ମେଡିକାଲ କଲେଜରେ ପାର୍ଟି ସାଜିଲା ‘ସୁପର ସ୍ପ୍ରେଡର୍’, ଆକ୍ରାନ୍ତଙ୍କ ସଂଖ୍ୟା ୧୮୨କୁ ବୃଦ୍ଧି

ବେଙ୍ଗାଲୁରୁ: କର୍ଣ୍ଣାଟକର ଧରୱାଡର ଏକ ମେଡିକାଲ କଲେଜରେ ଅନୁଷ୍ଠିତ ଏକ ପାର୍ଟି ସେଠାରେ କରୋନା ସଂକ୍ରମଣର ‘ସୁପର ସ୍ପ୍ରେଡର୍’ ସାଜିଛି। ଗୋଟିଏ ଦିନରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ତିନି ଗୁଣ ବୃଦ୍ଧି ପାଇଛି । ଏହି କଲେଜ ଏବେ ଏକ କୋଭିଡ-୧୯ କ୍ଲଷ୍ଟରରେ ପରିଣତ ହୋଇଛି | ଅଧିକାରୀମାନେ କହିଛନ୍ତି ଯେ କଲେଜରେ କରୋନା ସଂକ୍ରମିତ ଛାତ୍ରଙ୍କ ସଂଖ୍ୟା ୬୬ ରୁ ଏବେ ୧୮୨କୁ ବୃଦ୍ଧି ପାଇଛି।

ଅଧିକାରୀଙ୍କ କହିବାନୁସାରେ, ସଂକ୍ରମିତଙ୍କ ମଧ୍ୟରୁ ଅଧିକାଂଶ ପୂର୍ଣ୍ଣ ଡୋଜ୍ ଟିକା ନେଇଥିଲେ | ଅଧିକାରୀମାନେ କହିଛନ୍ତି ଯେ ନିକଟରେ ଏହି କଲେଜ ଭିତରେ ଅନୁଷ୍ଠିତ ଏକ ଫ୍ରେସର ପାର୍ଟି ଦ୍ୱାରା କରୋନା ବିସ୍ଫୋରଣ ହୋଇଥିଲା। ଏହି ସଂକ୍ରମଣ ପଛରେ ନୂଆ ଷ୍ଟ୍ରେନ୍ ଅଛି କି ନାହିଁ ତାହା ସ୍ପଷ୍ଟ କରିବା ପାଇଁ ସଂକ୍ରମିତ ଛାତ୍ର ଓ ଷ୍ଟାଫ୍ ମାନଙ୍କ ନମୁନାକୁ ଜେନୋମ ସ୍ବିକ୍ବେନ୍ସିଂ ପାଇଁ ପଠାଯାଇଛି ।

ଧରୱାଡର ଏସଡିଏମ କଲେଜ ଅଫ ମେଡିକାଲ ସାଇନ୍ସରେ ଏକ ଫ୍ରେଶର ପାର୍ଟି ପରେ ଗୁରୁବାର ଦିନ ୩୦୦ ଛାତ୍ରଙ୍କ କୋଭିଡ ଟେଷ୍ଟ କରାଯାଇଥିଲା । ଏଥିମଧ୍ୟରୁ ୬୬ ଜଣ ଛାତ୍ରଙ୍କ ରିପୋର୍ଟ ପଜିଟିଭ୍ ହୋଇଥିଲା । ସେମାନେ ସବୁ ଦୁଇ ଡୋଜ୍ ଟିକା ନେଇଥିଲେ ।

ଅଧିକାରୀ କହିଛନ୍ତି ଯେ ସଂକ୍ରମିତ ଲୋକଙ୍କୁ କଲେଜ ପରିସରରେ କ୍ବାରେଣ୍ଟାଇନରେ ରଖାଯାଇଛି ଏବଂ ସତର୍କତା ସ୍ବରୂପ ଦୁଇଟି ହଷ୍ଟେଲକୁ ସିଲ୍ କରାଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଆଜି କଲେଜ ଏବଂ ହସ୍ପିଟାଲରେ ୩୦୦୦ରୁ ଅଧିକ କର୍ମଚାରୀ ଏବଂ ଛାତ୍ରଛାତ୍ରୀଙ୍କ କୋଭିଡ ଟେଷ୍ଟ (କ୍ଲିନିକାଲ୍ ଏବଂ ଅଣ କ୍ଲିନିକାଲ୍) କରିବ |

ସ୍ୱାସ୍ଥ୍ୟ କମିଶନର କହିଛନ୍ତି ଯେ ନଭେମ୍ବର ୧୭ରେ କଲେଜରେ ଏକ ଫ୍ରେଶର୍ ପାର୍ଟି ସଂକ୍ରମଣ ପାଇଁ ଦାୟୀ | ଅଧିକାରୀ କହିଛନ୍ତି ଯେ କୋଭିଡ-ପଜିଟିଭ ରୋଗୀଙ୍କ ସାମାନ୍ୟ କିମ୍ବା କୌଣସି ଲକ୍ଷଣ ନାହିଁ । ସେମାନେ ଘର ଭିତରେ ଚିକିତ୍ସିତ ହେଉଛନ୍ତି।

Comments are closed.