ମାର୍ଗାରେଟ୍ ଆଲଭା ବିରୋଧୀ ମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀ ମେଣ୍ଟ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି । ବିରୋଧୀ ଦଳ ମାର୍ଗାରେଟ୍ ଆଲଭାଙ୍କୁ ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ଭାବେ ବାଛିଛନ୍ତି। ଏନସିପି ସଭାପତି ଶରଦ ପାୱାର ମାର୍ଗେଟ ମାର୍ଗାରେଟ୍ ଆଲଭାଙ୍କ ନାମ ଘୋଷଣା କରିଛନ୍ତି। ମାର୍ଗାରେଟ୍ ଆଲଭା ପୂର୍ବରୁ ଗୋଆର ରାଜ୍ୟପାଳ ରହିଆସିଛନ୍ତି।

ମାର୍ଗାରେଟ୍ ଆଲଭା ୧୪ ଏପ୍ରିଲ ୧୯୪୨ରେ କର୍ଣ୍ଣାଟକର ମାଙ୍ଗାଲୋରରେ ଜନ୍ମଗ୍ରହଣ କରିଥିଲେ। ସେ କର୍ଣ୍ଣାଟକରେ ନିଜ ଶିକ୍ଷା ସମାପ୍ତ କରିଥିଲେ। ଏହା ପରେ ମାର୍ଗାରେଟ୍ କଂଗ୍ରେସରେ ଯୋଗ ଦେଇଥିଲେ । କଂଗ୍ରେସ ତାଙ୍କୁ ରାଜ୍ୟସଭାକୁ ପଠାଇଥିଲା। ସେ ବିଭିନ୍ନ ମନ୍ତ୍ରଣାଳୟ ସହ ଜଡ଼ିତ କମିଟିର ସଦସ୍ୟ ଥିଲେ। ୧୯୭୫ରେ କଂଗ୍ରେସ ତାଙ୍କୁ ଦଳର ସାଧାରଣ ସମ୍ପାଦକ ମଧ୍ୟ କରିଥିଲା। ଆଲଭା ଚାରିଥର ରାଜ୍ୟସଭା ସଦସ୍ୟ ଥିଲେ। ସେ ୧୯୯୯ରେ ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।

ଉଲ୍ଲେଖଯୋଗ୍ୟ, ଶନିବାର ଏନଡିଏ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖରଙ୍କୁ ନିଜ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଚୟନ କରିଥିଲା । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପସ୍ଥିତିରେ ଆୟୋଜିତ ବିଜେପି ସଂସଦୀୟ ବୋର୍ଡ ବୈଠକରେ ଧନଖରଙ୍କ ନାମରେ ମୋହର ଲାଗିଥିଲା ।

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ଜୁଲାଇ ୧୯ରେ ଶେଷ ହେବ । ଜୁଲାଇ ୨୦ରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ। ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଥିବା ପ୍ରାର୍ଥୀମାନେ ଚାହିଁଲେ ଜୁଲାଇ ୨୨ ପୂର୍ବରୁ ସେମାନଙ୍କ ନାମାଙ୍କନପତ୍ର ପ୍ରତ୍ୟାହାର କରିପାରିବେ। ଦେଶର ପରବର୍ତ୍ତୀ ଉପରାଷ୍ଟ୍ରପତି ବାଛିବା ପାଇଁ ଅଗଷ୍ଟ ୬ ରେ ମତଦାନ ଅନୁଷ୍ଠିତ ହେବ।

Comments are closed.