ଆଜି ମଧ୍ୟପ୍ରଦେଶ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ନେବେ ଶପଥ

ଭୋପାଳ / ରାୟପୁର: ମଧ୍ୟପ୍ରଦେଶ ଏବଂ ଛତିଶଗଡ ବିଧାନସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟ ପରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯାଇଛି। ବିଜେପିର ମଧ୍ୟପ୍ରଦେଶ କାର୍ଯ୍ୟାଳୟରେ ବିଧାୟକ ଦଳର ବୈଠକ ପରେ ଡକ୍ଟର ମୋହନ ଯାଦବ ସର୍ବସମ୍ମତି କ୍ରମେ ନେତା ଭାବେ ନିର୍ବାଚିତ ହୋଇଥିଲେ। ଶିବରାଜ କ୍ୟାବିନେଟରେ ମନ୍ତ୍ରୀ ଥିବା ମୋହନ ଯାଦବ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିବେ । ଛତିଶଗଡରେ ବିଷ୍ଣୁଦେବ ସାଏଙ୍କ ନାମରେ ସହମତି ପ୍ରକାଶ ପାଇଛି। ବୁଧବାର ମୋହନ ଯାଦବ ଏବଂ ବିଷ୍ଣୁଦେବ ସାଏ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ।

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ବୁଧବାର ମଧ୍ୟାହ୍ନ ୧୨ଟାରେ ଭୋପାଳର ଲାଲ୍ ପ୍ୟାରେଡ ଗ୍ରାଉଣ୍ଡର ମୋତିଲାଲ ନେହେରୁ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ନୂଆ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବଙ୍କ ସହ ଦୁଇ ଉପମୁଖ୍ୟମନ୍ତ୍ରୀ ଭାବେ ଜଗଦୀଶ ଦେଓରା ଏବଂ ରାଜେନ୍ଦ୍ର ଶୁକ୍ଲା ମଧ୍ୟ ଶପଥ ନେବେ। ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ ବରିଷ୍ଠ ନେତା ଯୋଗଦେବେ। ଏହି ଶପଥ ଗ୍ରହଣ ସମାରୋହରେ ବହୁ ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତାମାନେ ସାମିଲ ହେବେ।

ଛତିଶଗଡରେ ବିଜେପି ବିଧାନସଭା ଦଳର ନେତା ବିଷ୍ଣୁ ଦେବ ସାଏ ମଧ୍ୟ ବୁଧବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ରାୟପୁର ସାଇନ୍ସ କଲେଜ ପରିସରରେ ଏହି ଶପଥ ଗ୍ରହଣ ସମାରୋହ ଅପରାହ୍ନ ୨ଟାରେ ଅନୁଷ୍ଠିତ ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସହ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଛତିଶଗଡ଼ ଶପଥ ଗ୍ରହଣ ଉତ୍ସବରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ବିଜେପିର ଅନ୍ୟ ବରିଷ୍ଠ ନେତା ଯୋଗଦେବେ ।

Comments are closed.