୩୫ ବର୍ଷରେ ବିରାଟ କୋହଲି, ଜନ୍ମଦିନରେ ଏହି ମାଇଲଖୁଣ୍ଟ ଛୁଇଁବାକୁ ରହିଛି ସୁଯୋଗ

ନୂଆଦିଲ୍ଲୀ: ଆଜି ୩୫ ବର୍ଷରେ ପାଦ ଦେଇଛନ୍ତି ବିରାଟ କୋହଲି । ଏହି ଅବସରରେ ଏହି ଷ୍ଟାର ବ୍ୟାଟ୍ସମ୍ୟାନଙ୍କ ନିକଟକୁ ଛୁଟିଛି ଶୁଭେଚ୍ଛାର ସୁଅ । ନିଜ ଅନ୍ତର୍ଜାତୀୟ ଡେବ୍ୟୁ ପରଠୁ ଗୋଟିଏ ପରେ ଗୋଟିଏ ମାଇଲଖୁଣ୍ଟ ଛୁଇଁ ଆସୁଥିବା କିଙ୍ଗ୍ କୋହଲି ତାଙ୍କ ଜନ୍ମଦିନକୁ ଆହୁରି ସ୍ବତନ୍ତ୍ର କରିବାକୁ ସୁଯୋଗ ରହିଛି । ଭାରତ ଆଜି ବିଶ୍ଵକପରେ ଦକ୍ଷିଣ ଆଫ୍ରିକାକୁ ଭେଟିବ। ଇଡେନ୍ ଗାର୍ଡେନ୍ସରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ କ୍ୟାରିୟରର ୪୯ତମ ଦିନିକିଆ ଶତକ ସହ କୋହଲି ତାଙ୍କ ଆଇଡଲ ତଥା କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ରେକର୍ଡର ସମକକ୍ଷ ହେବେ ବୋଲି ଆଶା କରାଯାଉଛି।

ରନ୍ ମେସିନ୍, ଚେଜ୍ ମାଷ୍ଟର ଆଦି ନାମରେ ପରିଚିତ କୋହଲି ଗତ ୧୫ ବର୍ଷ ଧରି ଭାରତୀୟ କ୍ରିକେଟର ଧ୍ଵଜା ବାହକ ଭାବେ ଦାୟିତ୍ଵ ନିର୍ବାହ କରିଆସୁଛନ୍ତି । ବିଦେଶରେ ହେଉ ଅବା ନିଜ ଦେଶରେ, ସେ ସର୍ବଦା ଭାରତୀୟ କ୍ରିକେଟକୁ ନୂଆ ଶିଖରକୁ ନେବାକୁ ଉଦ୍ୟମ କରିଛନ୍ତି। ନିଜ ଫିଟନେସ୍ ଓ ଆକ୍ରମଣାତ୍ମକ ଶୈଳୀ ପାଇଁ ପରିଚିତ ବିରାଟ କୋହଲି ଭାରତୀୟ ବ୍ୟାଟିଂ ପାଇଁ ଅମ୍ଳଜାନ ସଦୃଶ ।

୨୦୦୮ ମସିହାରେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିବା ବିରାଟ କୋହଲିଙ୍କ ନାଁରେ ତିନି ଫର୍ମାଟରେ ରହିଛି ଏକାଧିକ ରେକର୍ଡ। ଗତ ୧୫ ବର୍ଷ ଧରି ଭାରତୀୟ କ୍ରିକେଟ୍ ପ୍ରତି କୋହଲିଙ୍କ ରହିଛି ବହୁମୂଲ୍ୟ ଅବଦାନ । ଉଭୟ ଅଧିନାୟକ ଓ ଜଣେ ବ୍ୟାଟ୍ସମ୍ୟାନ୍ ଭାବେ ସେ କ୍ରିକେଟ୍ ପ୍ରଶଂସକଙ୍କୁ ଦେଇଛନ୍ତି ଅଗଣିତ ଖୁସିର ମୁହୂର୍ତ୍ତ । ଟେଷ୍ଟ ଅଧିନାୟକ ଭାବେ ସେ ଭାରତ ପାଇଁ ସର୍ବାଧିକ ମ୍ୟାଚ୍ ଜିତିଛନ୍ତି । କୋହଲିଙ୍କ ନେତୃତ୍ୱରେ ଭାରତ ୬୮ଟି ଟେଷ୍ଟ ଖେଳିଥିବା ବେଳେ ୪୦ଟି ମ୍ୟାଚ୍ ଜିତିଛି । ଟେଷ୍ଟ କ୍ରିକେଟରେ ବିରାଟ କୋହଲି ହେଉଛନ୍ତି ଏକମାତ୍ର ଭାରତୀୟ ବ୍ୟାଟ୍ସମ୍ୟାନ୍ ଯିଏ କ୍ରମାଗତ ଚାରି ସିରିଜରେ ଦ୍ୱିଶତକ ହାସଲ କରିଛନ୍ତି।

