ଆଇପିଏଲ୍: ଲକ୍ଷ୍ନୌ ଟିମ୍‌ର ନାଁ ‘ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌’

ଲକ୍ଷ୍ନୌ: ଆଇପିଏଲର ଦୁଇ ନୂଆ ଦଳ ମଧ୍ୟରୁ ଅନ୍ୟତମ ଲକ୍ଷ୍ନୌ ଫ୍ରାଞ୍ଚାଇଜର ନାମକରଣ ହୋଇଛି । ଏହି ଟିମ୍ ‘ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌’ ଭାବେ ନାମିତ ହୋଇଛି । ଫ୍ରାଞ୍ଚାଇଜର ମାଲିକ ସୋମବାର ଏହା ଘୋଷଣା କରିଛନ୍ତି । ପ୍ରଶଂସକମାନେ ଏହି ନାମ ବାଛିଛନ୍ତି ।

ଜଣାଣୁଣା ଉଦ୍ୟୋଗପତି ସଞ୍ଜୀବ ଗୋଏଙ୍କାଙ୍କ ଆରପିଏସଜି ଗ୍ରୁପ୍ ହେଉଛି ଲକ୍ଷ୍ନୌ ଦଳର ମାଲିକ । ଏହି ନୂଆ ଦଳର ନାମ କଣ ରଖାଯିବା ସେନେଇ ଏହି ଫ୍ରାଞ୍ଚାଇଜ୍ ପକ୍ଷରୁ ପ୍ରଶଂସକଙ୍କ ମତାମତ ଗ୍ରହଣ କରାଯାଇଥିଲା । ଏଥିପାଇଁ ସୋସିଆଲ ମିଡ଼ିଆରେ ଲକ୍ଷ୍ନୌ ଫ୍ରାଞ୍ଚାଇଜ୍ ପକ୍ଷରୁ ‘ନାମ ବନାଓ ନାମ କମାଓ’ ନାମକ ଏକ ଅଭିଯାନ ଆରମ୍ଭ ହୋଇଥିଲା । ଆଜି ଏକ ଭିଡିଓ ମେସେଜ୍ ଜରିଆରେ ସଞ୍ଜୀବ ଗୋଏଙ୍କା ଦଳର ନାମ ଘୋଷଣା କରିଛନ୍ତି ।

ଗୋଏଙ୍କା କହିଛନ୍ତି, ଲକ୍ଷ ଲକ୍ଷ ପ୍ରଶଂସକ ଆମ ଦଳର ନାମକରଣ ପାଇଁ ନିଜର ପ୍ରସ୍ତାବ ଦେଇଥିଲେ । ଏହାକୁ ଭିତ୍ତି କରି ଆମେ ଅତ୍ୟନ୍ତ ଖୁସିର ସହ ଲକ୍ଷ୍ନୌ ଟିମର ଏକ ନାଁ ବାଛିଛୁ । ପ୍ରଶଂସକ ମାନଙ୍କ ସୁପାରିସ ଅନୁଯାୟୀ ଲକ୍ଷ୍ନୌ ଦଳ ‘ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌’ ଭାବେ ଜଣାଯିବ ବୋଲି ଗୋଏଙ୍କା କହିଛନ୍ତି । ଏଥିସହ ସେ ପ୍ରଶଂସକ ମାନଙ୍କୁ ସେମାନଙ୍କ ମତାମତ, ଭଲ ପାଇବା ଲାଗି ଧନ୍ୟବାଦ ଜଣାଇଛନ୍ତି ଏବଂ ଭବିଷ୍ୟତରେ ଟିମ୍ ଉପରେ ଆଶୀର୍ବାଦ ବର୍ଷା କରିବାକୁ ଅପିଲ କରିଛନ୍ତି ।
ଲକ୍ଷ୍ନୌ ଫ୍ରାଞ୍ଚାଇଜ୍ ନିଜ ଦଳର ନାମ ସ୍ଥିର କରିବାକୁ ଜାନୁୟାରୀ ୩ରେ ସୋସିଆଲ ମିଡ଼ିଆରେ ‘ନାମ ବନାଓ ନାମ କମାଓ’ ନାମକ ଏକ ଅଭିଯାନ ଆରମ୍ଭ କରିଥିଲେ । ଦଳର ନାଁ କଣ ହେବ ସେନେଇ ମତ ଓ ପ୍ରସ୍ତାବ ଦେବାକୁ ପ୍ରଶଂସକମାନଙ୍କୁ କୁହାଯାଇଥିଲା ।

ଚଳିତ ବର୍ଷରୁ ଦୁଇ ନୂଆ ଦଳ ଲକ୍ଷ୍ନୌ ଓ ଅହମ୍ମଦାବାଦ ଆଇପିଏଲର ଅଂଶ ହେବେ । ଏହି ଦୁଇ ନୂଆ ଦଳ ସହ ଆଇପିଏଲ କଳବେର ବୃଦ୍ଧି ହୋଇଛି । ଏହି ବର୍ଷରୁ ୧୦ଟି ଦଳକୁ ନେଇ ଏହି ଧନଶାଳୀ ଟି୨୦ ଲିଗ୍ ଅନୁଷ୍ଠିତ ହେବ ।

Comments are closed.