ଶ୍ରୀଲଙ୍କାରେ ବ୍ୟାପକ ହିଂସା, ମହିନ୍ଦା ରାଜପକ୍ଷେଙ୍କ ଘରେ ନିଆଁ ଲଗାଇ ଦେଲେ ବିକ୍ଷୋଭକାରୀ, ଜଣେ ସାଂସଦଙ୍କ ସହ ପାଞ୍ଚ ମୃତ

କଲମ୍ବୋ: ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କା ଏବେ ଜଳୁଛି । ସରକାର ବିରୋଧୀ ବିକ୍ଷୋଭ ପ୍ରଦର୍ଶନ ହିଂସାର ରୂପ ନେଇଛି । ଦେଶରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି । ପ୍ରଧାନମନ୍ତ୍ରୀ ପଦରୁ ମହିନ୍ଦା ରାଜପକ୍ଷେଙ୍କ ଇସ୍ତଫା ପରେ ମଧ୍ୟ ଲୋକଙ୍କ କ୍ରୋଧ କମିନାହିଁ। ଉତ୍ତ୍ୟକ୍ତ ଲୋକେ ମହିନ୍ଦା ରାଜପକ୍ଷେଙ୍କ ପୈତୃକ ଘରେ ନିଆଁ ଲଗାଇ ଦେଇଛନ୍ତି। ଗତକାଲି ଦେଶର ବିଭିନ୍ନ ସ୍ଥାନରେ ଶାସକ ଦଳର ସମର୍ଥକ ଓ ବିକ୍ଷୋଭକାରୀ ମଧ୍ୟରେ ଘଟିଥିବା ସଂଘର୍ଷରେ ଜଣେ ସାଂସଦଙ୍କ ସହ‌ ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୨୦୦ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଛନ୍ତି ।

ବିକ୍ଷୋଭକାରୀମାନେ ହାମବନ୍ତୋଟାସ୍ଥିତ ରାଜପକ୍ଷେ ପରିବାରର ପୈତୃକ ଘର ‘ମେଡାମୁଲାନା ୱାଲାଭା’ରେ ନିଆଁ ଲଗାଇ ଦେଇଥିଲେ। ନିଆଁରେ ଘରଟି ସମ୍ପୂର୍ଣ୍ଣ ଜଳି ଯାଇଛି। ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଘରଟି ହୁତୁ ହୁତୁ ନିଆଁରେ ଜଳୁଥିବା ଦେଖିବାକୁ ମିଳିଛି। ଏହାଛଡ଼ା ନେଗୋମ୍ବୋର ଆଭେନେରା ଗାର୍ଡେନ୍ ହୋଟେଲ ଉପରେ ମଧ୍ୟ ଆକ୍ରମଣ ହୋଇଛି । ହୋଟେଲ ପରିସରରେ ଥିବା ଲମ୍ବୋର୍ଗିନି ସମେତ ଅନେକ ଗାଡ଼ିର ନିଆଁ ଲଗାଇ ଦେଇଛନ୍ତି ବିକ୍ଷୋଭକାରୀ ।

ବିକ୍ଷୋଭକାରୀ ଗଣଶିକ୍ଷା ମନ୍ତ୍ରୀ ରମେଶ ପାଥିରାନାରଙ୍କ ଗଲ୍ ସ୍ଥିତ ଘରେ ମଧ୍ୟ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ବିକ୍ଷୋଭକାରୀମାନେ ପୂର୍ବତନ ମନ୍ତ୍ରୀ ଜନସନ ଫର୍ନାଣ୍ଡୋଙ୍କ ମାଉଣ୍ଟ ଲାଭିନିଆରେ ବାସଭବନ ଉପରେ ଆକ୍ରମଣ କରିଥିଲେ। ଗଲ୍ ରେ ଘଟିଥିବା ହିଂସାରେ ଏପର୍ଯ୍ୟନ୍ତ ୧୫୪ ଜଣ ଆହତ ହୋଇଛନ୍ତି। ରାଜଧାନୀରେ ହୋଇଥିବା ହିଂସାରେ ଶାସକ ଦଳର ଜଣେ ସାଂସଦଙ୍କ ସମେତ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି।

Comments are closed.