ନୂପୁର ଶର୍ମା ମାମଲାରେ ଦାଖଲ ପତ୍ର ଆବେଦନ ଗ୍ରହଣ ନକରିବାକୁ ପ୍ରଧାନ ବିଚାରପତିଙ୍କୁ ଓକିଲ ସଂଘ ‘ଏଆଇବିଏ’ର ଅନୁରୋଧ

ନୂଆଦିଲ୍ଲୀ : ନୂପୁର ଶର୍ମାଙ୍କ ବିରୋଧରେ ସୁପ୍ରିମକୋର୍ଟର ଏକ ଖଣ୍ଡପୀଠ ଦେଇଥିବା ମନ୍ତବ୍ୟ ପ୍ରତ୍ୟାହାର କରିବାକୁ ଯେଉଁ ପତ୍ର ଆବେଦନ ଆସିଛି ତାହାକୁ ଗ୍ରହଣ ନକରିବାକୁ ଓକିଲ ସଂଘ ‘ଅଲ ଇଣ୍ଡିଆ ବାର୍ ଆସୋସିଏସନ (ଏଆଇବିଏ)’ ଚିଠି ଲେଖି ଭାରତର ପ୍ରଧାନ ବିଚାରପତି ଜଷ୍ଟିସ୍ ଏନଭି ରମନ୍ନାଙ୍କୁ ଅନୁରୋଧ କରିଛନ୍ତି ।

ଜୁଲାଇ ୧ରେ ଜଷ୍ଟିସ୍ ସୂର୍ଯ୍ୟ କାନ୍ତ ଏବଂ ଜଷ୍ଟିସ୍ ଜେ ପାରଦୀୱାଲାଙ୍କ ଏକ ଅବକାଶକାଳୀନ ଖଣ୍ଡପୀଠ ନିଲମ୍ବିତ ବିଜେପି ନେତ୍ରୀ ନୂପୁର ଶର୍ମାଙ୍କୁ ପ୍ରଫେଟ୍ ମହମ୍ମଦଙ୍କ ଉପରେ ମନ୍ତବ୍ୟ ପାଇଁ ଭର୍ତ୍ସନା କରିଥିଲେ । ଏହି ଦୁଇ ଜଣିଆ ଖଣ୍ଡପୀଠ କହିଥଲେ ଯେ ନୂପୁର ଶର୍ମାଙ୍କ “ବେଲଗାମ ପାଟି” ସମଗ୍ର ଦେଶରେ ନିଆଁ ଲଗାଇ ଦେଇଛି ଏବଂ ଦେଶରେ ଯାହା ସବୁ ଘଟୁଛି ସେଥିପାଇଁ କେବଳ ସେ ହିଁ ଦାୟୀ। ‘

ତାଙ୍କ ବିରୋଧରେ ବିଭିନ୍ନ ରାଜ୍ୟରେ ରୁଜୁ ହୋଇଥିବା ମାମଲା ଦିଲ୍ଲୀ ସ୍ଥାନାନ୍ତର କରିବା ପାଇଁ ନୂପୁରଙ୍କ ଆବେଦନ ଗ୍ରହଣ କରିବାକୁ ମନା କରି ଖଣ୍ଡପୀଠ କହିଥିଲେ ଯେ ଶସ୍ତା ଲୋକପ୍ରିୟତା କିମ୍ବା ରାଜନୈତିକ ଏଜେଣ୍ଡା ଅଥବା କିଛି ଅଭିସନ୍ଧି ମୂଳକ କାର୍ଯ୍ୟକଳାପ ପାଇଁ ନୂପୁର ଶର୍ମା ଏଭଳି ମନ୍ତବ୍ୟ ଦେଇଥିଲେ ।

ନିଜକୁ ଜଣେ ସାମାଜିକ କର୍ମୀ ବୋଲି ଦାବି କରୁଥିବା ଦିଲ୍ଲୀ ବାସିନ୍ଦା ଅଜୟ ଗୌତମ ଏକ ପତ୍ର ଆବେଦନ କରି ନୂପୁର ଶର୍ମା ମାମଲାରେ ଅବକାଶକାଳୀନ ଖଣ୍ଡପୀଠ ଦେଇଥିବା ମନ୍ତବ୍ୟ ପ୍ରତ୍ୟାହାର କରିବା ପାଇଁ ଉପଯୁକ୍ତ ଆଦେଶ କିମ୍ବା ନିର୍ଦ୍ଦେଶ ଜାରି କରିବାକୁ ପ୍ରଧାନ ବିଚାରପତିଙ୍କୁ ଅନୁରୋଧ କରିଛନ୍ତି।

ଅଲ ଇଣ୍ଡିଆ ବାର୍ ଆସୋସିଏସନ ଏହାର ସଭାପତି ତଥା ବରିଷ୍ଠ ଓକିଲ ଆଦିଶ ସି ଅଗ୍ରୱାଲଙ୍କ ମାଧ୍ୟମରେ ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖି ପ୍ରତିକୂଳ ମନ୍ତବ୍ୟ ପ୍ରତ୍ୟାହାର କରିବାକୁ ଶର୍ମାଙ୍କ ବିରୋଧରେ ଦାଖଲ ହୋଇଥିବା କୌଣସି ପତ୍ର ଆବେଦନକୁ ଗ୍ରହଣ ନକରିବାକୁ କହିଛନ୍ତି।

ଚିଠିରେ କୁହାଯାଇଛି ଯେ ଜଣେ ଅଭିଜ୍ଞ ରାଜନେତା ତଥା ଓକିଲଙ୍କ ଦ୍ବାରା ଆପତ୍ତିଜନକ ମନ୍ତବ୍ୟ ନେଇ ମାନ୍ୟବର ବିଚାରପତି ଦେଇଥିବା ମତକୁ ଏଆଇବିଏ ପ୍ରଶଂସା କରୁଛି।
ଉଲ୍ଲେଖଯୋଗ୍ୟ ଯେ, ଜଷ୍ଟିସ ରାମନାଙ୍କୁ ଏଆଇବିଏ ର ଚିଠି ପୂର୍ବରୁ ହାଇକୋର୍ଟର ୧୫ ଜଣ ପୂର୍ବତନ ବିଚାରପତି ଏବଂ ଅମଲାତନ୍ତ୍ରୀ ନୂପୁର ଶର୍ମାଙ୍କ ବିରୋଧରେ ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ମନ୍ତବ୍ୟ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ । ନୂପୁର ଶର୍ମାଙ୍କ ବିରୋଧରେ ଅଯଥା କଡ଼ା ଟିପ୍ପଣୀ କରି କୋର୍ଟ ‘ଲକ୍ଷ୍ମଣ ରେଖା’ ଅତିକ୍ରମ କରିଛନ୍ତି ବୋଲି କହିଥିଲେ ।

Comments are closed.