରେ କେଏଲ୍ ରାହୁଲଙ୍କ ସହ ୮୩ ରନ୍ ଯୋଗକରି ଔପଚାରିକତା ପୂରଣ କରିଥିଲେ । ରାହୁଲ ୩୪ ବଲରେ ୩ଟି ଚୌକା ଓ ଗୋଟିଏ ଛକା ସହ ୩୪ ରନ୍ କରି ଅପରାଜିତ ରହିଥିଲେ । ଏହି ମ୍ୟାଚ୍ ବିଜୟୀ ଶତକୀୟ ପାଳି ଅବସରରେ କୋହଲି ମଧ୍ୟ ଅନ୍ତର୍ଜାତୀୟ କ୍ରିକେଟରେ ୨୬ ହଜାର ରନ୍ ପୂରଣ କରିଛନ୍ତି ।

ଟୁର୍ଣ୍ଣାମେଣ୍ଟରେ ଭାରତର ଚାରିଟି ମ୍ୟାଚରୁ ଚତୁର୍ଥ ବିଜୟ ହାସଲ କରିଛି । ଏଥିସହ ଭାରତ ୮ ପଏଣ୍ଟ ସହ ନ୍ୟୁଜିଲ୍ୟାଣ୍ଡର ସମକକ୍ଷ ହୋଇଛି । ଟୁର୍ଣ୍ଣାମେଣ୍ଟରେ ଏଯାବତ୍ କେବଳ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ଅପରାଜିତ ରହିଛନ୍ତି । ତେବେ ଉନ୍ନତ ନେଟ୍ ରନ୍ ରେଟ୍ ଯୋଗୁଁ ନ୍ୟୁଜିଲ୍ୟାଣ୍ଡ ପ୍ରଥମ ସ୍ଥାନ ବଜାୟ ରଖିଥିବା ବେଳେ ଭାରତ ଦ୍ବିତୀୟ ସ୍ଥାନରେ ରହିଛି । ଅନ୍ୟପକ୍ଷରେ ଚାରିଟି ମ୍ୟାଚରୁ ବାଂଲାଦେଶର ଏହା ତୃତୀୟ ପରାଜୟ ।

ବାଂଲାଦେଶ ପ୍ରଦତ୍ତ ୨୫୭ ରନ୍ ବିଜୟ ଲକ୍ଷ୍ୟ ଜବାବରେ ରୋହିତ ଶର୍ମା ଓ ଶୁଭମାନ ଗିଲ୍ ଭାରତକୁ ପୁଣି ଏକ ବିସ୍ଫୋରକ ଷ୍ଟାର୍ଟ ଦେଇଥିଲେ । ବିଶେଷକରି ଜବରଦସ୍ତ ଫର୍ମରେ ଥିବା ରୋହିତ ପ୍ରଥମ ବଲରୁ ହିଁ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇଥିଲେ । ରୋହିତ-ଗିଲ୍ ପ୍ରଥମ ଓ୍ବିକେଟରେ ୭୬ ବଲରେ ୮୮ ରନ୍ ଯୋଡ଼ିଥିଲେ । ରୋହିତ ୪୦ ବଲରେ ୬ଟି ଚୌକା ଓ ୨ଟି ଛକା ସହ ୪୮ ରନ୍ କରି ୧୩ତମ ଓଭରରେ ଆଉଟ୍ ହୋଇଥିଲେ । ହେଲେ ଗିଲ୍ ବିଶ୍ବକପରେ ତାଙ୍କର ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ ‌। ଏହି ଯୁବ ବ୍ୟାଟ୍ସମ୍ୟାନ ୫୫ ବଲରେ ୫ଟି ଚୌକା ଓ ୨ଟି ଛକା ସହାୟତାରେ ୫୩ ରନ୍ କରିବା ପରେ ପ୍ୟାଭିଲିୟନ ଫେରିଥିଲେ । ଶ୍ରେୟାସ୍ ଆୟର (୧୯) ବେଶି ସମୟ କ୍ରିଜରେ ରହିନଥିଲେ । ହେଲେ କୋହଲି ଓ ରାହୁଲ ବାଂଲାଦେଶକୁ ଆଉ କୌଣସି ସୁଯୋଗ ନ ଦେଇ ଔପଚାରିକତା ପୂରଣ କରିଥିଲେ ।

ବାଂଲାଦେଶ ତରଫରୁ ମେହେଦି ହସନ ମିରାଜ୍ ୨ଟି ଓ ହସନ ମହମ୍ମୁଦ ଗୋଟିଏ ଓ୍ବିକେଟ୍ ନେଇଥିଲେ ।

ପୁଣେର ଏମସିଏ ଗ୍ରାଉଣ୍ଡରେ ଖେଳାଯାଉଥିବା ମ୍ୟାଚ୍‌ରେ ବାଂଲାଦେଶ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଓପନରମାନେ ଦଳକୁ ଭଲ ଆରମ୍ଭ ଦେଇଥିଲେ। ତାଞ୍ଜିଦ ହସନ ତମିମ (୫୧) ଓ ଲିଟନ୍ ଦାସ (୬୬) ଅର୍ଦ୍ଧଶତକ ହାସଲ କରିବା ସହ ପ୍ରଥମ ଓ୍ବିକେଟ୍ ପାଇଁ ୯୩ ରନ୍ ଯୋଡ଼ିଥିଲେ । ହେଲେ ପରେ ଭାରତୀୟ ବୋଲରମାନେ ସଫଳ ପ୍ରତ୍ୟାବର୍ତ୍ତନ କରି ବାଂଲାଦେଶର ନିୟମିତ ଓ୍ବିକେଟ୍ ଖସାଇଥିଲେ । ଦୁଇ ଓପନରଙ୍କ ବ୍ୟତୀତ ବାଂଲାଦେଶ ଓ୍ବିକେଟ୍ କିପର ବ୍ୟାଟ୍ମୁସମ୍ୟାନ ମୁଶଫିକୁର ରହିମ୍ ୩୮ ରନ୍ ଓ ମହମ଼ୁଦୁଲ୍ଲା ୪୬ ରନ୍ କରିଥିଲେ। ଆଘାତ ଯୋଗୁଁ ବାଂଲାଦେଶ ଅଧିନାୟକ ସକିବ ଅଲ୍ ହସନ୍ ଏହି ମ୍ୟାଚରେ ଖେଳିନଥିଲେ ।

ଭାରତ ପକ୍ଷରୁ ଜସପ୍ରୀତ ବୁମରା, ମହମ୍ମଦ ସିରାଜ ଓ ରବୀନ୍ଦ୍ର ଜାଡେଜା ୨ଟି ଲେଖାଏଁ ୱିକେଟ୍ ନେଇଥିଲେ। ଶାର୍ଦ୍ଦୁଲ ଠାକୁର ଓ କୁଲଦୀପ ଯାଦବ ଗୋଟିଏ ଲେଖାଏଁ ୱିକେଟ୍ ପାଇଥିଲେ।

Comments are closed.