ନାବାଳକକୁ ଉଲଗ୍ନ କରି ‘ଜୟ ଶ୍ରୀରାମ’ ସ୍ଲୋଗାନ ଦେବାକୁ ବାଧ୍ୟ କଲେ, ଇନ୍ଦୋରରେ ଉତ୍ତେଜନା

ଭୋପାଳ: ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଜଣେ ୧୨ ବର୍ଷର ନାବାଳକକୁ ମାଡ଼ ମାରି ଉଲଗ୍ନ କରାଯିବା ସହ ଧାର୍ମିକ ସ୍ଲୋଗାନ ଦେବାକୁ ବାଧ୍ୟ କରାଯାଇଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ସହରରେ ଚାପା ଉତ୍ତେଜନା ପ୍ରକାଶ ପାଇଛି । ନାବାଳକକୁ ବିବସ୍ତ୍ର କରି ‘ଜୟ ଶ୍ରୀରାମ’ ସ୍ଲୋଗାନ ଦେବାକୁ ବାଧ୍ୟ କରାଯାଇଥିଲା । ଅଭିଯୁକ୍ତମାନେ ଏହାର ଭିଡିଓ ମଧ୍ୟ କରିଥିଲେ। ଅଭିଯୁକ୍ତମାନେ ମଧ୍ୟ ନାବାଳକ ବୋଲି ଜଣାପଡ଼ିଛି ।

ପୋଲିସ ଏହି ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ ବିଭିନ୍ନ ଦଫାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଏହି ଘଟଣା ଲାସୁଡିଆ ପୋଲିସ ଥାନା ଅନ୍ତର୍ଗତ ଇନ୍ଦୋରର ନିପାନିଆ ଅଞ୍ଚଳରେ ଘଟିଥିଲା । ନାବାଳକର ବୟାନ ଅନୁଯାୟୀ, ସେ ଷ୍ଟାର ସ୍କୋୟାର ନିକଟରେ ଖେଳୁଥିବା ବେଳେ କିଛି ପିଲା ଆସି ବାଇପାସ ନିକଟରେ ଖେଳଣା ବଣ୍ଟନ କରାଯାଉଛି ବୋଲି କହିଥିଲେ ।

ଅଭିଯୁକ୍ତମାନେ ଖେଳଣା ଦେବା ବାହାନାରେ ନାବାଳକକୁ ବହୁ ଦୂରକୁ ନେଇ ଯାଇ ଏକ ନିଛାଟିଆ ସ୍ଥାନରେ ତାକୁ ମାଡ଼ ମାରିବା “ଜୟ ଶ୍ରୀରାମ’ ସ୍ଲୋଗାନ ଦେବାକୁ ବାଧ୍ୟ କରିଥିଲେ । ସେମାନେ ନାବାଳକକୁ ବିବସ୍ତ୍ର ମଧ୍ୟ କରିଥିଲେ । ଏହି ଘଟଣାରେ ଡରି ଯାଇଥିବା ନାବାଳକ ଜଣକ ସେଠାରୁ କୌଶଳକ୍ରମେ ଫେରିଆସି ଘଟଣା ସମ୍ପର୍କରେ ଘର ଲୋକଙ୍କୁ ଜଣାଇଥିଲା । ନାବାଳକର ଘରଲୋକ ଏନେଇ ପୋଲିସ ନିକଟରେ ଅଭିଯୋଗ କରିଥିଲେ।

ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଏନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ନାବାଳକ ଓ ତାର ପରିବାରକୁ ତୁରନ୍ତ ନ୍ୟାୟ ଦେବାକୁ ଦାବି ହୋଇଛି । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ସେୟାର ନକରିବାକୁ ପୋଲିସ ଅନୁରୋଧ କରିଛି ।

Comments are closed.