ବିଜେପିର ‘ପାପ’ର ପରିଣାମ ସାଧାରଣ ଲୋକ ଭୋଗୁଛନ୍ତି: ମମତା

କୋଲକାତା: ପ୍ରଫେଟ୍ ମହମ୍ମଦ ଉପରେ ବିବାଦୀୟ ମନ୍ତବ୍ୟ ନେଇ ଶୁକ୍ରବାର ହାଓ୍ବଡା ଜିଲ୍ଲାରେ ଘଟିଥିବା ହିଂସାକାଣ୍ଡ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପିକୁ ଟାର୍ଗେଟ କରିଛନ୍ତି । ମମତା କହିଛନ୍ତି ଏହି ହିଂସା ପଛରେ କିଛି ରାଜନୈତିକ ଦଳ ଅଛନ୍ତି । ରାଜ୍ୟରେ ଦଙ୍ଗା ସୃଷ୍ଟି କରିବାକୁ ଉଦ୍ୟମ କରୁଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ତଥା ଏହି ଘଟଣାରେ ଆରମ୍ଭ ହୋଇଥିବା ହିଂସାତ୍ମକ ବିରୋଧ ପ୍ରସଙ୍ଗରେ ଦୁଇ ବିଜେପି ନେତାଙ୍କ ଉପରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ନେଇ ମମତା ପଚାରିଛନ୍ତି – ବିଜେପି କରିଥିବା ‘ପାପ’ର ପରିଣାମ ସାଧାରଣ ଲୋକ କାହିଁକି ଭୋଗିବେ?

ମମତା ବାନାର୍ଜୀ ଟୁଇଟ୍ କରି କହିଛନ୍ତି ଯେ ଗତ ଦୁଇ ଦିନ ମଧ୍ୟରେ ହାୱାଡାରେ ଘଟିଥିବା ହିଂସାକାଣ୍ଡରେ ସାଧାରଣ ଜୀବନ ପ୍ରଭାବିତ ହୋଇଛି। ଏହା ପଛରେ କିଛି ରାଜନୈତିକ ଦଳ ଅଛନ୍ତି ଯାହା ଦଙ୍ଗା ସୃଷ୍ଟି କରିବାକୁ ଚାହୁଁଛି | କିନ୍ତୁ ଏହାକୁ ବରଦାସ୍ତ କରାଯିବ ନାହିଁ। ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସାଧାରଣ ଜନତା କାହିଁକି ବିଜେପି ଦ୍ୱାରା କରାଯାଇଥିବା ପାପର ଶିକାର ହେବେ?

ଉଲ୍ଲେଖଯୋଗ୍ୟ, ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ନେଇ ଅନ୍ତର୍ଜାତୀୟ ସ୍ତରରେ ଝଡ଼ ସୃଷ୍ଟି ହେବା ପରେ ବିଜେପି ଏହାର ଜାତୀୟ ମୁଖପାତ୍ର ନୂପୁର ଶର୍ମାଙ୍କୁ ଦଳରୁ ନିଲମ୍ବିତ କରିଥିବା ବେଳେ ଦିଲ୍ଲୀ ଗଣମାଧ୍ୟମ ମୁଖ୍ୟ ନବୀନ କୁମାର ଜିନ୍ଦଲଙ୍କୁ ବହିଷ୍କୃତ କରାଯାଇଥିଲା ।

ଏହା ସତ୍ତ୍ୱେ ଶୁକ୍ରବାର ପଶ୍ଚିମବଙ୍ଗର ହାୱଡା ସହ ଦେଶର ଅନେକ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ ହୋଇଥିଲା। ହାଓ୍ବଡାରେ ବିକ୍ଷୋଭ ହିଂସାର ରୂପ ନେଇଥିଲା । ଏହାକୁ ରୋକିବା ପାଇଁ ପୋଲିସକୁ ଲାଠି ଚାର୍ଜ କରିବାକୁ ପଡ଼ିଥିଲା | ଏହାର ଜବାବରେ ବିକ୍ଷୋଭକାରୀମାନେ ପଥରମାଡ଼ କରିଥିଲେ । ସେମାନେ ପୋଲିସ ଗାଡିରେ ନିଆଁ ଲଗାଇ ଦେଇଥିଲେ। ସରକାରୀ ସମ୍ପତ୍ତି ମଧ୍ୟ ନଷ୍ଟ କରିଥିଲେ |

Comments are closed.