ଉତ୍ତର ପ୍ରଦେଶରେ ଶ୍ରଦ୍ଧା ହତ୍ୟାକାଣ୍ଡ ଭଳି ମାମଲା, ପ୍ରେମିକାକୁ ହତ୍ୟା କରିବା ପରେ ୬ ଖଣ୍ଡ କଲା ଯୁବକ

ଆଜମଗଡ: ଦିଲ୍ଲୀର ଶ୍ରଦ୍ଧା ହତ୍ୟାକାଣ୍ଡକୁ ନେଇ ଚର୍ଚ୍ଚା ଥମିନଥିବା ବେଳେ ଉତ୍ତର ପ୍ରଦେଶର ଆଜମଗଡରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି । ଜଣେ ଯୁବକ ତାର ପ୍ରେମିକାଙ୍କୁ ହତ୍ୟା କରି ମୃତଦେହକୁ ଛଅ ଖଣ୍ଡ କରି କାଟି କୂଅରେ ଫିଙ୍ଗି ଦେଇଛି | ପ୍ରେମିକା ଅନ୍ୟତ୍ର ବିବାହ କରିବାରୁ ଯୁବକ ଜଣକ ଏଭଳି ବୀଭତ୍ସ କାଣ୍ଡ ଭିଆଇଛି । ଆଜମଗଡ ଜିଲ୍ଲାରେ ଅହରୁଲା ପୋଲିସ ଥାନା ଅଞ୍ଚଳରେ ଜଣେ ପ୍ରେମିକା ପ୍ରଥମେ ତା’ର ପ୍ରେମିକାକୁ ଗଳା କାଟି ହତ୍ୟା କରିଥିଲା। ପରେ ମୃତଦେହକୁ ଆଖୁ କ୍ଷେତକୁ ନେଇ ଛଅ ଖଣ୍ଡ କରି କାଟିଥିଲା।

ଆଜମଗଡ ଏସପି ଅନୁରାଗ ଆର୍ଯ୍ୟ କହିଛନ୍ତି ଯେ ନଭେମ୍ବର ୧୬ରେ ଗୌରୀ ଗାଁର ଏକ କୂଅରେ ଖଣ୍ଡ ବିଖଣ୍ଡିତ ମୃତଦେହ ମିଳିଥିଲା। ମୃତଦେହ ଉକ୍ତ ଅଞ୍ଚଳର ଇଶାପୁର ଗାଁର ବାସିନ୍ଦା କେଦାର ପ୍ରଜାପତିଙ୍କ ଝିଅ ଆରାଧନାର ବୋଲି ଜଣାପଡିଥିଲା । ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ପ୍ରିନ୍ସ ଯାଦବଙ୍କୁ ପୋଲିସ ଗିରଫ କରିଛି । ପଚରାଉଚରା ବେଳେ ସେ ଆରାଧନାକୁ ହତ୍ୟା କରିଥିବା ମାନିଛି ।

ଏସପି ଆର୍ଯ୍ୟ ସୂଚନା ଅନୁଯାୟୀ ଆରାଧନାଙ୍କ ସହ ଅଭିଯୁକ୍ତ ପ୍ରିନ୍ସ ଯାଦବର ପୂର୍ବରୁ ପ୍ରେମ ସମ୍ପର୍କ ଥିଲା। କିନ୍ତୁ ଆରାଧନା ଆଉ ଜଣେ ଯୁବକଙ୍କୁ ବିବାହ କରିବାରୁ ପ୍ରିନ୍ସ ପ୍ରତିଶୋଧ ପରାୟଣ ହୋଇଉଠିଥିଲା । ପୂର୍ବ ଯୋଜନା ମୁତାବକ ସେ ଆରାଧନାଙ୍କୁ ହତ୍ୟା କରିଥିଲା । ଏହି ହତ୍ୟାକାଣ୍ଡରେ ପ୍ରିନ୍ସକୁ ତା’ର ବାପା,ମା, ଭଉଣୀ, ମାମୁଁ ପୁଅ ଭାଇ ଓ ତାର ପତ୍ନୀ ସହଯୋଗ କରିଥିଲେ । ଏହି ମାମଲାରେ ୫ ଜଣ ମହିଳାଙ୍କ ସମେତ ଆଉ ୮ ଜଣ ଅଭିଯୁକ୍ତ ଫେରାର ଅଛନ୍ତି ।

Comments are closed.