ସରିଲା ବ୍ରହ୍ମପୁର ବୁଢ଼ି ଠାକୁରାଣୀ ଯାତ୍ରା: ଶାଶୂ ଘରକୁ ବିଜେ କଲେ ମା’

ବ୍ରହ୍ମପୁର: ସୋମବାର ମଧ୍ୟରାତ୍ରରେ ବାହାରିଲା ପଟୁଆର। ବଡ଼ବଜାର ନିକଟ ଦେଶୀବେହେରା ସାହିରୁ ବାହାରିଥିବା ମା’ ବୁଢ଼ି ଠାକୁରାଣୀଙ୍କ ଲେଉଟାଣି ପଟୁଆର ମଙ୍ଗଳବାର ଭୋରରେ ଠାକୁରାଣୀ ମନ୍ଦିର ଠାରେ ପହଞ୍ଚିଥିଲା। ନିଜ ଆସ୍ଥାନରେ ଦେବୀ ପୂଜା ପାଇବା ସହ ଗତ ୨୮ ଦିନ ଧରି ଚାଲିଥିବା ରେଶମ ସହରର‌ ପ୍ରସିଦ୍ଧ ଦ୍ବିବାର୍ଷିକ ମା’ ବୁଢ଼ି ଠାକୁରାଣୀ ଯାତ୍ରା ଶେଷ ହୋଇଛି।

