କୁଆଡ଼େ ଗଲେ ନୂପୁର ଶର୍ମା ? ନିଲମ୍ବିତ ବିଜେପି ନେତ୍ରୀଙ୍କ ପତ୍ତା ମିଳୁନଥିବା ମୁମ୍ବାଇ ପୋଲିସର ଦାବି

ନୂଆଦିଲ୍ଲୀ: ପ୍ରଫେଟ୍ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଥିବା ପୂର୍ବତନ ବିଜେପି ମୁଖପାତ୍ର ନୂପୁର ଶର୍ମାଙ୍କର ଏବେ ପତ୍ତା ମିଳୁନାହିଁ । ଗତ ଚାରି ଦିନ ଧରି ମୁମ୍ବାଇ ପୋଲିସ ତାଙ୍କୁ ଖୋଜୁଛି, ହେଲେ ତାଙ୍କୁ ପାଉନାହିଁ । ପ୍ରଫେଟ୍ ବିବାଦ ମାମଲାରେ ମୁମ୍ବାଇ ପୋଲିସର ଏକ ଟିମ୍ ନୂପୁରଙ୍କୁ ସମନ ନୋଟିସ୍ ଦେବା ଲାଗି ଦିଲ୍ଲୀ ସ୍ଥିତ ତାଙ୍କ ବାସଭବନରେ ପହଞ୍ଚିଥିଲା । କିନ୍ତୁ ଏହି ନିଲମ୍ବିତ ବିଜେପି ନେତ୍ରୀ ଘରେ ନଥିