ପ୍ରଥମ ସ୍ଥାନଭିତ୍ତିକ ଗବେଷଣା ସଂକଳନ ଉନ୍ମୋଚିତ

ଭୁବନେଶ୍ୱର -ଫଳାଫଳ ଭିତ୍ତିକ ଉନ୍ନୟନମୂଳକ ପରିଚାଳନା ଦିଗରେ ଆଉ ଏକ ପଦକ୍ଷେପ ସ୍ୱରୁପ ରାଜ୍ୟ ସରକାର ସ୍ଥାନ ଭିତ୍ତିକ ଅଧ୍ୟୟନ କାର୍ଯ୍ୟ ଆରମ୍ଭ କରିଛନ୍ତି । ଗୋପବନ୍ଧୁ ପ୍ରାଶାସନିକ ଏକାଡେମୀର ଉତ୍କର୍ଷ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ପ୍ରଥମ ସ୍ଥାନ ଭିତ୍ତିକ ଗବେଷଣା ସଂକଳନକୁ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଉନ୍ମୋଚନ କରିଛନ୍ତି । ଲୋକସେବା ଭବନ ସଭାଗୃହରେ ଆୟୋଜିତ ବୈଠକରେ ଗୋପବନ୍ଧୁ ଏକାଡେମୀର ମହାନିର୍ଦ୍ଦେଶକ ରଂଜନା ଚୋପ୍ରା ଏବଂ ୟୁନିସେଫର ରାଜ୍ୟ ମୁଖ୍ୟ ଡକ୍ଟର ମୋନିକା ନିଲେସନ୍ ଯୋଗ ଦେଇଥିଲେ ।

ଉତ୍କର୍ଷ କେନ୍ଦ୍ରର ଏଭଳି ସୃଜନାତ୍ମକ ପ୍ରଚେଷ୍ଟା ପାଇଁ ଗବେଷକମାନଙ୍କୁ ସାଧୁବାଦ ଜଣାଇବା ସହ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏ ପ୍ରକାର ଅଧ୍ୟୟନ କରିବା ପାଇଁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି । ଏସବୁ ଅଧ୍ୟୟନ ମାଧ୍ୟମରେ ଜନ ସମୁଦାୟମାନଙ୍କର ଆବଶ୍ୟକତା, ଆକାଂକ୍ଷା ଏବଂ ଉନ୍ନୟନମୂଳକ କାର୍ଯ୍ୟକ୍ରମରେ ଥିବା କ୍ଷେତ୍ରସ୍ତରୀୟ କ୍ରିଟିକାଲ୍ ଗ୍ୟାପ୍ ଆଦି ଜାଣି ହେବ । ଅଧ୍ୟୟନର ଫଳାଫଳ ଅଧିକାରୀମାନଙ୍କ ତାଲିମ ନିମନ୍ତେ ଅତି ଉପାଦେୟ ହେବା ସହ ଅନ୍ୟତ୍ର ପ୍ରୟୋଗ ନିମନ୍ତେ ବିଭିନ୍ନ ପ୍ରକଳ୍ପ ନମୁନା ପ୍ରସ୍ତୁତିରେ ସହାୟକ ହେବ ବୋଲି ମୁଖ୍ୟ ଶାସନ ସଚିବ କହିଥିଲେ ।

