ରାଜ୍ୟସଭାର ବିରୋଧୀ ଦଳ ନେତା ପଦରୁ ଇସ୍ତଫା ଦେଲେ ମଲ୍ଲିକାର୍ଜୁନ ଖଡଗେ

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ରାଜ୍ୟସଭା ବିରୋଧୀ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି। ଶନିବାର ଦଳୀୟ ସୂତ୍ରରୁ ଏହି ସୂଚନା ଦିଆଯାଇଛି।

ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ସଭାପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିବାର ଦିନକ ପରେ ଖଡଗେ ଦଳର ‘ଏକ ବ୍ୟକ୍ତି, ଏକ ପଦ’ ନୀତି ଅନୁଯାୟୀ ଏହି ନିଷ୍ପତ୍ତି ନେଇଛନ୍ତି।

ସୂତ୍ରରୁ ପ୍ରକାଶ ଯେ ଶୁକ୍ରବାର ରାତିରେ ଖଡଗେ ତାଙ୍କ ଇସ୍ତଫା ପତ୍ର ଦାଖଲ କରିଛନ୍ତି। ସୂଚନାନୁସାରେ ରାଜ୍ୟସଭାରେ ବିରୋଧୀଦଳର ନେତା ପଦ ପାଇଁ ଦୌଡ଼ରେ ଏବେ ବରିଷ୍ଠ ନେତା ପି.ଚିଦାମ୍ବରମ୍ ଏବଂ ଦିଗବିଜୟ ସିଂହ ଆଗରେ ରହିଥିବା ଜଣାପଡିଛି।

ଶୁକ୍ରବାର ହିଁ ଏହା ସ୍ପଷ୍ଟ ହୋଇଯାଇଥିଲା ଯେ କଂଗ୍ରେସ ସଭାପତି ପଦ ପାଇଁ ଖଡଗେ ଏବଂ ଶଶି ଥରୁରଙ୍କ ମଧ୍ୟରେ ସିଧାସଳଖ ଲଢ଼େଇ ହେବ। ଖଡଗେ କର୍ଣ୍ଣାଟକର ଜଣେ ଦଳିତ ନେତା ଏବଂ ଏହି ପଦ ପାଇଁ ଜଣେ ମୁଖ୍ୟ ଦାବିଦାର ଭାବେ ଉଭା ହୋଇଛନ୍ତି।

କଂଗ୍ରେସ ସଭାପତି ପଦ ପାଇଁ ତୃତୀୟ ପ୍ରାର୍ଥୀ ହେଉଛନ୍ତି କେ.ଏନ୍ ତ୍ରିପାଠୀ, ଯିଏ କି ଝାଡ଼ଖଣ୍ଡର ପୂର୍ବତନ ମନ୍ତ୍ରୀ। ତେବେ ତାଙ୍କୁ ଏହି ନିର୍ବାଚନରେ ​​ଜଣେ ଦୁର୍ବଳ ପ୍ରାର୍ଥୀ ଭାବେ ବିବେଚନା କରାଯାଉଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଖଡଗେ, ଥରୁର ଏବଂ ତ୍ରିପାଠୀ କଂଗ୍ରେସ ସଭାପତି ପଦ ପାଇଁ ନାମାଙ୍କନ ଶେଷ ଦିନରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ।

ଖଡଗେ ୧୪ଟି ସେଟରେ ନାମାଙ୍କନପତ୍ର ଦାଖଲ କରିଥିଲେ। ଅଶୋକ ଗେହଲୋଟ୍, ଦିଗବିଜୟ ସିଂହ, ଏ.କେ ଆଣ୍ଟୋନି, ଅମ୍ବିକା ସୋନି, ମୁକୁଲ ୱାସନିକ ଏବଂ ଜି-୨୩ ସଦସ୍ୟ ଆନନ୍ଦ ଶର୍ମା, ଭୁପେନ୍ଦ୍ର ହୁଡା, ପୃଥ୍ୱୀରାଜ ଚୌହାନ ଏବଂ ମନୀଷ ତିଓ୍ବାରୀଙ୍କ ଭଳି ନେତା ଖଡଗେଙ୍କ ପ୍ରସ୍ତାବକ ଥିଲେ ।

Comments are closed.