ଅନ୍ତର୍ଜାତୀୟ କ୍ରିକେଟକୁ ମିତାଲି ରାଜଙ୍କ ଅଲବିଦା

ନୂଆଦିଲ୍ଲୀ: ମହିଳା କ୍ରିକେଟର ଅନ୍ୟତମ ମହାନ ଖେଳାଳି ତଥା ଭାରତୀୟ ଦିନିକିଆ ଦଳର ଅଧିନାୟିକା ମିତାଲି ରାଜ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି । ସୋସିଆଲ ମିଡିଆରେ ଏକ ପୋଷ୍ଟ ଜରିଆରେ ଏହି ୩୯ ବର୍ଷୀୟା ଖେଳାଳି ଏନେଇ ଘୋଷଣା କରିଛନ୍ତି । ଏଥିସହ ମିତାଲିଙ୍କ ଦୀର୍ଘ ୨୩ ବର୍ଷର ଗୌରବମୟ ଆନ୍ତର୍ଜାତୀୟ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।

ବିସିସିଆଇ ସଚିବ ଜୟ ଶାହା ମିତାଲିଙ୍କୁ ଏକ ସଫଳ କ୍ୟାରୟର ଓ ଭାରତୀୟ କ୍ରିକେଟ ପ୍ରତି ଅବଦାନ ନେଇ ଧନ୍ୟବାଦ ଜଣାଇଛନ୍ତି । ସେ ଟ୍ବିଟ୍ କରି କହିଛନ୍ତି, “ଏକ ଚମତ୍କାର କ୍ୟାରିୟରର ସମାପ୍ତି ! ଧନ୍ୟବାଦ। ମିତାଲି ରାଜ ଭାରତୀୟ କ୍ରିକେଟ୍ ରେ ଆପଣଙ୍କର ଅତୁଳନୀୟ ଅବଦାନ ପାଇଁ ଧନ୍ୟବାଦ। ଏହି କ୍ଷେତ୍ରରେ ଆପଣଙ୍କର ନେତୃତ୍ୱ ଜାତୀୟ ମହିଳା ଦଳର ଗୌରବ ବୃଦ୍ଧି କରିଛି । “ପଡ଼ିଆରେ ଚମତ୍କାର ଇନିଂସ ପାଇଁ ଅଭିନନ୍ଦନ ଏବଂ ପରବର୍ତ୍ତୀ ଇନିଂସ୍ ପାଇଁ ଶୁଭେଚ୍ଛା !”

ମିଥାଲି ରାଜ ସେହି କିଛି ହାତଗଣତି ଖେଳାଳିଙ୍କ ମଧ୍ୟରୁ ଜଣେ ଯିଏକି ନିଜ ପଦାର୍ପଣ ମ୍ୟାଚରେ ଶତକ ହାସଲ କରିଛନ୍ତି । ୧୯୯୯ ରେ ଆୟର୍ଲାଣ୍ଡ ବିପକ୍ଷ ଡେବ୍ୟୁ ମ୍ୟାଚରେ ମିତାଲି ଅପରାଜିତ ୧୧୪ ରନ୍ କରିଥିଲେ।

ମିତାଲି ରାଜ ଭାରତ ପାଇଁ ୧୨ ଟି ଟେଷ୍ଟ, ୨୩୨ ଟି ଦିନିକିଆ ଏବଂ ୮୯ ଟି-୨୦ ଅନ୍ତର୍ଜାତୀୟ ଖେଳିଛନ୍ତି । ଅନ୍ତର୍ଜାତୀୟ ଦିନିକିଆରେ ସେ ୫୦.୬୮ ଆଭରେଜ ସହ ୭୮୦୫ ରନ୍, ଟି-୨୦ରେ ୩୭.୬୪ ଆଭରେଜରେ ୨୩୬୪ ରନ୍ ଏବଂ ଟେଷ୍ଟରେ ୬୯୯ ରନ୍ କରିଥିଲେ । ଏହାଛଡ଼ା ମିତାଲି ଦୀର୍ଘ ସମୟ ଧରି ଭାରତର ଅଧିନାୟିକ ଥିଲେ। ଚଳିତ ବର୍ଷ ଫେବୃଆରୀ/ମାର୍ଚ୍ଚରେ ନ୍ୟୁଜିଲାଣ୍ଡରେ ଅନୁଷ୍ଠିତ ଦିନିକିଆ ବିଶ୍ବକପ ତାଙ୍କର ଶେଷ ଟୁର୍ଣ୍ଣାମେଣ୍ଟ ଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ସେ ଭାରତୀୟ ଦଳର ନେତୃତ୍ଵ ମଧ୍ୟ ନେଇଥିଲେ । ତେବେ ଭାରତ ଗ୍ରୁପ୍ ପର୍ଯ୍ୟାୟରୁ ହିଁ ବିଦାୟ ନେଇଥିଲା ।

Comments are closed.