କଂଗ୍ରେସ ଛାଡ଼ିଲେ ମିଲିନ୍ଦ ଦେଓରା, ଏକନାଥ ସିନ୍ଦେଙ୍କ ଶିବସେନାରେ ଯୋଗଦେବା ନେଇ ଚର୍ଚ୍ଚା

ମୁମ୍ବାଇ: ମହାରାଷ୍ଟ୍ରରେ କଂଗ୍ରେସକୁ ଲାଗିଛି ବଡ଼ ଝଟକା। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ନେତା ମିଲିନ୍ଦ ଦେଓରା ଦଳରୁ ଇସ୍ତଫା ଦେଇଛନ୍ତି। ସେ ଏକନାଥ ସିନ୍ଦେଙ୍କ ନେତୃତ୍ଵାଧୀନ ଶିବସେନାରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଛି।

ଦେଓରା ରବିବାର ସକାଳେ କଂଗ୍ରେସରୁ ତାଙ୍କ ଇସ୍ତଫା ସମ୍ପର୍କରେ ସୂଚନା ଦେଇଛନ୍ତି । ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଲେଖିଛନ୍ତି, ‘ଆଜି ମୋର ରାଜନୈତିକ ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଶେଷ ହୋଇଯାଇଛି। ମୁଁ କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛି। ପାର୍ଟି ସହିତ ମୋ ପରିବାରର ୫୫ ବର୍ଷର ସମ୍ପର୍କ ଶେଷ ହୋଇଛି। ବର୍ଷ ବର୍ଷ ଧରି ନିରନ୍ତର ସମର୍ଥନ ପାଇଁ ମୁଁ ସମସ୍ତ ନେତା, ସହକର୍ମୀ ଏବଂ କର୍ମୀମାନଙ୍କ ନିକଟରେ କୃତଜ୍ଞ |”

ମିଲିନ୍ଦ ଦେଓରା କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମୂରଲୀ ଦେଓରାଙ୍କ ପୁଅ। ମିଲିନ୍ଦ ଦକ୍ଷିଣ ମୁମ୍ବାଇରୁ ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବାକୁ ଆଶା ରଖିଥିଲେ। ତେବେ ଏଥର ଏହି ଆସନ ‘ଇଣ୍ଡିଆ’ ସହଯୋଗୀ ଦଳ ଶିବସେନା (ଉଦ୍ଧବ ଗୋଷ୍ଠୀ) କୁ ଦିଆଯିବ ବୋଲି କଳ୍ପନାଜଳ୍ପନା ମଧ୍ୟରେ ମିଲିନ୍ଦ ଦେଓରା ଏହି ନିଷ୍ପତ୍ତି ନେଇଛନ୍ତି ।

ମିଲିନ୍ଦ ଏକନାଥ ସିନ୍ଦେଙ୍କ ଶିବସେନାରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଛି ‌। ତେବେ ଏହାକୁ ସେ ‘ଗୁଜବ’ ବୋଲି କହିଛନ୍ତି। କିନ୍ତୁ ଶନିବାର ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସେ କହିଥିଲେ ଯେ ସେ ତାଙ୍କ ସମର୍ଥକଙ୍କ ସହ ଆଲୋଚନା କରୁଛନ୍ତି।

ମିଲିନ୍ଦ ଦେଓରାଙ୍କ ଯେଉଁ ଦକ୍ଷିଣ ମୁମ୍ବାଇ ଆସନରୁ ଲଢ଼ିବାକୁ ଚାହୁଁଛନ୍ତି ସେଠି ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା ଲଢ଼ିବାକୁ ଦାବି ଉପସ୍ଥାପନ କରିଥିଲା । ଦେଓରା ଏନେଇ ଅସନ୍ତୋଷ ଥିଲେ। ଆସନ ଭାଗବଣ୍ଟା ନେଇ ଆଲୋଚନା ଶେଷ ହୋଇନଥିବାରୁ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ଏଭଳି ଦାବି କରିବା ଠିକ୍ ନୁହେଁ ବୋଲି କହିଥିଲେ ଦେଓରା ।

ମିଲିନ୍ଦ ଦେଓରା ୨୦୦୪ ଏବଂ ୨୦୦୯ ରେ ମୁମ୍ବାଇ ଦକ୍ଷିଣ ଲୋକସଭା ଆସନରୁ ଜିତିଥିଲେ। ହେଲେ ସେ ଏଠି ୨୦୧୪ ଓ ୨୦୧୯ ନିର୍ବାଚନରେ ହାରିଯାଇଥିଲେ ।

Comments are closed.