ଆପଲ୍ ଆଲର୍ଟ ମେସେଜ୍ ମାମଲାରେ ଲୋକସଭା ବାଚସ୍ପତିଙ୍କୁ ଚିଠି ଲେଖିଲେ ମହୁଆ, ବିରୋଧୀ ସାଂସଦଙ୍କୁ ସୁରକ୍ଷା ପ୍ରଦାନ କରିବାକୁ ଦାବି

ନୂଆଦିଲ୍ଲୀ: ଆପଲ୍ ଆଲର୍ଟ ମେସେଜ୍ ମାମଲାରେ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମଇତ୍ର ବୁଧବାର ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖିଛନ୍ତି । ଯେଉଁ ବିରୋଧୀ ସାଂସଦଙ୍କ ଆଇଫୋନର ସରକାରୀ ପ୍ରାୟୋଜିତ ହ୍ୟାକିଂ ଉଦ୍ୟମ ହେଉଛି ସେମାନଙ୍କୁ ସୁରକ୍ଷା ଦେବାକୁ ମଇତ୍ର‌ ଏହି ଚିଠିରେ ଦାବି କରିଛନ୍ତି । ଯାହା ଫଳରେ ସେମାନେ ଗୃହରେ ନିଜ କର୍ତ୍ତବ୍ୟ ବିନା ବ୍ୟାଘାତରେ ସମ୍ପାଦନ କରିପାରିବେ ।

ସେ ଆହୁରି କହିଛନ୍ତି ଯେ ଏହା “ସରକାରଙ୍କ ବେଆଇନ ଗୁଇନ୍ଦାଗିରି” ଯାହା ସମ୍ବିଧାନ ପ୍ରଦତ୍ତ ମୌଳିକ ଅଧିକାର ଉପରେ ସବୁଠାରୁ ବଡ଼ ଆକ୍ରମଣ।

ସେମାନେ ନିଜ ଆଇଫୋନରେ “ସରକାରୀ ପ୍ରାୟୋଜିତ ହ୍ୟାକିଂ ଉଦ୍ୟମ” ନେଇ ଆପଲରୁ ଏକ ଆଲର୍ଟ ମେସେଜ୍ ପାଇଥିଲେ ବୋଲି ମଙ୍ଗଳବାର ମଇତ୍ରଙ୍କ ସହ ଅନେକ ବିରୋଧୀଦଳ ନେତା ଦାବି କରିଥିଲେ । ହ୍ୟାକିଂ ଉଦ୍ୟମ ପାଇଁ ସେମାନେ ସରକାରଙ୍କୁ ଦାୟୀ କରିଥିଲେ ।

କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିରୋଧୀଙ୍କ ଅଭିଯୋଗକୁ ଖାରଜ କରି କହିଥିଲେ ସରକାର ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବେ।

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ଦଳର ନେତା କେସି ବେଣୁଗୋପାଳ, ଶଶି ଥରୁର, ପୱନ ଖେଡା, ସୁପ୍ରିୟା ଶ୍ରୀନେତ ଏବଂ ଟି ସି ସିଂହଦେଓ, ଶିବସେନା (ଉଦ୍ଧବ) ସାଂସଦ ପ୍ରିୟଙ୍କ ଚତୁର୍ବେଦୀ, ତୃଣମୂଳ କଂଗ୍ରେସ ଏମପି ମହୁଆ ମଇତ୍ର, ଆମ୍ ଆଦମୀ ପାର୍ଟି (ଆପ୍)ର ରାଘବ ଚଢ଼ା, ସିପିଆଇ(ଏମ୍) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ, ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ଏବଂ ଅଲ ଇଣ୍ଡିଆ ମଜଲିସ-ଇ-ଇଥାହାଦୁଲ ମୁସଲିମିନ (ଏଆଇଏମଆଇଏମ)ର ଅସାଦୁଦ୍ଦିନ ଓଓ୍ବେସି ମଧ୍ୟ ଆପଲରୁ ଆଲର୍ଟ ମେସେଜ୍ ପାଇଥିଲେ ।

ମହୁଆ ମଇତ୍ର‌ ବିର୍ଲାଙ୍କୁ ଲେଖିଥିବା ଚିଠିରେ କହିଛନ୍ତି, ବିରୋଧୀଦଳର ନେତାମାନେ ଏକ ମେସେଜ୍ ପାଇଛନ୍ତି ଯେ ସେମାନଙ୍କୁ ସରକାରୀ ପ୍ରାୟୋଜିତ ହ୍ୟାକର୍ ଟାର୍ଗେଟ୍ କରୁଛନ୍ତି ।

ଟିଏମସି ସାଂସଦ କହିଛନ୍ତି, “ପେଗାସସ୍ ସଫ୍ଟୱେର୍ (କେବଳ ସରକାରଙ୍କୁ ବିକ୍ରି) ମାମଲା ଦୃଷ୍ଟିରୁ ଏହି ବିପଦ ଦୁଇ ଗୁଣା ଚକିତ କଲା ଭଳି। ୨୦୧୯ ରୁ ୨୦୨୧ ମଧ୍ୟରେ ପେଗାସସ୍ ସଫ୍ଟୱେର୍ ଦ୍ବାରା ବିରୋଧୀ ଦଳର ବିଭିନ୍ନ ସଦସ୍ୟ, ସାମ୍ବାଦିକ ତଥା ସାମାଜିକ ସଂଗଠନର ସଦସ୍ୟଙ୍କ ଫୋନ୍ ହ୍ୟାକ୍ ଉଦ୍ୟମ ହୋଇଥିଲା।

ପେଗାସସ୍ ମାମଲା ସମ୍ପର୍କରେ ମଇତ୍ର କହିଛନ୍ତି, “ କଂଗ୍ରେସ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କୁ ମଧ୍ୟ ଟାର୍ଗେଟ କରାଯାଇଥିଲା। ବିରୋଧୀ ଗୃହରେ ଏହି ପ୍ରସଙ୍ଗ ଉଠାଇଥିବା ସତ୍ତ୍ୱେ ଏହି ଉପରେ କୌଣସି ଆଲୋଚନାକୁ ଅନୁମତି ଦିଆଯାଇ ନଥିଲା କି କୌଣସି ଏଜେନ୍ସି ଦ୍ୱାରା ନିର୍ଣ୍ଣାୟକ ରିପୋର୍ଟ ଦାଖଲ କରାଯାଇଥିଲା ।

ସଦସ୍ୟମାନଙ୍କୁ ସୁରକ୍ଷା ଦେବା ପାଇଁ ସେ ବିର୍ଲାଙ୍କୁ ଅନୁରୋଧ କରି କହିଛନ୍ତି ଯେ ବିରୋଧୀ ଭାବରେ ସରକାରଙ୍କୁ ପ୍ରଶ୍ନ କରିବା ସହ ଶାସକ ଦଳକୁ ଉତ୍ତରଦାୟୀ କରିବା ଆମର କର୍ତ୍ତବ୍ୟ।

Comments are closed.