କର୍ଣ୍ଣାଟକ: ନାବାଳିକା ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ଲିଙ୍ଗାୟତ ମଠାଧୀଶ ଗିରଫ

ବେଙ୍ଗାଲୁରୁ: ଦୁଇ ନାବାଳିକା ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ କର୍ଣ୍ଣାଟକର ପ୍ରଭାବଶାଳୀ ଲିଙ୍ଗାୟତ ମଠର ମୁଖ୍ୟ ଡକ୍ଟର ଶିବମୂର୍ତ୍ତି ମୁରୁଗା ଶରଣାରୁଙ୍କୁ ଗିରଫ କରାଯାଇଛି । ତାଙ୍କୁ ୧୪ ଦିନ ପାଇଁ ଚିତ୍ରାଦୁରଗା ଜିଲ୍ଲା ଜେଲକୁ ପଠାଯାଇଛି। ପୋଲିସର ସୂଚନାନୁସାରେ, ଲିଙ୍ଗାୟତ ମଠାଧୀଶଙ୍କ ବିରୋଧରେ ଏସସି-ଏସଟି ଆକ୍ଟ ମଧ୍ୟ ଲାଗିଛି ।

ଲିଙ୍ଗାୟତ ମଠାଧୀଶ ଶିବମୂର୍ତ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ନେଇ ରାଜ୍ୟର ବିଜେପି ସରକାର ସାମାଲୋଚିତ ହେବା ପରେ ତାଙ୍କୁ ଶେଷରେ ଗିରଫ କରାଯାଇଛି । ଅନେକ ଘଣ୍ଟା ଧରି ପଚରାଉଚରା ପରେ ପୋଲିସ ଏହି ମାମଲାରେ ମଠ ହଷ୍ଟେଲର ୱାର୍ଡେନ ରଶ୍ମୀଙ୍କ ସହ ସ୍ୱାମୀ ଶିବମୂର୍ତ୍ତିଙ୍କୁ ମଧ୍ୟ ଗିରଫ କରିଥିଲା ।

କର୍ଣ୍ଣାଟକର ଅନ୍ୟ ମଠମାନଙ୍କ ପରି ମୁରୁଗା ମଠ ମଧ୍ୟ ଚିତ୍ରଦୁର୍ଗ ସ୍ଥିତ ମୁଖ୍ୟାଳୟରୁ ୧୫୦ ଆଧ୍ୟାତ୍ମିକ ଏବଂ ଶିକ୍ଷାନୁଷ୍ଠାନ ଚଳାଉଛନ୍ତି |

ଲିଙ୍ଗାୟତମାନେ ଦ୍ୱାଦଶ ଶତାବ୍ଦୀର ସାମାଜିକ ସଂସ୍କାରକ ବାସବନ୍ନା ଅନୁଗାମୀ ଅଟନ୍ତି। କର୍ଣ୍ଣାଟକରେ ଲିଙ୍ଗାୟତମାନଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ୧୭ ପ୍ରତିଶତ |

ଗତ ସପ୍ତାହରେ ମହୀଶୂରରେ ପକ୍ସୋ ଆଇନ ଅନୁଯାୟୀ ସ୍ୱାମୀ ଶିବମୂର୍ତ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ଏହା ପରେ ମଙ୍ଗଳବାର ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ଯୌନ ନିର୍ଯାତନାର ଶିକାର ହୋଇଥିବା ଦୁଇ ଛାତ୍ରୀଙ୍କ ବୟାନ ରେକର୍ଡ କରାଯାଇଥିଲା ।

ସ୍ୱାମୀ ଶିବମୂର୍ତ୍ତିଙ୍କ ବିରୋଧରେ ଦାଖଲ ହୋଇଥିବା ଅଭିଯୋଗରେ କୁହାଯାଇଛି ଯେ ସେ ତାଙ୍କ ମଠ ହଷ୍ଟେଲରେ ରହୁଥିବା ହାଇସ୍କୁଲ ଛାତ୍ରୀମାନଙ୍କ ଯୌନ ଶୋଷଣ କରୁଥିଲେ।

ସେମାନେ ଅନୁସୂଚିତ ଜାତିର ବୋଲି ଯୌନ ଶୋଷଣର ଶିକାର ହୋଇଥିବା ଛାତ୍ରୀ ମହିଳା ଓ ଶିଶୁ କଲ୍ୟାଣ ବିଭାଗକୁ କହିଛନ୍ତି । ତେଣୁ ଅନୁସୂଚିତ ଜାତି/ଜନଜାତି ଅତ୍ୟାଚାର ନିବାରଣ ଆଇନ ଅନୁଯାୟୀ ଏହି ମାମଲାରେ ଏକ ମାମଲା ମଧ୍ୟ ରୁଜୁ ହୋଇଥିଲା।

Comments are closed.