ଏଥିକ୍ସ କମିଟି ବୈଠକରେ ବ୍ୟକ୍ତିଗତ ପ୍ରଶ୍ନ ପଚାରିବା ନେଇ ବିବାଦ, ଉଠି ପଳାଇଲେ ମହୁଆ ମଇତ୍ର

ନୂଆଦିଲ୍ଲୀ: ପ୍ରଶ୍ନ ପାଇଁ ଟଙ୍କା ମାମଲାରେ ଗୁରୁବାର ବସିଥିବା ଲୋକସଭା ଏଥିକ୍ସ (ସଦାଚାର) କମିଟି ବୈଠକରେ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମଇତ୍ରଙ୍କୁ ଆପତ୍ତିଜନକ ଓ ବ୍ୟକ୍ତିଗତ ପ୍ରଶ୍ନ ପଚାରିବା ନେଇ ବିବାଦ ସୃଷ୍ଟି ହୋଇଛି । ଏହାର ପ୍ରତିବାଦରେ ମଇତ୍ରଙ୍କ ସହ ବିରୋଧୀ ଦଳର ସାଂସଦମାନେ ଅଧାରୁ ବୈଠକ ଛାଡ଼ି ପଳାଇ ଆସିଥିଲେ।

ମହୁଆ ମଇତ୍ର‌ ଏବଂ ବିରୋଧୀ ସାଂସଦମାନେ ଅଭିଯୋଗ କରିଛନ୍ତି ଯେ ଏଥିକ୍ସ କମିଟିର ଅଧ୍ୟକ୍ଷ ତଥା ବିଜେପି ସାଂସଦ ବିନୋଦ କୁମାର ସୋନକର ମଇତ୍ରଙ୍କୁ ଅନୈତିକ ପ୍ରଶ୍ନ ପଚାରିଥିଲେ। ଏହି କାରଣରୁ ବୈଠକରେ ଉତ୍ତେଜନା ପ୍ରକାଶ ପାଇଥିଲା । କମିଟିରେ ଅଧ୍ୟକ୍ଷଙ୍କ ସହ ୧୫ ଜଣ ସଦସ୍ୟ ଅଛନ୍ତି। ସେମାନଙ୍କୁ ଲୋକସଭା ବାଚସ୍ପତି ଚୟନ କରନ୍ତି।

ପ୍ରଶ୍ନ ପାଇଁ ଟଙ୍କା ମାମଲାରେ ମଇତ୍ର ଆଜି ଏଥିକ୍ସ କମିଟିରେ ହାଜର ହୋଇଥିଲେ । ସେ କମିଟିକୁ କହିଥିଲେ ଯେ ଏହି ପୂରା ବିବାଦ (ପ୍ରଶ୍ନ ପାଇଁ ଲାଞ୍ଚ) ତାଙ୍କର ବ୍ୟକ୍ତିଗତ ମାମଲା । କମିଟିରେ ଏ ବିଷୟରେ ଆଲୋଚନା କରିବାର କୌଣସି ଆବଶ୍ୟକତା ନାହିଁ। ମଇତ୍ର ଏହି ପ୍ରଶ୍ନ ଉଠାଇ ପଚାରିଥିଲେ ଯେ ଯଦି ସେ ବ୍ୟକ୍ତିଗତ ଭାବରେ ତାଙ୍କର ଜଣେ ବନ୍ଧୁଙ୍କଠାରୁ ଉପହାର ଗ୍ରହଣ କରନ୍ତି, ତେବେ ଏହାକୁ କିପରି ଏଥିକ୍ସ କମିଟି ସମ୍ମୁଖରେ ଅଣାଯାଇପାରିବ?

ଉଲ୍ଲେଖଯୋଗ୍ୟ, ବିଜେପି ସାଂସଦ ନିଶିକାନ୍ତ ଦୁବେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଚିଠି ଲେଖି ମହୁଆ ମଇତ୍ର ସଂସଦରେ ପ୍ରଶ୍ନ କରିବା ପାଇଁ ଲାଞ୍ଚ ନେଉଥିବା ଅଭିଯୋଗ କରିଥିଲେ । ଏହି ଅଭିଯୋଗ ପରେ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କ ଏକ ଦସ୍ତଖତ ସମ୍ବଳିତ ସତ୍ୟପାଠ ସାମ୍ନାକୁ ଆସିଥିଲା । ଏଥିରେ ହିରାନନ୍ଦାନୀ ଦାବି କରିଥିଲେ ଯେ ଆଦାନୀ ଗ୍ରୁପ୍ ମାମଲାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାବମୂର୍ତ୍ତି ମଳିନ କରିବା ଭଳି ପ୍ରଶ୍ନ ପଚାରିବା ପାଇଁ ମଇତ୍ର ତାଙ୍କ ଠାରୁ ଟଙ୍କା ନେଉଥିଲେ। ମଇତ୍ର ତାଙ୍କ ଠାରୁ ଅନେକ ଉପହାର ମଧ୍ୟ ନେଇଥିଲେ ବୋଲି ହିରାନନ୍ଦାନୀ ଦାବି କରିଥିଲେ ।

Comments are closed.