ମହିଳା ବିଶ୍ୱକପ: ମନ୍ଧାନା ଓ ହରମନପ୍ରୀତ ଦେଲେ ଭାରତକୁ ବୃହତ ବିଜୟ, ୱେଷ୍ଟଇଣ୍ଡିଜକୁ ୧୫୫ ରନରେ ହରାଇଲା ଟିମ୍ ଇଣ୍ଡିଆ

ହାମିଲଟନ: ସ୍ମୃତି ମନ୍ଧାନା ଓ ହରମନପ୍ରୀତ କୌରଙ୍କ ଚମତ୍କାର ଶତକ ବଳରେ ଶନିବାର ଆଇସିସି ମହିଳା ବିଶ୍ୱକପ୍‌ର ତୃତୀୟ ଲିଗ୍‌ ମ୍ୟାଚ୍‌ରେ ଭାରତୀୟ ମହିଳା କ୍ରିକେଟ୍ ଦଳ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ୱେଷ୍ଟଇଣ୍ଡିଜକୁ ୧୫୫ ରନରେ ହରାଇଛି।

ହାମିଲଟନରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତୀୟ ଦଳର ଅଧିନାୟକ ମିତାଲି ରାଜ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୮ ଓ୍ବିକେଟ୍ ହରାଇ ୩୧୭ ରନର ବିଶାଳ ସ୍କୋର୍ କରିଥିଲା । ଦଳ ପକ୍ଷରୁ ମନ୍ଧାନା ୧୧୯ ବଲରେ ୧୩ଟି ଚୌକା ଓ ୨ଟି ଚକା ସହାୟତାରେ ୧୨୩ ରନ୍ କରିଥିବା ବେଳେ ହରମନପ୍ରୀତ ୧୦୭ ବଲରେ ୧୦ଟି ଚୌକା ଓ ୨ଟି ଚକା ବଳରେ ୧୦୯ ରନ୍ କରିଥିଲେ । ଉଭୟଙ୍କ ମଧ୍ୟରେ ୧୮୪ ରନ୍ ର ଭାଗିଦାରୀ କରିଥିଲେ | ମହିଳା ବିଶ୍ୱକପରେ ଯେକୌଣସି ୱିକେଟ୍ ପାଇଁ ଏହା ହେଉଛି ଭାରତର ସର୍ବୋଚ୍ଚ ଭାଗିଦାରୀ ।

୩୧୮ ରନର ଲକ୍ଷ୍ୟକୁ ପିଛା କରି ୱେଷ୍ଟଇଣ୍ଡିଜ୍ ଦଳ ଭଲ ଆରମ୍ଭ କରିଥିଲା ​​| ହେଲେ ପରବର୍ତ୍ତୀ ସମୟରେ ବିଶାଳ ସ୍କୋରର ଚାପରେ ନିୟମିତ ଓ୍ବିକେଟ୍ ହରାଇ ୪୦.୩ ଓଭରରେ ୧୬୨ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା ।

ୱେଷ୍ଟଇଣ୍ଡିଜ୍ ପକ୍ଷରୁ ଡାଏଣ୍ଡ୍ରା ଡୋଟିନ୍ ସର୍ବାଧିକ ୬୨ ରନ୍ କରିଥିବା ବେଳେ ମାଥ୍ୟୁ ୪୩ ରନ୍ କରିଥିଲେ। ଏହି ଦୁଇ ବ୍ୟାଟରଙ୍କ ବ୍ୟତୀତ କୌଣସି ବ୍ୟାଟ୍ସମ୍ୟାନ୍ ୨୫ ରନ୍ ମଧ୍ୟ ଅତିକ୍ରମ କରିପାରିନଥିଲେ। ଟିମ୍ ଇଣ୍ଡିଆ ପାଇଁ ସ୍ନେହ ରାଣା ସର୍ବାଧିକ ତିନିଟି ୱିକେଟ୍ ନେଇଥିଲେ। ମେଘନା ସିଂ ୨ଟି ୱିକେଟ୍ ନେଇଥିବା ବେଳେ ଝୁଲନ୍, ରାଜେଶ୍ୱରୀ ଏବଂ ପୂଜା ୧-୧ ଓ୍ବିକେଟ୍ ପାଇଥିଲେ ।

ଚଳିତ ବିଶ୍ବକପରେ ଏହା ଭାରତର ଦ୍ଵିତୀୟ ବିଜୟ । ଏହି ବଡ଼ ବିଜୟ ସହ ଭାରତ ପଏଣ୍ଟ ଟେବୁଲର ଶୀର୍ଷକୁ ଉନ୍ନୀତ ହୋଇଛି । ଅନ୍ୟପକ୍ଷରେ କ୍ରମାଗତ ଦୁଇଟି ବିଜୟ ପରେ ୱେଷ୍ଟଇଣ୍ଡିଜର ଏହା ପ୍ରଥମ ପରାଜୟ ।

Comments are closed.