କୋଭିଡ୍-୧୯: ରାଜ୍ୟମାନଙ୍କୁ ସତର୍କ ରହିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପରାମର୍ଶ, ଏପ୍ରିଲ ୧୦, ୧୧ରେ ହେବ ‘ମକ୍ ଡ୍ରିଲ୍’

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟ ରାଜ୍ୟମାନଙ୍କୁ ସତର୍କ ରହିବା ସହ କୋଭିଡ୍-୧୯ ପରିଚାଳନା ପାଇଁ ପ୍ରସ୍ତୁତ ହେବାକୁ କହିଛନ୍ତି।

ଦେଶରେ କୋଭିଡ-୧୯ ସ୍ଥିତିର ସମୀକ୍ଷା ପାଇଁ ମାଣ୍ଡବୀୟ ଶୁକ୍ରବାର ସବୁ ରାଜ୍ୟ ଓ‌ କେନ୍ଦ୍ର ଶାସିତ ଅଞ୍ଚଳର ସ୍ବାସ୍ଥ୍ୟମନ୍ତ୍ରୀ ମାନଙ୍କ ସହ ଏକ ଭର୍ଚୁଆଲ ବୈଠକ କରିଥିଲେ ‌। ଅଧିକ ମାମଲା ରିପୋର୍ଟ ହେଉଥିବା ଅଞ୍ଚଳ ଗୁଡ଼ିକୁ ଚିହ୍ନଟ କରିବା, ଟେଷ୍ଟିଂ ବୃଦ୍ଧି କରିବା ଓ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡ଼ିକର ପ୍ରସ୍ତୁତି ନିଶ୍ଚିତ କରିବାକୁ ରାଜ୍ୟମାନଙ୍କୁ କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ। ଏହାଛଡ଼ା ସେ ଟିକାକରଣକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଛନ୍ତି।

କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜିନୋମ ସିକ୍ୱେନ୍ସିଂ ଏବଂ ପଜିଟିଭ୍ ନମୁନାଗୁଡ଼ିକର ପୁରା ଜିନୋମ ସିକ୍ବେନ୍ସିଂ ବଢ଼ାଇବା ସହିତ କୋଭିଡ୍ ନିୟମ ପାଳନ କରିବା ପାଇଁ ସଚେତନତା ସୃଷ୍ଟି କରିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ |

ମାଣ୍ଡବୀୟ କହିଛନ୍ତି ଯେ ଗତ ଥର କୋଭିଡ-୧୯ର ପ୍ରତିଷେଧକ ବ୍ୟବସ୍ଥା ଏବଂ ପରିଚାଳନା ସମୟରେ କେନ୍ଦ୍ର ଏବଂ ରାଜ୍ୟ ଯେପରି ମିଳିତ ଭାବେ କାର୍ଯ୍ୟ କରିଥିଲେ ତାହା ଜାରି ରହିବା ଆବଶ୍ୟକ।

ଏପ୍ରିଲ ୧୦ ଓ ୧୧ରେ ସମସ୍ତ ଡ଼ାକ୍ତରଖାନାରେ ‘ମକ୍ ଡ୍ରିଲ୍’ କରିବା ସହ ଏପ୍ରିଲ୍ ୮, ୯ରେ ଜିଲ୍ଲା ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ପ୍ରସ୍ତୁତି ସମୀକ୍ଷା କରିବାକୁ ସେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କୁ କହିଛନ୍ତି ।

Comments are closed.