ଦିନିକିଆ କ୍ରିକେଟରେ ଦ୍ରୁତତମ ୮୦୦୦, ୯୦୦୦, ୧୦,୦୦୦, ୧୧,୦୦୦, ୧୨,୦୦୦, ୧୩,୦୦୦ ରନ୍ କରିବାର ରେକର୍ଡ କରିଛନ୍ତି କୋହଲି | ସେ ବିଶ୍ୱର ଏକମାତ୍ର ବ୍ୟାଟ୍ସମ୍ୟାନ୍ ଯିଏକି ଦିନିକିଆରେ ଚେଜ୍ କଲାବେଳେ ସର୍ବାଧିକ ୨୭ ଶତକ ହାସଲ କରିଛନ୍ତି । ଦିନିକିଆରେ ୪୮ ଶତକ ମଧ୍ୟରୁ ସେ ଭାରତରେ ୨୨ଟି ସେଞ୍ଚୁରି ମାରିଛନ୍ତି, ଯାହାକି ଜଣେ ଭାରତୀୟ ବ୍ୟାଟ୍ସମ୍ୟାନ୍ ଦ୍ୱାରା ସର୍ବାଧିକ। ବିରାଟ କୋହଲି ହେଉଛନ୍ତି ଏକମାତ୍ର ବ୍ୟାଟ୍ସମ୍ୟାନ୍ ଯିଏ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ୍ (୪୦୦୮) କରିଛନ୍ତି। ସେ ଟି-୨୦ କ୍ରିକେଟ୍ ରେ ୩୦୦୦ ରନ୍ ଏବଂ ୩୫୦୦ ରନ୍ କରିବାରେ ଦ୍ରୁତତମ ବ୍ୟାଟ୍ସମ୍ୟାନ୍ | କ୍ରିକେଟର ଏହି ଛୋଟ ଫର୍ମାଟରେ କୋହଲି ସର୍ବାଧିକ ଥର ୧୫ ଥର ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ଜିତିଥିବାବେଳେ ପ୍ଲେୟାର ଅଫ୍ ଦି ସିରିଜ୍ ଟାଇଟଲ୍ ମଧ୍ୟ ୭ ଥର ଜିତିଛନ୍ତି |

ଆଇପିଏଲରେ ମଧ୍ୟ କୋହଲିଙ୍କ ବିରାଟ ରେକର୍ଡ ରହିଛି‌ । ଏହି ଟୁର୍ଣ୍ଣାମେଣ୍ଟରେ ସେ ସର୍ବାଧିକ ୭,୨୬୩ ରନ୍ ସଂଗ୍ରହ କରିଥିବାବେଳେ ଆଇପିଏଲର ଗୋଟିଏ ସିଜନରେ ସର୍ବାଧିକ ୯୭୩ ରନ୍ କରିବାର ରେକର୍ଡ ମଧ୍ୟ ତାଙ୍କ ନାମରେ ରହିଛି। ସେ ଏକମାତ୍ର ବ୍ୟାଟ୍ସମ୍ୟାନ୍ ଯିଏକି ଆଇପିଏଲର ଗୋଟିଏ ସିଜନରେ ସର୍ବାଧିକ ୪ ଶତକ ହାସଲ କରିଥିବାବେଳେ ଏହି ଲିଗରେ ସର୍ବାଧିକ ୭ ଶତକ ହାସଲ କରିବାର ରେକର୍ଡ ମଧ୍ୟ ତାଙ୍କ ନାମରେ ରହିଛି।

Comments are closed.