ମୋଦୀ ଏନଡିଏ ମେଣ୍ଟର ନେତା ନିର୍ବାଚିତ 

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଫଳାଫଳ ଘୋଷଣା ପରେ ଏନଡିଏ ମେଣ୍ଟ କେନ୍ଦ୍ରରେ ଲଗାତାର ତୃତୀୟ ଥର ସରକାର ଗଢ଼ିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଫଳାଫଳ ଘୋଷଣା ପରେ ବୁଧବାର ଅପରାହ୍ନରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏନଡିଏର ପ୍ରଥମ ବୈଠକରେ ମୋଦୀ ସର୍ବସମ୍ମତି କ୍ରମେ ମେଣ୍ଟର ନେତା ଭାବେ ନିର୍ବାଚିତ ହୋଇଛନ୍ତି। ମୋଦୀ ଆଜି ହିଁ ରାଷ୍ଟ୍ରପତିଙ୍କୁ ଭେଟି ସରକାର ଗଢ଼ିବା ପାଇଁ ଦାବି କରିପାରନ୍ତି।

ଏହି ବୈଠକରେ ଟିଡିପି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁ ଓ ଜେଡିୟୁ ସଭାପତି ନୀତୀଶ କୁମାରଙ୍କ ସହ ୧୬ ଦଳର ୨୧ ଜଣ ନେତା ଯୋଗ ଦେଇଥିଲେ। ସୂଚନାନୁସାରେ, ଜୁନ୍ ୭ରେ ଏନଡିଏ ସାଂସଦ ମାନଙ୍କ ଏକ ବୈଠକ ହେବ। ନୂଆ ସରକାରର ରୂପରେଖ ନେଇ ଏନଡିଏର ସବୁ ସହଯୋଗୀ ଦଳ ସହ ଆଲୋଚନା କରିବାକୁ ରାଜନାଥ ସିଂହ, ଅମିତ ଶାହା ଏବଂ ଜେପି ନଡ୍ଡାଙ୍କୁ ଦାୟିତ୍ଵ ଦିଆଯାଇଛି।

ଇତି ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଇସ୍ତଫା ଏବଂ ଲୋକସଭା ଭଙ୍ଗ କରିବାକୁ ସୁପାରିସ ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସପ୍ତଦଶ ଲୋକସଭାକୁ ଭଙ୍ଗ କରିଛନ୍ତି।

ଏଥର ଆସନ ସଂଖ୍ୟା କମିଥିଲେ ମଧ୍ୟ ମୋଦୀଙ୍କ ନେତୃତ୍ଵରେ ଏନଡିଏ ଲଗାତାର ତୃତୀୟ ଥର ସରକାର ଗଢ଼ିବ । ଗତଥର ଏକାକୀ ୩୦୩ ଆସନ ହାତେଇଥିବା ବିଜେପି ଏଥର ୨୪୦ ଆସନରେ ସୀମିତ ରହିଯାଇଛି। ଏନଡିଏ ମେଣ୍ଟ କିନ୍ତୁ ୨୯୩ ଆସନ ସହ ମ୍ୟାଜିକ ନମ୍ବର (୨୭୨) ଟପିଥିବାରୁ ପୁଣି ସରକାର ଗଠନ କରିବା ପାଇଁ ପ୍ରସ୍ତୁତ ହେଉଛି।

ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ୧୬ ଆସନ ସହ ଏନଡିଏର ଦ୍ୱିତୀୟ ବୃହତ୍ତମ ଦଳ ହୋଇଥିବା ବେଳେ ନୀତୀଶ କୁମାରଙ୍କ ଜେଡିୟୁ ୧୨ ଆସନ ସହ ଏନଡିଏରେ ତୃତୀୟ ବୃହତ୍ତମ ଦଳ ହୋଇପାରିଛି। ଏଥର ବିଜେପିକୁ ଏହି ଦୁଇ ଦଳର ସାହାରାରେ ରହିବାକୁ ପଡ଼ିବ।

ଅନ୍ୟପକ୍ଷରେ ୨୦୧୯ ତୁଳନାରେ ଏଥର କଂଗ୍ରେସର ଆସନ ସଂଖ୍ୟା ପ୍ରାୟତଃ ଦୁଇ ଗୁଣ ବଢ଼ିଛି । କଂଗ୍ରେସ ଚଳିତ ଥର ୯୯ ଆସନ ପାଇଥିବା ବେଳେ ପୂରା ‘ଇଣ୍ଡିଆ’ ମେଣ୍ଟ ୨୩୪ ଆସନ ହାତେଇଛନ୍ତି। ଇଣ୍ଡିଆ ମେଣ୍ଟ ପାଇଁ ଏହା ଏକ ନୈତିକ ବିଜୟ ବୋଲି କୁହାଯାଉଛି।

Comments are closed.