କାହିଁ କେଉଁ ଆଡୁ ହଜାର ହଜାର ଶ୍ରଦ୍ଧାଳୁ ଆସି ଚଳିତ ବର୍ଷ ଶେଷ ଥର ପାଇଁ ମା’ ସାଆନ୍ତାଣୀଙ୍କୁ ଅସ୍ଥାୟୀ ମଣ୍ଡପରେ ଦର୍ଶନ କରିଥିଲେ। ଦିନତମାମ ହଜାର ହଜାର ସଂଖ୍ୟାରେ ଭକ୍ତ, ବେଶଧାରୀଙ୍କୁ ଦେଶୀବେହେରା ସାହି ଓ ବଡ଼ ବଜାରରେ ଦେଖିବାକୁ ମିଳିଥିଲା। ପରମ୍ପରା ଅନୁଯାୟୀ ଦେବୀଙ୍କୁ ଶାଶୂ ଘରକୁ ଲେଉଟି ଆସିବା ପାଇଁ ଆମନ୍ତ୍ରଣ ଆସିଥିଲା। ଏହା ପରେ ବାପଘର ତରଫରୁ ଦେବୀଙ୍କ ଭାର ପ୍ରସ୍ତୁତ କରାଯାଇ ଥିଲା। ଭାର କହିଲେ କଣ୍ଟାଯୁକ୍ତ ଝାଡି ଗଛ, କାଚ, ଶଙ୍ଖା, ସିନ୍ଦୂର, ମା’ଙ୍କ ପ୍ରିୟ ଫଳ, ଜୀଅନ୍ତା କୁକୁଡ଼ା ଆଦି ରହିଥିଲା। ମଧ୍ୟରାତ୍ରରେ ଆରମ୍ଭ ହୋଇଥିବା ଲେଉଟାଣି ପଟୁଆରରେ ପ୍ରଥମେ ଥିଲା ସହସ୍ରାକ୍ଷୀ ଘଟ ଯାହାକୁ ଧାରଣ କରିଥିଲେ ମା’ଙ୍କ ଶାଶୂ ଘର କୁହାଯାଉଥିବା କୁମୁଟି ସମ୍ପ୍ରଦାୟଙ୍କ ପାରମ୍ପରିକ ମୁଖ୍ୟଙ୍କ ପତ୍ନୀ। ଯାତ୍ରା ଶେଷ ଦିନ ମଧ୍ୟାହ୍ନରେ ବଡ଼ ଠାକୁରାଣୀ ମନ୍ଦିରରୁ ମଧ୍ୟାହ୍ନରେ ଦେଶୀବେହେରାଙ୍କ ଘରକୁ ଅଣାଯାଇ ଥିଲା ବହୁ ଛିଦ୍ରଯୁକ୍ତ ଏହି ସ୍ବତନ୍ତ୍ର ମାଟି ହାଣ୍ଡି। କୁହାଯାଏ ପୂଜା ଅର୍ଚ୍ଚନା ଓ ସାଜସଜ୍ଜା ପରେ ଦେବୀଙ୍କ ଫେରନ୍ତା ପଟୁଆରରେ ଏହା ଯାତ୍ରା ପଥକୁ ଆଲୋକିତ କରିଥାଏ। ସହସ୍ରାକ୍ଷୀ ଘଟ ପଛକୁ ଥିଲା ମୁଖ୍ୟ ଘଟ ଯାହାକୁ ବାପା ଘର ଦେଶୀବେହେରାଙ୍କ ପତ୍ନୀ ଧାରଣ କରିଥିଲେ। ଏହା ପଛକୁ ଲମ୍ବିଥିଲା ହଜାର ହଜାର ମାନସିକଧାରୀ ମହିଳାଙ୍କ ଲମ୍ବା ଧାଡ଼ି ଯେଉଁମାନେ ଦିନତମାମ ବ୍ରତ ଓ ଉପବାସ ଧାରଣ ପୂର୍ବକ ଘଟ ମୁଣ୍ଡରେ ଧରି ଦେବୀଙ୍କ ବିଦାୟ ପଟୁଆରରେ ସାମିଲ ହୋଇଥିଲେ। ପଟୁଆର ଯେତେବେଳେ ଗୋଟିଏ ପରେ ଗୋଟିଏ ସାହି ଦେଇ ଯାଉଥିଲା ଧାଡ଼ି ସେତେ ଲମ୍ବା ହୋଇଯାଉଥିଲା। କାରଣ ପ୍ରତି ସାହିରୁ ଶହ ଶହ ମହିଳା ମାନସିକ ଘଟ ମୁଣ୍ଡାଇ ଏଥିରେ ଭାଗ ନେଉଥିଲେ। ମଙ୍ଗଳବାର ପ୍ରାୟ ଭୋର ବେଳକୁ ନିଜସ୍ବ ମନ୍ଦିରରେ ପ୍ରବେଶ କରିଥିଲା ଫେରନ୍ତା ଘଟ ପଟୁଆର। ସେଠାରେ ଦେବୀ ନିଜ ଆସନରେ ବିରାଜମାନ କରିବା ପରେ ସାଧାରଣ ଘଟଗୁଡିକୁ କଚାଡ଼ି ବିସର୍ଜନ କରାଯାଇଥିଲା। ଏଥିସହ ଗତ ୪ ତାରଖରୁ ଚାଲି ଆସିଥବା ଯାତ୍ରାର ପରିସମାପ୍ତି ଘଟିଥିଲା।

ଯାତ୍ରା ଶେଷ ଦିନ ରାଜ୍ୟ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଠାକୁରାଣୀଙ୍କ ଦର୍ଶନ କରିଥିଲେ। ତାଙ୍କ ସହ ବିଧାୟକ ବିକ୍ରମ ପଣ୍ଡା, ମେୟର୍ ସଂଘମିତ୍ରା ଦଳେଇ ଉପସ୍ଥିତ ଥିଲେ। ଯାତ୍ରାରେ ଶାନ୍ତିଶୃଙ୍ଖଳା ରକ୍ଷା ଓ ଟ୍ରାଫିକ ନିୟନ୍ତ୍ରଣ ସକାଶେ ବ୍ୟାପକ ପୋଲିସ ମୁତୟନ ହୋଇଥିଲେ। ପୁଣି ଦୁଇ ବର୍ଷର ବ୍ୟବଧାନକୁ ଭକ୍ତଙ୍କ ଅପେକ୍ଷା।

Comments are closed.