ପ୍ରେମିକାକୁ ହତ୍ୟା କରି ୩୫ ଖଣ୍ଡ କଲା ପ୍ରେମିକ, ୧୮ ଦିନ ଧରି ବିଭିନ୍ନ ସ୍ଥାନରେ ଫିଙ୍ଗିଲା

ନୂଆଦିଲ୍ଲୀ: ପ୍ରଥମେ ପ୍ରେମ, ପରେ ଲିଭ୍ ଇନ୍ ସମ୍ପର୍କ ଓ ଏହା ପରେ ବୀଭତ୍ସ ହତ୍ୟା । ଜଣେ ଯୁବକ ନିଜ ପ୍ରେମିକାକୁ ହତ୍ୟା କରି ମୃତଦେହକୁ ୩୫ ଖଣ୍ଡ କରି ବିଭିନ୍ନ ସ୍ଥାନରେ ଫିଙ୍ଗିବା ଭଳି ଏକ ଲୋମ ଟାଙ୍କୁରା ଘଟଣା ସାମ୍ନାକୁ ଆସିଛି । ନିଜ ୨୬ ବର୍ଷୀୟା ଲିଭ-ଇନ୍ ପାର୍ଟନର ଶ୍ରଦ୍ଧା ୱାକରଙ୍କୁ ହତ୍ୟା କରି ମୃତଦେହକୁ ଗାଏବ କରିବା ଅଭିଯୋଗରେ ପୋଲିସ ଆଫତାବ ଆମିନ ପୁନାୱାଲା ନାମକ ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ ଆଫତାବଙ୍କ ବିରୋଧରେ ପୋଲିସ ହତ୍ୟା ମାମଲା ରୁଜୁ କରିଛି ଏବଂ ଶ୍ରଦ୍ଧାଙ୍କ ମୃତଦେହ ଖୋଜା ଚାଲିଛି। ପାଞ୍ଚ ମାସ ପରେ ଏହି ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ ହୋଇଛି ।

ଅଭିଯୁକ୍ତର ବୟସ ୨୮ ବର୍ଷ ଏବଂ ସେ ମୁମ୍ବାଇର ବାସିନ୍ଦା। ପୋଲିସ ସୂତ୍ରରୁ ପ୍ରକାଶ, ଆଫତାବ ଶ୍ରଦ୍ଧାଙ୍କୁ ହତ୍ୟା କରି ତାଙ୍କ ଶରୀରକୁ ୩୫ ଖଣ୍ଡ କରି ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ଫିଙ୍ଗି ଦେଇଥିଲା। ନଭେମ୍ବର ୮ରେ ୫୯ ବର୍ଷୀୟ ବିକାଶ ମଦନ ୱାକର ଦିଲ୍ଲୀର ମେହେରୁଲି ପୋଲିସ ଷ୍ଟେସନରେ ତାଙ୍କ ଝିଅକୁ ଅପହରଣ ନେଇ ଅଭିଯୋଗ ଦେଇଥିଲେ ।

୨୬ ବର୍ଷୀୟା ଶ୍ରଦ୍ଧା ୱାକର ମୁମ୍ବାଇର ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ କଲ ସେଣ୍ଟରରେ କାମ କରୁଥିଲେ | ଏହି ସମୟରେ ଶ୍ରଦ୍ଧା ଆଫତାବ ଆମିନଙ୍କୁ ଭେଟିଥିଲେ। ଉଭୟଙ୍କ ମଧ୍ୟରେ କ୍ରମେ ଘନିଷ୍ଠତା ବଢ଼ିଥିଲା ଏବଂ ସେମାନେ ଲିଭ-ଇନ୍ ପାର୍ଟନର ଭାବେ ରହିବାକୁ ଲାଗିଲେ । ଏହାକୁ ଶ୍ରଦ୍ଧାଙ୍କ ପରିବାର ବିରୋଧ କରିଥିଲା । ତେଣୁ ଶ୍ରଦ୍ଧା ଓ ଆଫତାବ ମୁମ୍ବାଇ ଛାଡ଼ି ଦିଲ୍ଲୀ ପଳାଇ ଆସିଥିଲେ । ଉଭୟ ମେହେରୁଲିସ୍ଥିତ ଛତରପୁର ଅଞ୍ଚଳରେ ରହିଥିଲେ। କିନ୍ତୁ କିଛି ଦିନ ପରେ ଶ୍ରଦ୍ଧାଙ୍କ ଫୋନ୍ ନମ୍ବର ଲଗାତାର ସୁଇଚ୍ ଅଫ୍ ରହିବାରୁ ପରିବାର ଲୋକଙ୍କ ସନ୍ଦେହ ବଢିଥିଲା ।

