ମଦ ଦୁର୍ନୀତି ମାମଲା: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗିରଫ

ନୂଆଦିଲ୍ଲୀ: ଆପ୍ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଯାହା ଆଶଙ୍କା କରୁଥିଲେ ତାହା ସତ ହୋଇଛି । ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସିବିଆଇ ଗିରଫ କରିଛି। ଆଜି ଏହି ମାମଲାରେ ପଚରାଉଚରା ପାଇଁ ସିସୋଦିଆଙ୍କୁ ଡ଼ାକିଥିଲା ସିବିଆଇ । ପ୍ରାୟ ୮ ଘଣ୍ଟା ଧରି ଜେରା କରିବ ପରେ ସିସୋଦିଆଙ୍କୁ ଗିରଫ କରାଯାଇଛି।

ସିବିଆଇ ମୁଖ୍ୟାଳୟକୁ ଜେରା ପାଇଁ ଘରୁ ବାହାରିବା ପୂର୍ବରୁ ସିସୋଦିଆ ତାଙ୍କ ମାଙ୍କୁ ଭେଟି ଆଶୀର୍ବାଦ ଲୋଡିଥିଲେ। ଏହା ପରେ ସେ ଶତାଧିକ ଦଳୀୟ କର୍ମୀଙ୍କ ସହ ଏକ ରୋଡ୍ ସୋ କରି ସିବିଆଇ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଆପ୍ କର୍ମକର୍ତ୍ତା ସିବିଆଇ ମୁଖ୍ୟାଳୟ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଏବଂ କେନ୍ଦ୍ର ବିରୋଧରେ ସ୍ଲୋଗାନ ଦେଇଥିଲେ।
ଆଇନ ଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ପୋଲିସ ୧୪୪ ଧାରା ଲାଗୁ କରିଥିଲା। ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବା ଗୋପାଳ ରାୟ ଏବଂ ସାଂସଦ ସଞ୍ଜୟ ସିଂଙ୍କ ସମେତ ଆପର ଅନେକ ନେତାଙ୍କୁ ପୋଲିସ ହେପାଜତକୁ ନେଇଥିଲା ।

ସିସୋଦିଆଙ୍କୁ ସିବିଆଇ ଗିରଫ କରିପାରେ ବୋଲି କେଜ୍ରିୱାଲ ଦୁଇ ଦିନ ତଳେ ଏକ ଘରୋଇ ଟିଭି ଚ୍ୟାନେଲ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ କହିଥିଲେ ।

ମଦ ଦୁର୍ନୀତି ମାମଲାରେ ଗତ ବର୍ଷ ଅକ୍ଟୋବର ୧୭ରେ ମଧ୍ୟ ସିସୋଦିଆଙ୍କୁ ଜେରା କରାଯାଇଥିଲା।

ଏହି ମାମଲାରେ ସିବିଆଇ ମନୀଷ ସିସୋଦିଆ ଏବଂ ଅନ୍ୟ ୧୪ ଜଣଙ୍କ ବିରୋଧରେ ଗତବର୍ଷ ଅଗଷ୍ଟ ୧୯ରେ ମାମଲା ରୁଜୁ କରିଥିଲା। ଏଥିରେ ତତ୍କାଳୀନ ଅବକାରୀ କମିଶନରଙ୍କ ସମେତ ତିନିଜଣ ଅଧିକାରୀ, ଦୁଇ କମ୍ପାନୀ ଏବଂ ନଅ ଜଣ ବ୍ୟବସାୟୀ ସାମିଲ ରହିଥିଲେ।

ତଦନ୍ତ ଏଜେନ୍ସି ଅଭିଯୋଗ କରିଥିଲା ଯେ ନୂଆ ମଦ ନୀତି ଲାଗୁ ହେବା ପରେ ରାଜକୋଷକୁ କ୍ଷତି ହୋଇଛି। ଏହାଛଡ଼ା ଲାଇସେନ୍ସପ୍ରାପ୍ତ ମଦ ବିକ୍ରେତାଙ୍କୁ ଅଯଥା ଅନୁକମ୍ପା ଦେବା ଉଦ୍ଦେଶ୍ୟରେ ନୂଆ ମଦ ନୀତିରେ ବାରମ୍ବାର ପରିବର୍ତ୍ତନ କରାଯାଇଥିଲା ।

Comments are closed.