ମହମ୍ମଦ ଜୁବେର ଓ ତୀସ୍ତା ସିତଲଓ୍ବାଡଙ୍କ ଗିରଫ ଉପରେ ପ୍ରଶ୍ନ ଉଠାଇଲେ ମମତା

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ବାଦିକ ମହମ୍ମଦ ଜୁବେର ଏବଂ ସାମାଜିକ କର୍ମୀ ତୀସ୍ତା ସିତଲଓ୍ବାଡଙ୍କୁ ଗିରଫ ନେଇ କେନ୍ଦ୍ରକୁ ଭର୍ତ୍ସନା କରିଛନ୍ତି । ଜୁବେର ଏବଂ ସିତଲଓ୍ବାଡଙ୍କୁ କାହିଁକି ଗିରଫ କରାଯାଇଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଯେଉଁମାନେ ଘୃଣା ଏବଂ ହିଂସାର ବାତାବରଣ ସୃଷ୍ଟି କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ । କିନ୍ତୁ ସତ୍ୟର ପର୍ଦ୍ଦାଫାସ୍ କରୁଥିବା ଲୋକଙ୍କୁ ଗିରଫ କରାଯାଉଛି ବୋଲି ସେ କହିଛନ୍ତି।

ଅଲ୍ଟ ନ୍ୟୁଜ୍ ସହପ୍ରତିଷ୍ଠାତା ମହମ୍ମଦ ଜୁବେରଙ୍କୁ ସୋମବାର ଦିଲ୍ଲୀ ପୋଲିସ ଗିରଫ କରିଥିଲା। ସେ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇଛି। ତାଙ୍କୁ ଏକ ଦିନିଆ ପୋଲିସ ହେପାଜତକୁ ପଠାଯାଇଥିଲା। ଯାହାର ଅବଧି ସୋମବାର ସନ୍ଧ୍ୟା ସୁଦ୍ଧା ଶେଷ ହେଉଛି | ଏହା ପରେ ତାଙ୍କୁ କୋର୍ଟରେ ହାଜର କରାଯିବ | ଅନ୍ୟପକ୍ଷରେ ଗୁଜୁରାଟ ପୋଲିସ ନିକଟରେ ମୁମ୍ବାଇରୁ ସାମାଜିକ କର୍ମୀ ତୀସ୍ତା ସିତଲଓ୍ବାଡଙ୍କଉ ଗିରଫ କରିଥିଲା ।

ଗୁଜରାଟ ଦଙ୍ଗା ସହ ଜଡିତ ଏକ ଗୁରୁତ୍ୱପୂର୍ଣ୍ଣ ମାମଲାରେ ସୁପ୍ରିମକୋର୍ଟ ଏହି ଆବେଦନକୁ ଖାରଜ କରିବାର ଗୋଟିଏ ଦିନ ପରେ ତୀସ୍ତା ସିତଲଓ୍ବାଡଙ୍କୁ ଗିରଫ କରାଯାଇଥିଲା । ୨୦୦୨ ଗୁଜୁରାଟ ଦଙ୍ଗାରେ ଗୁଜରାଟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ ୫୯ ଜଣଙ୍କୁ ଏସଆଇଟି ଦେଇଥିବା କ୍ଲିନ୍ ଚିଟକୁ ଚ୍ୟାଲେଞ୍ଜ କରି ଦାୟର ଆବେଦନକୁ ସୁପ୍ରିମକୋର୍ଟ ଶୁକ୍ରବାର ଖାରଜ କରିଦେଇଥିଲେ । ଏକ ଦଶନ୍ଧିରୁ ଅଧିକ ସମୟ ଧରି ଚାଲିଥିବା ଏହି ଆଇନଗତ ଲଢ଼େଇରେ ସିତଲଓ୍ବାଡଙ୍କ ଏନଜିଓ ଆବେଦନକାରୀ ଜାକିଆ ଜାଫ୍ରିଙ୍କୁ ସମର୍ଥନ କରିଥିଲେ।

ଅପରାଧିକ ଷଡଯନ୍ତ୍ର, ଠକେଇ, କୋର୍ଟରେ ମିଥ୍ୟା ପ୍ରମାଣ ଦେବା ଅଭିଯୋଗରେ ସିତଲଓ୍ବାଡଙ୍କୁ ଗୁଜୁରାଟ ପୋଲିସ ଗିରଫ କରିଥିଲା। ଏହି ମାମଲା ଗୁଜୁରାଟ ଦଙ୍ଗା ସହ ଜଡିତ। ଅଗ୍ନିପଥ ଯୋଜନା ସମ୍ପର୍କରେ ମମତା ବାନାର୍ଜୀ ମଧ୍ୟ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ୨୦୨୪ ନିର୍ବାଚନ ପୂର୍ବରୁ ଅଗ୍ନିପଥ ଏକ ବଡ଼ ଘୋଟାଲା। ସେ ଏହାକୁ ‘ଜୁମଲା ରାଜନୀତି’ର ଏକ ଉଦାହରଣ ବୋଲି କହିଛନ୍ତି।

Comments are closed.