କଂଗ୍ରେସରେ ‘ଖଡଗେ’ ଯୁଗ ଆରମ୍ଭ, ସଭାପତି ଭାବେ ଦାୟିତ୍ଵ ନେଲେ ମଲ୍ଲିକାର୍ଜୁନ ଖଡଗେ

ନୂଆଦିଲ୍ଲୀ: କଂଗ୍ରେସରେ ଆଜିଠାରୁ ମଲ୍ଲିକାର୍ଜୁନ ଖଡଗେ ଯୁଗ ଆରମ୍ଭ ହୋଇଛି। ବୁଧବାର ରାଜଧାନୀର କଂଗ୍ରେସ ମୁଖ୍ୟାଳୟରେ ନୂଆ ସଭାପତି ଖଡଗେଙ୍କୁ ନିର୍ବାଚନ ସାର୍ଟିଫିକେଟ ପ୍ରଦାନ କରାଯାଇଛି। ଏଥିସହ ଖଡଗେ କଂଗ୍ରେସ ଦଳର ଜାତୀୟ ସଭାପତି ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି । ପୂର୍ବତନ ସଭାପତି ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ, ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ତାଙ୍କୁ ଦଳର ନେତୃତ୍ବ ପ୍ରଦାନ କରାଯାଇଛି ।

ସଭାପତି ଭାବେ ଖଡଗେ ତାଙ୍କର ପ୍ରଥମ ସମ୍ବୋଧନରେ କହିଛନ୍ତି ଯେ ‘ଆଜି ଦଳ ଜଣେ ଶ୍ରମିକର ପୁଅ, ଜଣେ ସାଧାରଣ କର୍ମଚାରୀକୁ ଯେଉଁ ସମ୍ମାନ ଦେଇଛି ସେଥିପାଇଁ ମୁଁ କୃତଜ୍ଞତା ଜଣାଉଛି।’ କାର୍ଯ୍ୟକ୍ରମ ଆରମ୍ଭରେ ସୋନିଆ ସମସ୍ତ କଂଗ୍ରେସ କର୍ମୀଙ୍କୁ ଧନ୍ୟବାଦ ଜଣାଇବା ସହ ଖଡଗେଙ୍କୁ ଶୁଭେଚ୍ଛା ଜଣାଇଥିଲେ। କଂଗ୍ରେସ କର୍ମୀଙ୍କୁ ଧନ୍ୟବାଦ ଦେଇ ସୋନିଆ କହିଥିଲେ ଯେ ଆପଣମାନେ ଏତେ ବର୍ଷ ଧରି ଯେଉଁ ଭଲପାଇବା, ସମ୍ମାନ ଦେଇଛନ୍ତି ତାହା ମୋ ପାଇଁ ଗୌରବର ବିଷୟ। ମୋ ଜୀବନର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ମୁଁ ଏହା ଅନୁଭବ କରିବି | ସୋନିଆ କହିଛନ୍ତି, ‘ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଯେ ଖଡ଼ଗେ ଜୀଙ୍କ ଠାରୁ ପୂରା ଦଳକୁ ପ୍ରେରଣା ମିଳିବ, ଏକ ବାର୍ତ୍ତା ମିଳିବ ଏବଂ ତାଙ୍କ ନେତୃତ୍ୱରେ କଂଗ୍ରେସ ଶକ୍ତିଶାଳୀ ହେବ।’

ତାଙ୍କ ସମ୍ବୋଧନରେ ଖଡ଼ଗେ ସୋନିଆ ଏବଂ ରାହୁଲଙ୍କ ପ୍ରଶଂସା କରିଥିଲେ। ୟୁପିଏ ସରକାର ଉପରେ ସୋନିଆଙ୍କ ପ୍ରଭାବ ହେଉ ଅଥବା ରାହୁଲଙ୍କ ‘ଭାରତ ଯୋଡ’ ଯାତ୍ରା, ଉଭୟଙ୍କ ଦେଶ ତଥା କଂଗ୍ରେସ ଦଳ ପ୍ରତି ବହୁମୂଲ୍ୟ ଅବଦାନ‌ ରହିଛି ।

କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ ଉପସ୍ଥିତ କଂଗ୍ରେସ କର୍ମୀଙ୍କୁ ଧନ୍ୟବାଦ ଜଣାଇଥିଲେ। ସେ କହିଥିଲେ, ‘ବର୍ତ୍ତମାନ ଏହି ଦାୟିତ୍ୱ (କଂଗ୍ରେସ ସଭାପତି ପଦ) ଖଡଗେ ଜୀଙ୍କ ଉପରେ ଅଛି, ପରିବର୍ତ୍ତନ ହେଉଛି ବିଶ୍ୱର ନିୟମ, ଜୀବନର ପ୍ରତ୍ୟେକ କ୍ଷେତ୍ରରେ ପରିବର୍ତ୍ତନ ଘଟୁଛି ଏବଂ ଭବିଷ୍ୟତରେ ମଧ୍ୟ ଏହା ଜାରି ରହିବ |’

Comments are closed.