ଲତା ମଙ୍ଗେସକରଙ୍କ ‘ନା’ ଏବଂ ଓ.ପି ନାୟାରଙ୍କ ‘ଭୀଷ୍ମ ପ୍ରତିଜ୍ଞା’

ଲତା ମଙ୍ଗେସକର ବହୁ ଖ୍ୟାତନାମା ଚଳଚ୍ଚିତ୍ର ସଂଗୀତ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶନାରେ ପାଶ୍ୱର୍ଗାୟନ କରିଥିଲେ । ପଚାଶ ଓ ଷାଠିଏ ଦଶକରେ ସେ ହିନ୍ଦି ଫିଲ୍ମ ଜଗତର ଖ୍ୟାତନାମା ସଂଗୀତ ନିର୍ଦ୍ଦେଶକଙ୍କ ସହ କାମ କରି ଶ୍ରୋତୀଙ୍କୁ ଭେଟି ଦେଇଥିଲେ ଅନେକ ହିଟ୍ ଓ ସୁପରହିଟ୍ ଗୀତ । କିଛି ସଂଗୀତ ନିର୍ଦ୍ଦେଶକ ଓ ଫିଲ୍ମର ନାୟିକା କେବଳ ଲତାଙ୍କୁ ପସନ୍ଦ କରୁଥିଲେ । ନୌଶାଦ, ଶଙ୍କର -ଜୟକିଷନ,ଏସ.ଡି ବର୍ମନ, ରବି, ମଦନମୋହନ, ଆର.ଡି ବର୍ମନଙ୍କ ଭଳି ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକଙ୍କ ସହ କାମ କରିଥିଲେ ଲତା । କିନ୍ତୁ ପଚାଶ ଓ ଷାଠିଏ ଦଶକର ଅନ୍ୟ ଜଣେ ଖ୍ୟାତନାମା ଓ ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକଙ୍କ ପାଇଁ ଲତା କାମ କରି ନ ଥିଲେ । ସେହି ସଂଗୀତ ନିର୍ଦ୍ଦେଶକ ଥିଲେ ଓ.ପି ନାୟାର । ସେତେବେଳର ସବୁଠୁ ବ୍ୟୟବହୁଳ ସଂଗୀତ ନିର୍ଦ୍ଦେଶକ । ଓ.ପି ନାୟାର ଲତାଙ୍କୁ ପସନ୍ଦ କରୁ ନ ଥିଲେ । ଲତାଙ୍କ ସ୍ୱରକୁ ସେ ପତଳା ବୋଲି କହି ତାଙ୍କୁ ଗୌଣ ମନେ କରିଥିଲେ । ସେ ଲତାଙ୍କ ଅପେକ୍ଷା ଗୀତାବାଲି, ସମସାଦ ବେଗମ ଓ ଲତାଙ୍କ ଭଉଣୀ ଆଶାଙ୍କୁ ଅଧିକ ପ୍ରାଧାନ୍ୟ ଦେଉଥିଲେ ।

