ରାଷ୍ଟ୍ରପତି ଭାବେ କୋବିନ୍ଦ ବିଜେପିର ରାଜନୈତିକ ଏଜେଣ୍ଡା ପୂରଣ କରୁଥିଲେ: ମୁଫତି

ନୂଆଦିଲ୍ଲୀ: କାର୍ଯ୍ୟକାଳ ଶେଷ କରୁ କରୁ ପୂର୍ବତନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କୁ ଭର୍ତ୍ସନା କରିଛନ୍ତି ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି। ପିଡିପି ନେତା ମୁଫତି କହିଛନ୍ତି ଯେ ରାଷ୍ଟ୍ରପତି ଭାବେ କୋବିନ୍ଦ ଭାରତୀୟ ସମ୍ବିଧାନକୁ ବେଖାତିର କରି ବିଜେପିର ରାଜନୈତିକ ଏଜେଣ୍ଡା ପୂରଣ କରୁଥିଲେ ।

ମୁଫତି କହିଛନ୍ତି, “ପୂର୍ବତନ ରାଷ୍ଟ୍ରପତି କୋବିନ୍ଦ ଏପରି ଏକ ଦୃଷ୍ଟାନ୍ତ ଛାଡିଛନ୍ତି ଯେଉଁଠାରେ ଭାରତୀୟ ସମ୍ବିଧାନକୁ ଅନେକ ଥର ଦଳିମକଚି ଦିଆଯାଇଛି। ଧାରା ୩୭୦ ରଦ୍ଦ ହେଉ ଅବା ନାଗରିକତା ସଂଶୋଧନ ଆଇନ କିମ୍ବା ଦଳିତ ଓ ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ଆକ୍ରମଣ, କୋବିନ୍ଦ ନୀରବତା ଅବଲମ୍ବନ କରି ବିଜେପିର ଏଜେଣ୍ଡା ପୂରଣ କରୁଥିଲେ ।”

ଉଲ୍ଲେଖଯୋଗ୍ୟ, ଧାରା ୩୭୦ ରଦ୍ଦ ପୂର୍ବରୁ ମୁଫତି ବିଜେପିର ସମର୍ଥନରେ ଜାମ୍ମୁ କାଶ୍ମୀରରେ ସରକାର ଗଠନ କରିଥିଲେ ।

ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ରବିବାର ଶେଷ ହୋଇଛି। ତାଙ୍କ ସ୍ଥାନ ନେଇଛନ୍ତି ଓଡ଼ିଶା ଝିଅ ଦ୍ରୌପଦୀ ମୁର୍ମୁ । ଆଜି ସେ ଦେଶର ୧୫ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଛନ୍ତି।

Comments are closed.