ଇନଷ୍ଟାଗ୍ରାମରେ ଗାଙ୍ଗୁଲିଙ୍କୁ ଅନଫଲୋ କଲେ କୋହଲି

ନୂଆଦିଲ୍ଲୀ: ବିରାଟ କୋହଲି ଓ ବିସିସିଆଇର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲିଙ୍କ ମଧ୍ୟରେ ତିକ୍ତତା ଚରମରେ ପହଞ୍ଚିଛି। ଏବେ କୋହଲି ଇନଷ୍ଟାଗ୍ରାମରେ ଗାଙ୍ଗୁଲିଙ୍କୁ ଅନଫଲୋ କରିଦେଇଛନ୍ତି ।

ଚଳିତ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଆରସିବି ମଧ୍ୟରେ ମ୍ୟାଚ୍ ବେଳେ କୋହଲି ଓ ଗାଙ୍ଗୁଲି ହ୍ୟାଣ୍ଡସେକ୍ କରିନଥିଲେ । କୋହଲିଙ୍କୁ ଏଡ଼ାଇ ଚାଲିଯାଇଥିଲେ ଗାଙ୍ଗୁଲି । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହାଛଡ଼ା ମ୍ୟାଚ ସମୟରେ ବାଉଣ୍ଡରୀ ଲାଇନ୍ ପାଖରେ ଫିଲ୍ଡିଂ କରୁଥିବାବେଳେ କୋହଲି ଦିଲ୍ଲୀ ଦଳର ଡଗ୍ ଆଉଟରେ ବସିଥିବା ଗାଙ୍ଗୁଲିଙ୍କ ଆଡ଼କୁ ତୀକ୍ଷ୍ଣ ଚାହାଣିରେ ଅନାଇବା ଦୃଶ୍ୟ ମଧ୍ୟ ଭାଇରାଲ ହୋଇଥିଲା । ଉଲ୍ଲେଖଯୋଗ୍ୟ, ଗାଙ୍ଗୁଲି ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ କ୍ରିକେଟ୍ ଡାଇରେକ୍ଟର ଅଛନ୍ତି ।

ସୂଚନାନୁସାରେ, ବିରାଟ କୋହଲି ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରୁ ଗାଙ୍ଗୁଲିଙ୍କୁ ଅନଫଲୋ କରିଦେଇଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ଓ ଆରସିବି ମ୍ୟାଚ୍ ପୂର୍ବରୁ ସେ ଗାଙ୍ଗୁଲିଙ୍କୁ ଫଲୋ କରୁଥିଲେ। କିନ୍ତୁ ଗାଙ୍ଗୁଲି ଏବେ ମଧ୍ୟ କୋହଲିଙ୍କୁ ଫଲୋ କରୁଛନ୍ତି ‌।

୨୦୨୧ ଟି-୨୦ ବିଶ୍ୱକପ ପରେ ଗାଙ୍ଗୁଲି ଓ କୋହଲିଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ସେତେବେଳେ
ଗାଙ୍ଗୁଲି ବିସିସିଆଇ ସଭାପତି ଥିଲେ । ୨୦୨୧ ଟି-୨୦ ବିଶ୍ୱକପ ପରେ କୋହଲି ଏହି ଫର୍ମାଟରେ ଅଧିନାୟକ ପଦ ଛାଡ଼ି ଦେଇଥିଲେ । ଏହାପରେ କୋହଲିଙ୍କୁ ଦିନିକିଆ ଅଧିନାୟକ ପଦରୁ ହଟାଇ ଦିଆଯାଇଥିଲା । ତାଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ଦଳର କମାଣ ଦିଆଯାଇଥିଲା । ଅଧିନାୟକ ପଦରୁ ହଟାଯିବା ନେଇ କୋହଲି କହିଥିଲେ ଯେ ତାଙ୍କୁ ଏନେଇ ଘୋଷଣାର କିଛି ଘଣ୍ଟା ପୂର୍ବରୁ ହିଁ ସୂଚନା ଦିଆଯାଇଥିଲା । ହେଲେ ଏହି ପ୍ରସଙ୍ଗରେ ଗାଙ୍ଗୁଲିଙ୍କ ବୟାନ ଠିକ୍ ବିପରୀତ ଥିଲା । ଗାଙ୍ଗୁଲି ଗଣମାଧ୍ୟମକୁ କହିଥିଲେ ଯେ ଅଧିନାୟକ ପରିବର୍ତ୍ତନ ନେଇ କୋହଲିଙ୍କ ସହ ସେ କଥା ହୋଇଥିଲେ । ଉଭୟଙ୍କ ବୟାନରେ ବିରୋଧାଭାସ ନେଇ ବିବାଦ ସୃଷ୍ଟି ହୋଇଥିଲା । ଏହି ଘଟଣା ପରଠାରୁ ଏହି ଦୁଇଜଣଙ୍କ ମଧ୍ୟରେ ତିକ୍ତତା ବଢ଼ିଥିଲା ‌। ପରେ ଦକ୍ଷିଣ ଆଫ୍ରିକା ଗସ୍ତ ପରେ କୋହଲି ହଠାତ୍ ଟେଷ୍ଟ ଅଧିନାୟକ ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ।

Comments are closed.