ପଞ୍ଜାବ ପରେ ‘ଲାଲ ସିଂ ଚଢା’କୁ ୟୁପିରେ ବିରୋଧ

ନୂଆଦିଲ୍ଲୀ: ଆମୀର ଖାନଙ୍କ ଫିଲ୍ମ ‘ଲାଲ ସିଂ ଚଢା’ ଦେଶର ଅନେକ ସ୍ଥାନରେ ବିରୋଧର ସମ୍ମୁଖୀନ ହୋଇଛି । ହଲିଉଡ ଫିଲ୍ମ ‘ଫରେଷ୍ଟ ଗମ୍ପ’ର ରିମେକ୍ ‘ଲାଲ ସିଂ ଚଢା’ ଅଗଷ୍ଟ ୧୧ ରେ ସାରା ଦେଶରେ ମୁକ୍ତିଲାଭ କରିଛି। ପଞ୍ଜାବ ଏବଂ ଦିଲ୍ଲୀ ପରେ ଏବେ ଉତ୍ତର ପ୍ରଦେଶରେ ବି ଏହି ଫିଲ୍ମକୁ ଜୋରଦାର ବିରୋଧ ହୋଇଛି ।

ଲକ୍ଷ୍ନୌରେ ଅଖିଳ ଭାରତୀୟ ହିନ୍ଦୁ ମହାସଭା ‘ଲାଲ ସିଂ ଚଢା’ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛି। ସମସ୍ତ ସନାତନ ହିନ୍ଦୁଙ୍କୁ କେବଳ ଦେଶପ୍ରେମୀ ଫିଲ୍ମ ଦେଖିବା ପାଇଁ ଏହି ସଂଗଠନ ଆହ୍ବାନ କରିଛି ।

ଏହାପୂର୍ବରୁ ପଞ୍ଜାବର ଜଲନ୍ଧର ସ୍ଥିତ ଏମବିଡି ମଲରେ ଆମୀର ଖାନଙ୍କ ଫିଲ୍ମକୁ ଏକ ହିନ୍ଦୁ ସଂଗଠନ ବିରୋଧ କରିଥିଲା। ଆମୀର ଖାନ ହିନ୍ଦୁ ବିରୋଧୀ ବୋଲି ସଂଗଠନ ଦାବି କରିଥିଲା । ସଂଗଠନ କହିଥିଲା ଯେ ଲୋକେ ଫିଲ୍ମ ଦେଖିବା ଦୂରେ ଥାଉ ସେମାନେ ଏହାକୁ ଥିଏଟରରେ ପ୍ରଦର୍ଶିତ ହେବାକୁ ମଧ୍ୟ ଦେବେ ନାହିଁ। ଫିଲ୍ମର ସ୍କ୍ରିନିଂ ବନ୍ଦ କରିବାକୁ ମଧ୍ୟ ଉଦ୍ୟମ ହୋଇଥିଲା ।

ଏହାଛଡ଼ା ଆମୀର ଖାନଙ୍କ ଫିଲ୍ମକୁ ଜାତୀୟ ରାଜଧାନୀ ଦିଲ୍ଲୀରେ ମଧ୍ୟ ବିରୋଧ ହୋଇଥିଲା। ଅନ୍ୟପକ୍ଷରେ ‘ଲାଲ ସିଂ ଚଢା’ର ନିର୍ମାତା ଏବଂ ଆମୀର ଖାନଙ୍କ ଫ୍ୟାନମାନେ ଫିଲ୍ମକୁ ବିରୋଧ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ଫିଲ୍ମକୁ ବର୍ଜନ କରିବାକୁ ଆମେ ଦେବୁ ନାହିଁ ବୋଲି ସେମାନେ କହିଥିଲେ ।

ଆମୀର ଖାନଙ୍କ ଫିଲ୍ମକୁ ବିରୋଧ କରାଯିବା ଏହା ପ୍ରଥମ ଘଟଣା ନୁହେଁ । ବିରୋଧର ସମ୍ମୁଖୀନ ହେଉଥିବା ଅବା ବିବାଦରେ ଥିବା ବଲିଉଡ୍ ଫିଲ୍ମକୁ ଏହାର ଫାଇଦା ମଧ୍ୟ ମିଳିବା ନଜିର ରହିଛି। ଏଭଳି ସ୍ଥିତିରେ ‘ଲାଲ ସିଂ ଚଢା’କୁ ବକ୍ସ ଅଫିସରେ ଭଲ ବ୍ୟବସାୟ କରିବାରେ ବିବାଦ ମଧ୍ୟ ସହାୟକ ହେବ ବୋଲି ମନେ କରାଯାଉଛି।

ଏହି ଫିଲ୍ମରେ ଆମୀର ଖାନଙ୍କ ସହ କରୀନା କପୁର ଖାନ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଅମୀର ଓ କରୀନାଙ୍କ ବ୍ୟତୀତ ନାଗା ଚୈତନ୍ୟ ଏବଂ ମୋନା ସିଂହଙ୍କୁ ଏହି ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ । ଶାହାରୁଖ ଖାନଙ୍କୁ ମଧ୍ୟ ଏହି ଫିଲ୍ମରେ ଏକ ସ୍ପେଶାଲ ଆପିଏରେନ୍ସରେ ଦେଖିବାକୁ ମିଳିବ । ଅଦ୍ଵୈତ ଚୌହାନଙ୍କ ଦ୍ୱାରା ନିର୍ମିତ ‘ଲାଲ ସିଂ ଚଢା’କୁ ନେଇ ପ୍ରଶଂସକ ଏବଂ ସମାଲୋଚକ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି। ପ୍ରଥମ ଦିନରେ ଏହି ଫିଲ୍ମ ବକ୍ସ ଅଫିସରେ ୧୧.୫ କୋଟି ଟଙ୍କା ରୋଜଗାର କରିଛି ​​|

Comments are closed.