ପାକିସ୍ତାନରେ ଭାରତର ଆଉ ଜଣେ ଶତ୍ରୁ ସଫା, ଲସ୍କର କମାଣ୍ଡର ଆକ୍ରମ ଗାଜିକୁ ଗୁଳିକରି ହତ୍ୟା

ନୂଆଦିଲ୍ଲୀ: ଆତଙ୍କୀ ସଂଗଠନ ଲସ୍କର-ଏ-ତଇବାର ପୂର୍ବତନ କମାଣ୍ଡର ଆକ୍ରମ ଖାନ ଓରଫ୍ ଆକ୍ରମ ଗାଜିକୁ ପାକିସ୍ତାନରେ ଗୁଳି କରି ହତ୍ୟା କରାଯାଇଛି । ସେ ୨୦୧୮ ରୁ ୨୦୨୦ ପର୍ଯ୍ୟନ୍ତ ଲସ୍କର ତାଲିମ ସେଲର ମୁଖ୍ୟ ଭାବେ ଦାୟିତ୍ଵ ତୁଲାଉଥିଲା ।

ପାକିସ୍ତାନର ବାଜୋର ଅଞ୍ଚଳରେ ଗୁରୁବାର ଆକ୍ରମ ଗାଜିକୁ ଅଜଣା ଆତତାୟୀ ଗୁଳିକରି ହତ୍ୟା କରିଥିଲେ। ସଂଗଠନରେ ଅନ୍ତଃକନ୍ଦଳ ଯୋଗୁଁ ଗାଜିକୁ ହତ୍ୟା କରାଯାଇଥିବା ଚର୍ଚ୍ଚା ହେଉଛି । ଗାଜି ବହୁବର୍ଷ ଧରି ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡ଼ିତ ଥିଲା। ତିନି ମାସ ମଧ୍ୟରେ ହତ୍ୟାର ଶିକାର ହେବାରେ ଗାଜି ହେଉଛି ଲସ୍କରର ଦ୍ବିତୀୟ ଆତଙ୍କବାଦୀ ।

ଗାଜି ପୂର୍ବରୁ ସେପ୍ଟେମ୍ବରରେ ପାକିସ୍ତାନ ଅଧିକୃତ କାଶ୍ମୀରର ରାୱାଲକୋଟ ଅଞ୍ଚଳରେ ଅଲ କୁଦ୍ଦୁସ୍ ମସଜିଦ୍ ବାହାରେ ଲସ୍କର କମାଣ୍ଡର ରିୟାଜ ଅହମ୍ମଦକୁ ହତ୍ୟା କରାଯାଇଥିଲା।

ସୂଚନାନୁସାରେ, ଆକ୍ରମ ଗାଜି ଲସ୍କର-ଏ-ତଇବାର କେନ୍ଦ୍ରୀୟ ନିଯୁକ୍ତି ସେଲର ମୁଖ୍ୟ ଥିଲା। ଭାରତ ବିରୋଧୀ ଆତଙ୍କବାଦୀ କାର୍ଯ୍ୟକଳାପରେ ସାମିଲ ଥିଲା ଗାଜି।

Comments are closed.