ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ: ସପ୍ତମ ସ୍ଥାନକୁ ଖସିଲେ କୋହଲି, ରୁଟଙ୍କୁ ହଟାଇ ଲାବୁସେନ୍ ଶୀର୍ଷରେ

ଦୁବାଇ: ଆଇସିସି ପକ୍ଷରୁ ବୁଧବାର ସଦ୍ୟତମ ଟେଷ୍ଟ ବ୍ୟାଟ୍ସମ୍ୟାନ ର଼୍ୟାଙ୍କିଙ୍ଗ ଜାରି କରାଯାଇଛି। ସଦ୍ୟତମ ର଼୍ୟାଙ୍କିଙ୍ଗରେ ଅଷ୍ଟ୍ରେଲିଆର ମାର୍ନସ୍ ଲାବୁସେନ ଏକ ନମ୍ବର ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ସେ ଇଂଲଣ୍ଡ ଅଧିନାୟକ ଜୋ ରୁଟଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ମାର୍ନସ୍ ଲାବୁସେନଙ୍କ ୯୧୨ ପଏଣ୍ଟ ଅଛି, ଯାହା ତାଙ୍କ ଟେଷ୍ଟ କ୍ୟାରିୟରର ସର୍ବାଧିକ| ଜୋ ରୁଟ୍ ୮୯୭ ପଏଣ୍ଟ ପାଇଛନ୍ତି ଏବଂ ସେ ଦୁଇ ନମ୍ବରକୁ ଖସି ଆସିଛନ୍ତି | ଆସେସ୍ ସିରିଜ୍ ପୂର୍ବରୁ ଲାବୁସେନ୍ ଚତୁର୍ଥ ସ୍ଥାନରେ ଥିଲେ | ବ୍ରିସବେନ ଟେଷ୍ଟ ପରେ ସେ ଦୁଇ ନମ୍ବରକୁ ଉଠିଥିଲେ। ବ୍ରିସବେନରେ ଲାବୁସେନ୍ ୭୪ ରନ୍ ସଂଗ୍ରହ କରିଥିଲେ। ସେ ଆଡିଲେଡ୍ ଟେଷ୍ଟରେ ଯଥାକ୍ରମେ ୧୦୩ ଏବଂ ୫୧ ରନ୍ କରିଥିଲେ। ଅଷ୍ଟ୍ରେଲିଆର ବିଜୟରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଆଡିଲେଡ୍ ଟେଷ୍ଟରେ ଇଂଲଣ୍ଡକୁ ୨୭୫ ରନରେ ପରାସ୍ତ କରି ଅଷ୍ଟ୍ରେଲିଆ ଆସେସ୍ ସିରିଜରେ ୨-୦ରେ ଅଗ୍ରଣୀ ହାସଲ କରିଛି |

ଭାରତର ବ୍ୟାଟ୍ସମ୍ୟାନଙ୍କ ବିଷୟରେ କହିବାକୁ ଗଲେ ରୋହିତ ଶର୍ମା ପଞ୍ଚମ ସ୍ଥାନ ବଜାୟ ରଖିଛନ୍ତି। ଟିମ୍ ଇଣ୍ଡିଆର ଟେଷ୍ଟ ଅଧିନାୟକ ବିରାଟ କୋହଲି ସପ୍ତମ ସ୍ଥାନକୁ ଖସି ଆସିଛନ୍ତି। ତାଙ୍କ ଉପରେ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ଡେଭିଡ ୱାର୍ନର ଅଛନ୍ତି। ୱାର୍ନରଙ୍କ ପାଖରେ ୭୭୫ ପଏଣ୍ଟ ଅଛି | ଆସେସ୍ ସିରିଜରେ ୱାର୍ଣ୍ଣର ବହୁତ ଭଲ ପ୍ରଦର୍ଶନ କରିଛନ୍ତି | ସେ ଆଡିଲେଡ୍ ଟେଷ୍ଟର ପ୍ରଥମ ଇନିଂସରେ ୯୫ ରନ୍ କରିଥିଲେ। ଆସେସ୍ ସିରିଜର ପ୍ରଥମ ଟେଷ୍ଟରେ ଏକ ଶତକ ହାସଲ କରିଥିବା ଟ୍ରାଭିସ୍ ହେଡ୍ ଟପ୍ ୧୦ରେ ନିଜର ସ୍ଥାନ ବଜାୟ ରଖିଛନ୍ତି | ପାକିସ୍ତାନ ଅଧିନାୟକ ବାବର ଆଜମ ନବମ ସ୍ଥାନରେ ଅଛନ୍ତି।

ଆଇସିସି ଟେଷ୍ଟ ବୋଲିଂ ର଼୍ୟାଙ୍କିଙ୍ଗରେ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ତଥା ଟେଷ୍ଟ ଦଳର ନୂତନ ଅଧିନାୟକ ପ୍ୟାଟ୍ କମିନ୍ସ ଶୀର୍ଷରେ ଅଛନ୍ତି । ତାଙ୍କ ପାଖରେ ୯୦୪ ପଏଣ୍ଟ ଅଛି | ଆଡିଲେଡ୍ ଟେଷ୍ଟରେ ଖେଳି ନଥିଲେ ମଧ୍ୟ ସେ ଶୀର୍ଷରେ ରହିଛନ୍ତି | ଭାରତର ଷ୍ଟାର୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ୍ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

Comments are closed.