ଶ୍ରଦ୍ଧା ୱାକରଙ୍କ ବାପା କହିଛନ୍ତି ଯେ ସେ ତାଙ୍କ ପରିବାର ସହିତ ମହାରାଷ୍ଟ୍ରର ପାଲଗରରେ ରୁହନ୍ତି। ନଭେମ୍ବର ୮ ରେ ଯେତେବେଳେ ସେ ଛତରପୁରର ଶ୍ରଦ୍ଧାଙ୍କ ଫ୍ଲାଟରେ ପହଞ୍ଚିଥିଲେ, ଫ୍ଲାଟର କବାଟରେ ତାଲା ଝୁଲୁଥିବା ଦେଖିବାକୁ ପାଇଥିଲେ। ତା’ପରେ ସେ ମେହେରୁଲି ପୋଲିସ ଥାନାରେ ଝିଅ ନିଖୋଜ ନେଇ ଏତଲା ଦେଇଥିଲେ । ଶନିବାର ଆଫଫାବଙ୍କୁ ତାଙ୍କ ଫ୍ଲାଟରୁ ପୋଲିସ ଗିରଫ କରିଥିଲା ।

ପୋଲିସର ସୂଚନାନୁସାରେ, ଆଫତାବ କହିଛନ୍ତି ଯେ ଶ୍ରଦ୍ଧା ତାଙ୍କୁ ବିବାହ କରିବାକୁ ବାରମ୍ବାର ଚାପ ପକାଉଥିଲେ। ଏନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହେଉଥିଲା | ମେ ୧୮ରେ ଝଗଡ଼ା ବେଳେ ସେ ଶ୍ରଦ୍ଧାଙ୍କୁ ଗଳା ଚିପି ହତ୍ୟା କରିଥିଲେ। ଏହା ପରେ ମୃତଦେହକୁ ୩୫ ଖଣ୍ଡ କରି ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ଫିଙ୍ଗି ଦେଇଥିଲେ।

ଆଫତାବ ପୋଲିସ ଆଗରେ କହିଛି ଯେ ସେ ୧୮ ଦିନ ଧରି ଶ୍ରଦ୍ଧାଙ୍କ ଶରୀରର ଅଂଶ ବିଭିନ୍ନ ସ୍ଥାନରେ ଫିଙ୍ଗିଥିଲେ। ଏଥିପାଇଁ ସେ ପ୍ରତ୍ୟହ ରାତି ୨ଟା ପରେ ଫ୍ଲାଟରୁ ବାହାରୁଥିଲେ । ମୃତ ଶରୀରକୁ ଖଣ୍ଡ ଖଣ୍ଡ କରିବା ପରେ ତାହା ରଖିବା ପାଇଁ ସେ ଏକ ବଡ ୩୦୦ ଲିଟର ଫ୍ରିଜ୍ କିଣିଥିଲେ | ମୃତ ଦେହର ଦୁର୍ଗନ୍ଧ ଯେପରି ବ୍ୟାପିବନି ସେ ଘରେ ଅଧିକାଂଶ ସମୟରେ ଧୂପକାଠି ଜାଳି ଲଗାଉଥିଲା ।

Comments are closed.