ପଚାଶ ଓ ଷାଠିଏ ଦଶକରେ ଓ.ପି ନାୟାର ଥିଲେ ହିନ୍ଦି ଫିଲ୍ମ ଦୁନିଆର ଅନ୍ୟତମ ଅଗ୍ରଣୀ ସଂଗୀତ ନିର୍ଦ୍ଦେଶକ । ପ୍ରଚଣ୍ଡ ପ୍ରତିଭାର ଅଧିକାରୀ ଥିଲେ ଓ.ପି ନାୟାର । କିନ୍ତୁ ସେ ସର୍ବଦା ନିଜ ସର୍ତ୍ତରେ ହିଁ କାମ କରିବାକୁ ପସନ୍ଦ କରୁଥିଲେ । କୋଉ ଗାୟକଙ୍କ ଖ୍ୟାତି ବା ଲୋକପ୍ରିୟତା ତାଙ୍କ ଉପରେ କୌଣସି ପ୍ରଭାବ ପକାଇ ନ ଥିଲା । ଫିଲ୍ମ ‘ଆସମାନ’ର ସଂଗୀତ ନିର୍ଦ୍ଦେଶକ ଭାବେ କାମ କରୁଥିବା ବେଳେ ଓ.ପି ନାୟାର ଫିଲ୍ମର ସହ ନାୟିକାଙ୍କ ଉପରେ ଏକ ଗୀତ କଂପୋଜ କରିଥିଲେ । ଆଉ ସେହି ଗୀତ ଲତା ମଙ୍ଗେସକରଙ୍କୁ ଗାଇବା ପାଇଁ କହିଥିଲେ ଓ.ପି ନାୟାର । କିନ୍ତୁ ଲତା ସେତେବେଳେ ଫିଲ୍ମର ମୁଖ୍ୟ ନାୟିକାମାନଙ୍କ ପାଇଁ ହିଁ ଗୀତ ଗାଉଥିଲେ । ତେଣୁ ଜଣେ ସହ-ନାୟିକାଙ୍କ ପାଇଁ ଗୀତ ଗାଇବାକୁ ଓ.ପି ନାୟାରଙ୍କ ପ୍ରସ୍ତାବରେ ରାଜି ହେଲେ ନାହିଁ ଲତା ମଙ୍ଗେସକର । ଲତାଙ୍କ ନା ଶୁଣି ବିଗିଡି ଯାଇଥିଲେ ଓ.ପି ନାୟାର । ଲତାଙ୍କୁ ତାଙ୍କ ସଂଗୀତ ନିର୍ଦ୍ଦେଶନାରେ ସେ କେବେ ବି ଗାଇବାକୁ ସୁଯୋଗ ଦେବେ ନାହିଁ ବୋଲି ଘୋଷଣା କରିଥିଲେ ଓ.ପି । ଏହା ଥିଲା ଓ.ପି.ଙ୍କ ଭୀଷ୍ମ ପ୍ରତିଜ୍ଞା । ଏଥିପାଇଁ ଓ.ପି ନାୟାରଙ୍କ ପାଇଁ ଲତା କେବେ ବି ଗୀତ ଗାଇ ନ ଥିଲେ ।
ଲତାଙ୍କୁ ନ ନେଇ ବି ଓ.ପି ନାୟାର ଅନେକ ମନଛୁଆଁ ସଂଗୀତ ସୃଷ୍ଟି କରିଥିଲେ । ଲତାଙ୍କ ସାନ ଉଭଣା ଆଶା ଭୋଁସଲେଙ୍କୁ ନେଇ ସେ ଅନେକ ସୁପରହିଟ୍ ସଂଗୀତ ପ୍ରସ୍ତୁତ କରିଥିଲେ ।

ଲତାଙ୍କ ପ୍ରତି ଓ.ପି ନାୟାରଙ୍କ ଏତେ ବିତୃଷ୍ଣା ଥିଲା ଯେ, ସେ ମଧ୍ୟପ୍ରଦେଶ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଲତା ମଙ୍ଗେସକର ପୁରସ୍କାର ଗ୍ରହଣ କରିବାକୁ ସିଧାସଳଖ ମନା କରିଦେଇଥିଲେ । ଜଣେ ଜୀବିତ ବ୍ୟକ୍ତିଙ୍କ ନାଁରେ ପୁରସ୍କାର ଗ୍ରହଣ କରାଯାଏ ନାହିଁ ବୋଲି ଓ.ପି ନାୟାର କହିଥିଲେ ।
ଓ.ପି ନାୟାର ଓ ଲତାଙ୍କ ଯୋଡି ନ ହେବା ଭାରତୀୟ ଚଳଚ୍ଚିତ୍ର ଇତିହାସର ଏକ ରୋଚକ ଅଧ୍ୟାୟ ହୋଇ ରହିଛି ।

Comments are closed.