ମୁମ୍ବାଇ ବୋମା ବିସ୍ଫୋରଣର ଅଭିଯୁକ୍ତ ଅବୁ ବକର ୟୁଏଇରେ ଗିରଫ, ଭାରତ ଆଣିବା ପାଇଁ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ: ୧୯୯୩ ମୁମ୍ବାଇ ସିରିଜ୍ ବିସ୍ଫୋରଣ ମାମଲାର ଅନ୍ୟତମ ମୋଷ୍ଟ ଓ୍ବାଣ୍ଟେଡ୍ ଅଭିଯୁକ୍ତ ଆବୁ ବକରକୁ ୟୁଏଇରେ ଗିରଫ କରାଯାଇଛି । ୟୁଏଇ ପୋଲିସ ସହଯୋଗରେ ଏହି ଗିରଫଦାରୀ ହୋଇଛି। ତାଙ୍କୁ ଭାରତ ଆଣିବା ପାଇଁ ପ୍ରସ୍ତୁତି ଚାଲିଥିବା ସୂତ୍ରରୁ ପ୍ରକାଶ।

ଏଜେନ୍ସି ସୂତ୍ରରୁ ପ୍ରକାଶ ଯେ ୨୦୧୯ ରେ ମଧ୍ୟ ଆବୁ ବକର ୟୁଏଇରୁ ଧରାପଡିଥିଲା । ତେବେ ତାକୁ ଭାରତ ଆଣିବାରେ କୌଣସି ସଫଳତା ମିଳି ନଥିଲା। ଏଥର ସେ ପୁଣି ଧରାପଡ଼ିଥିବା ବେଳେ ତାକୁ ଭାରତ ପ୍ରତ୍ୟର୍ପଣ କରିବାକୁ ସରକାର ଯଥାସମ୍ଭବ ପ୍ରୟାସ କରୁଛନ୍ତି। ମୁମ୍ବାଇରେ ବିସ୍ଫୋରଣ ପାଇଁ ଆବୁ ଆରଡିଏକ୍ସ ଆଣିଥିବା ଅଭିଯୋଗ ହୋଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ତାଙ୍କୁ ଧରିବା ପାଇଁ ଦୀର୍ଘ ଦିନ ଧରି ଧରି ଅପରେସନ୍ ଚାଲିଥିଲା ​​| ଗିରଫ ପୂର୍ବରୁ ସେ ପାକିସ୍ତାନ ଏବଂ ୟୁଏଇରେ ଲୁଚି ରହିଥିବା ସୂଚନା ମିଳିଥିଲା।

ଅବୁ ବକର୍ ଅଣ୍ଡରୱାର୍ଲ୍ଡ ଡନ୍ ଡାଉଡ୍ ଇବ୍ରାହିମର ଘନିଷ୍ଠ ବୋଲି କୁହାଯାଉଛି | ୧୯୯୩ ମୁମ୍ବାଇ ବିସ୍ଫୋରଣରେ ତାର ସମ୍ପୃକ୍ତି ବ୍ୟତୀତ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ବିସ୍ଫୋରକ ସମ୍ବନ୍ଧରେ ତାଲିମ ଦେବା ଏବଂ ଆତଙ୍କବାଦୀଙ୍କୁ ଅସ୍ତ୍ର ଯୋଗାଇବା ଭଳି ଅନେକ ଅଭିଯୋଗ ରହିଛି। ମୁମ୍ବାଇ ବିସ୍ଫୋରଣ ସମୟରେ ଅବୁ ବକର ବହୁ ପରିମାଣରେ ଆରଡିଏକ୍ସ ଯୋଗାଇଥିବା ଅଭିଯୋଗ ହୋଇଥିଲା ।

୧୨ ମାର୍ଚ୍ଚ ୧୯୯୩ରେ ମୁମ୍ବାଇ ବିସ୍ଫୋରଣରେ ୨୫୭ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଦିନ ୧୨ ମିନିଟ୍ ମଧ୍ୟରେ ଗୋଟିଏ ପରେ ଗୋଟିଏ ୧୧ଟି ବିସ୍ଫୋରଣରେ ଥରି ଉଠିଥିଲା ମୁମ୍ବାଇ ନଗରୀ । ଏହି ବିସ୍ଫୋରଣରେ ୨୫୭ ଜଣ ପ୍ରାଣ ହରାଇଥିବା ବେଳେ ୭୦୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିଲେ ।

Comments are closed.