ପରଲୋକରେ ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ୮୨ ବର୍ଷରେ ପରଲୋକ ହୋଇଯାଇଛି । ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ସକାଳ ପ୍ରାୟ ୮:୩୦ରେ ମୁଲାୟମଙ୍କ ଦେହାନ୍ତ ହୋଇଥିବା ତାଙ୍କ ପୁଅ ତଥା ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ସୂଚନା ଦେଇଛନ୍ତି ।

ଅସୁସ୍ଥତା କାରଣରୁ ମୁଲାୟମ ଅଗଷ୍ଟ ୨୨ରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତେବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ି ଯିବାରୁ ଅକ୍ଟୋବର ୨ରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ମୁଲାୟମ ନିମ୍ନ ରକ୍ତଚାପ ସହ ୟୁରିନ ଇନଫେକ୍ସନ ଭଳି ସ୍ବାସ୍ଥ୍ୟ ସମସ୍ୟାରେ ପୀଡ଼ିତ ଥିଲେ । ମୁଲାୟମ ସିଂହଙ୍କ ବିୟୋଗ ସହ ଉତ୍ତର ପ୍ରଦେଶ ତଥା ଭାରତୀୟ ରାଜନୀତିରେ ଏକ ଯୁଗର ଅବସାନ ଘଟିଛି ।

ଦେଶର ଜଣେ ପ୍ରଭାବଶାଳୀ ନେତା ଥିଲେ ମୁଲାୟମ । ସେ ଉତ୍ତର ପ୍ରଦେଶର ତିନି ଥର ମୁଖ୍ୟମନ୍ତ୍ରୀ ଥିଲେ। ଏହାଛଡ଼ା ସେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ବ ତୁଲାଇଥିଲେ । ନେତାଜୀ ଭାବେ ପରିଚିତ ମୁଲାୟମ ୧୦ ଥର ବିଧାୟକ ଓ ୮ ଥର ସାଂସଦ ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ । ୨୦୧୯ ନିର୍ବାଚନରେ ସେ ଉତ୍ତର ପ୍ରଦେଶର ମୈନପୁରୀ ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।

Comments are closed.