ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ଅଫିସରେ ବ୍ୟକ୍ତିଗତ କାର୍ଯ୍ୟ ପାଇଁ ମୋବାଇଲ୍ ଫୋନ୍ ବ୍ୟବହାର କଲେ ଯାଇପାରେ ଚାକିରୀ

ଚେନ୍ନାଇ: ଯଦି ଆପଣ ଜଣେ ସରକାରୀ କର୍ମଚାରୀ ଏବଂ ଅଫିସ୍ ସମୟରେ ବ୍ୟକ୍ତିଗତ କାର୍ଯ୍ୟ ପାଇଁ ମୋବାଇଲ୍ ଫୋନ୍ ବ୍ୟବହାର କରୁଛନ୍ତି, ତେବେ ସାବଧାନ ହୋଇ ଯାଆନ୍ତୁ । କାରଣ ଏହା ଦ୍ବାରା ଆପଣଙ୍କ ଚାକିରି ଯାଇପାରେ । ଅଫିସ ସମୟରେ ମୋବାଇଲରେ ବ୍ୟକ୍ତଗତ କାର୍ଯ୍ୟ କରିବା ଠିକ୍ ନୁହେଁ ବୋଲି ତାମିଲନାଡୁର ହାଇକୋର୍ଟ କହିଛନ୍ତି । ଏହା ଉପରେ କଟକଣା ଲଗାଇବାକୁ ନିୟମ ପ୍ରଣୟନ କରିବା ପାଇଁ କୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ମଦୁରାଇରର ଜଣେ ସରକାରୀ କର୍ମଚାରୀଙ୍କ ଆବେଦନ ଉପରେ ଶୁଣାଣି ସମୟରେ ଏଠାକାର ମାଡ୍ରାସ ହାଇକୋର୍ଟର ବେଞ୍ଚ ଏହି ନିର୍ଦ୍ଦେଶ ଦେଇଛନ୍ତି। ସ୍ୱାସ୍ଥ୍ୟ ବିଭାଗର ଜଣେ ମହିଳା କର୍ମଚାରୀଙ୍କ ଦ୍ୱାରା ଏହି ପିଟିସନ ଦାୟର ହୋଇଥିଲା। ଅଫିସ୍ କାମ ସମୟରେ ସେ ମୋବାଇଲ୍ ବ୍ୟବହାର କରୁଥିବା ଦେଖିବାକୁ ମିଳିଥିଲା ​​| ଏହି କାରଣରୁ ବିଭାଗ ତାଙ୍କୁ ଚାକିରୀରୁ ନିଲମ୍ବନ କରିଥିଲା। ଏହା ବିରୋଧରେ ସେ କୋର୍ଟରେ ଆବେଦନ କରିଥିଲେ ଏବଂ ତାଙ୍କ ନିଲମ୍ବନ ଆଦେଶକୁ ରଦ୍ଦ କରିବାକୁ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେବାକୁ ନିବେଦନ କରିଥିଲେ।

ହେଲେ ଏହି ପିଟିସନର ଶୁଣାଣି ସମୟରେ ଜଷ୍ଟିସ ଏସ.ଏମ ସୁବ୍ରମଣ୍ୟମ୍ ମାମଲାର ଭିତରକୁ ଯିବାକୁ ମନା କରିଦେଇଥିଲେ। ସେ କହିଛନ୍ତି ଯେ ଆଜିକାଲି ସରକାରୀ କର୍ମଚାରୀମାନେ ଅଫିସ୍ କାମ ସମୟରେ ବ୍ୟକ୍ତିଗତ କାର୍ଯ୍ୟ ପାଇଁ ମୋବାଇଲ୍ ଫୋନ୍ ବ୍ୟବହାର କରନ୍ତି। ଏହା ଏକ ଭଲ ଅଭ୍ୟାସ ନୁହେଁ | ଅନ୍ତତଃ ସରକାରୀ କର୍ମଚାରୀଙ୍କୁ ଅଫିସରେ ମୋବାଇଲ୍ ଫୋନ୍ ବ୍ୟବହାର ଅନୁମତି ଦେବା ଉଚିତ୍ ନୁହେଁ | ଏହା ସହ କୋର୍ଟ ଆବେଦନ କରିଥିବା ମହିଳା କର୍ମଚାରୀଙ୍କୁ କୌଣସି ଆଶ୍ବସ୍ତି ଦେବାକୁ ମନା କରିଦେଇଥିଲେ।

ଚାରି ସପ୍ତାହ ମଧ୍ୟରେ ଏ ବାବଦରେ ନିୟମ ଏବଂ ନିୟମାବଳୀ ପ୍ରସ୍ତୁତ କରିବାକୁ ଜଷ୍ଟିସ ଏସଏମ ସୁବ୍ରମଣ୍ୟମ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ସହ କୋର୍ଟରେ ସବିଶେଷ ରିପୋର୍ଟ ଉପସ୍ଥାପନ କରିବାକୁ କହିଛନ୍ତି | ଏହି ମାମଲାର ପରବର୍ତ୍ତୀ ଶୁଣାଣି ଏହା ପରେ କରାଯିବ।

Comments are closed.