ସ୍ୱାଧୀନତା ଦିବସ ଅଭିଭାଷଣରେ ପରିବାରବାଦ, ଦୁର୍ନୀତିକୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ମୋଦୀ, ‘ପାଞ୍ଚ ପଣ’ର ମନ୍ତ୍ର ଦେଲେ

ନୂଆଦିଲ୍ଲୀ: ଆଜି ସମଗ୍ର ଦେଶ ୭୬ ତମ ସ୍ୱାଧୀନତା ଦିବସ ପାଳନ କରୁଛି | ଏହି ଶୁଭ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନବମ ଥର ପାଇଁ ଜାତୀୟ ପତାକା ଉତ୍ତୋଳନ କରିବା ସହ ଲାଲକିଲ୍ଲାର ପ୍ରାଚୀରରୁ ଦେଶକୁ ସମ୍ବୋଧନ କରିଛନ୍ତି । ମୋଦୀ ନିଜ ଅଭିଭାଷଣରେ ଦେଶର ବିକାଶ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଦେଶକୁ ବିକାଶର ପଥରେ ଆଗେଇ ନେବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ‘ପାଞ୍ଚ ପଣ’ ମନ୍ତ୍ର ଦେଇଛନ୍ତି । ଏହାଛଡ଼ା ସେ ଦୁର୍ନୀତି ଏବଂ ପରିବାରିବାଦକୁ ଟାର୍ଗେଟ କରିଛନ୍ତି । ସୂଚନାଯୋଗ୍ୟ ମୋଦୀ ନିଜ ଅଭିଭାଷଣରେ କୌଣସି ନୂଆ ସରକାରୀ ଯୋଜନା ଘୋଷଣା କରିନାହାଁନ୍ତି। କିନ୍ତୁ କିଛି ନୂଆ ସ୍ଲୋଗାନ ସହ ଦେଶକୁ ପ୍ରଗତିର ଶୀର୍ଷକୁ ନେବାକୁ ଆହ୍ବାନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ୮୦ ମିନିଟର ଭାଷଣ ସମାପ୍ତ କରିବା ପୂର୍ବରୁ ପରିବାରବାଦ ଏବଂ ଦୁର୍ନୀତି ଉପରେ ପ୍ରଚଣ୍ଡ ଆକ୍ରମଣ କରିଥିଲେ। ସେ କହିଥିଲେ, ଯେତେବେଳେ ମୁଁ ପରିବାରବାଦ ଓ ଆତ୍ମୀୟବାଦ ବିଷୟରେ କୁହେ ଲୋକମାନେ ଭାବନ୍ତି ମୁଁ କେବଳ ରାଜନୈତିକ କ୍ଷେତ୍ର ବିଷୟରେ କହୁଛି। ଦୁର୍ଭାଗ୍ୟବଶତଃ ରାଜନୀତିର ଏହି କୁପ୍ରଥାକୁ ଭାରତର ଅନ୍ୟ ସମସ୍ତ ଅନୁଷ୍ଠାନରେ ମଧ୍ୟ ପ୍ରଶ୍ରୟ ଦିଆଯାଉଛି | ଏହା ଦ୍ବାରା ମୋ ଦେଶର ପ୍ରତିଭାକୁ ବହୁତ କ୍ଷତି ହେଉଛି।

ସେହିପରି ମୋଦୀ ଦୁର୍ନୀତିକୁ ଦେଶର ବିକାଶରେ ଆଉ ଏକ ଅନ୍ତରାୟ ଭାବେ ଅଭିହିତ କରିଛନ୍ତି । ସେ କହିଥଲେ ଯେ ଦୁର୍ନୀତି ଦେଶକୁ କୀଟ ପରି ପରି ଫମ୍ପା କରିଦେଲାଣି । ଆମକୁ ଏହାର ମୁକାବିଲା କରିବାକୁ ପଡିବ। ସେ କହିଛନ୍ତି ଯେ ଯେଉଁମାନେ ଦେଶକୁ ଲୁଟ୍ କରିଛନ୍ତି ସେମାନଙ୍କୁ ସେହି ସମସ୍ତ ଟଙ୍କା ଫେରସ୍ତ କରିବାକୁ ହେବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ୨୦୪୭ ମସିହାରେ ଦେଶର ସ୍ୱାଧୀନତାର ୧୦୦ ବର୍ଷ ପୂରଣ ହେବ। ଏବଂ ସେପର୍ଯ୍ୟନ୍ତ ଆମକୁ ସ୍ୱାଧୀନତା ସଂଗ୍ରାମୀମାନଙ୍କର ସମସ୍ତ ସ୍ୱପ୍ନ ପୂରଣ କରିବାର ଦାୟିତ୍ବ ଗ୍ରହଣ କରିବାକୁ ପଡିବ | ଏବଂ ଏହା ସମ୍ଭବ ହେବ ଯଦି ଆଗାମୀ ୨୫ ବର୍ଷ ମଧ୍ୟରେ ଆମେ ଆମର ସଂକଳ୍ପକୁ ‘ପାଞ୍ଚ ପଣ’ ଉପରେ ଧ୍ୟାନ ଦେବା | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି ‘ପାଞ୍ଚ ପଣ’ ହେଲା ବିକଶିତ ଭାରତ, ଦାସତ୍ୱରୁ ମୁକ୍ତି, ଐତିହ୍ୟର ଗର୍ବ, ଏକତା ଏବଂ ନାଗରିକଙ୍କ କର୍ତ୍ତବ୍ୟ। ଏହି ପାଞ୍ଚ ପଣ ସହ ଦେଶକୁ ୨୦୪୭ ସୁଦ୍ଧା ବିକଶିତ କରିବା ଉପରେ ମୋଦୀ ଗୁରୁତ୍ୱାରୋପ କରିଛନ୍ତି।

Comments are closed.