ଅଧ୍ୟୟନରୁ ପ୍ରାପ୍ତ ତଥ୍ୟ ଓ ଉପସଂହାର ବିଷୟରେ ସଂପୃକ୍ତ ବିଭାଗମାନଙ୍କ ସହ ଆଲୋଚନାତ୍ମକ ଅନୁଶୀଳନ କରିବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ଗୋପବନ୍ଧୁ ଏକାଡେମୀକୁ ପରାମର୍ଶ ଦେଇଥିଲେ । ଏହା କ୍ଷେତ୍ରସ୍ତରୀୟ ସମସ୍ୟାର ସ୍ଥାୟୀ ସମାଧାନ ଏବଂ ସହଯୋଗିତା-ଭିତ୍ତିକ ଯୋଜନା ଓ ପ୍ରକଳ୍ପ ପ୍ରସ୍ତୁତି ଦିଗରେ ସହାୟକ ହେବ ।
ମହାନିର୍ଦ୍ଦେଶକ ରଞ୍ଜନା ଚୋପ୍ରା କହିଥିଲେ ଯେ ରାଜ୍ୟ ସରକାରଙ୍କ ପାଣ୍ଠି ଏବଂ ୟୁନିସେଫର ବୈଷୟିକ ସହଯୋଗିତାରେ ୨୦୨୧ ମସିହାରୁ ଗୋପବନ୍ଧୁ ଏକାଡେମୀର ଉତ୍କର୍ଷ କେନ୍ଦ୍ର ରାଜ୍ୟ ତାଲିମ ନିୟାମକ ଅନୁସାରେ କାର୍ଯ୍ୟ କରୁଛି । ଏହାର ପ୍ରଥମ ସଂକଳନ ବର୍ତ୍ତମାନ ପ୍ରକାଶିତ ହେଲା । ଏହି ସଂକଳନ ଉଭୟ ଉନ୍ନୟନମୂଳକ-ପ୍ରଶାସନ ଏବଂ ଅଧିକାରୀ ମାନଙ୍କ ତାଲିମର ଗୁଣାତ୍ମକ ବିକାଶରେ ବ୍ୟବହୃତ ହେବ ।

ୟୁନିସେଫ୍ ରାଜ୍ୟ ମୁଖ୍ୟ ଡ଼ଃ ମୋନିକା କହିଥିଲେ ଯେ ସ୍ଥାନ ଭିତ୍ତିକ ଗବେଷଣା ପଦ୍ଧତି ନେଇ କାର୍ଯ୍ୟ କରୁଥିବା ଉତ୍କର୍ଷ କେନ୍ଦ୍ର ସାରା ଦେଶରେ ପ୍ରଥମ । ଗୋପବନ୍ଧୁ ଏକାଡ଼େମୀର ଏହି କେନ୍ଦ୍ର ସହ ୟୁନିସେଫ୍ ନିଜର ସହଯୋଗିତା ବଜାୟ ରଖିବ । ଉତ୍କର୍ଷ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ଶଶାଙ୍କ ଗ୍ରହାଚାର୍ଯ୍ୟ କହିଥିଲେ ଯେ ବିବିଧ ବିଷୟରେ ୧୯ ଟି ଫଳାଫଳ ଭିତ୍ତିକ ଗବେଷଣା ଏହି ସଂକଳନରେ ସ୍ଥାନିତ ହୋଇଛି । ଆଦର୍ଶ ବିଦ୍ୟାଳୟର କାର୍ଯ୍ୟକାରିତା, ମହିଳା ବୁଣାକାରଙ୍କ ରୋଜଗାର ଉପରେ କୋଭିଡ୍-୧୯ ର ପ୍ରଭାବ, ସିକଲ୍ ସେଲର ପ୍ରଥମାବସ୍ଥାରୁ ନିର୍ଣ୍ଣୟ ଓ ଚିକିତ୍ସା , ଉପକୂଳ ଅଞ୍ଚଳରେ ମତ୍ସ୍ୟଜୀବୀ ସମୁଦାୟ, ମାନସିକ ଅନଗ୍ରସର ପିଲାମାନଙ୍କର ଯତ୍ନ ଓ ଶିକ୍ଷା, ସ୍ୱଧାର ଗୃହର କାର୍ଯ୍ୟକାରିତା, କିଶୋରୀମାନଙ୍କ ମଧ୍ୟରେ ରକ୍ତହୀନତା, ଧାନ ସଂଗ୍ରହ, ଅପପୁଷ୍ଟିର ସମାଧାନ, ବନ୍ୟଜନ୍ତୁ ଶିକାର ନିରାକରଣ, ଜନସମୁଦାୟ ସ୍ତରରେ ନୂତନ ଜିବୀକା ନିର୍ବାହ ପନ୍ଥା ଆଦି ପ୍ରମୁଖ ବିଷୟ ଏଥିରେ ସ୍ଥାନିତ ହୋଇଛି ।

Comments are closed.