ହିଂସା ମଧ୍ୟରେ ବଦଳିଲେ ମଣିପୁର ପୋଲିସ ଡିଜି

ଇମ୍ଫାଲ: ମଣିପୁରରେ ଜାତିଗତ ହିଂସା ମଧ୍ୟରେ ପୋଲିସ ପ୍ରଶାସନ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି। ରାଜୀବ ସିଂହଙ୍କୁ ମଣିପୁରର ନୂଆ ପୋଲିସ ମହାନିର୍ଦ୍ଦେଶକ କରାଯାଇଛି। ସେ ପି.ଡୋଙ୍ଗେଲଙ୍କ ସ୍ଥାନ ନେଇଛନ୍ତି ।ଡୋଙ୍ଗେଲ ଗୃହ ମନ୍ତ୍ରଣାଳୟକୁ ବଦଳି ହୋଇଛନ୍ତି ।

ରାଜୀବ ସିଂହ ତ୍ରିପୁରା କ୍ୟାଡରର ଆଇପିଏସ୍ ଅଧିକାରୀ ଓ ସିଆରପିଏଫର ପୂର୍ବତନ ଆଇଜି ‌। ରାଜୀବ ସିଂହଙ୍କୁ ମେ ୨୯ରେ କେନ୍ଦ୍ରରୁ ମଣିପୁରକୁ ପଠାଯାଇଥିଲା। ତାଙ୍କୁ ଇଣ୍ଟର କ୍ୟାଡର ଡେପୁଟେସନରେ ମଣିପୁର ପଠାଯାଇଥିଲା ।

ଏହାପୂର୍ବରୁ କେନ୍ଦ୍ର ସରକାର ପୂର୍ବତନ ସିଆରପିଏଫ୍ ମୁଖ୍ୟ କୁଲଦୀପ ସିଂଙ୍କୁ ମଣିପୁର ସରକାରଙ୍କ ସୁରକ୍ଷା ପରାମର୍ଶଦାତା ଭାବରେ ନିଯୁକ୍ତ କରିଥିଲେ।

ମେଟେଇ ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ପ୍ରଦାନ ନେଇ ବିଚାର କରିବାକୁ ମଣିପୁର ହାଇକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେବା ପରେ ରାଜ୍ୟରେ ହିଂସା ଆରମ୍ଭ ହୋଇଥିଲା।

ଗତ ମାସ ଆରମ୍ଭରେ ରାଜ୍ୟର କୁକି ଏବଂ ମେଟେଇ ସମ୍ପ୍ରଦାୟ ମଧ୍ୟରେ ହିଂସାତ୍ମକ ସଂଘର୍ଷ ଘଟିଥିଲା।

ହିଂସାରେ ଏପର୍ଯ୍ୟନ୍ତ ଅତି କମରେ ୮୦ ଜଣଙ୍କର ମୃତ୍ୟୁ ହୋଇଛି। ଏଥିପାଇଁ ହଜାର ହଜାର ଲୋକ ଘର ଛାଡ଼ି ପଳାଇବାକୁ ବାଧ୍ୟ ହୋଇଛନ୍ତି |

Comments are closed.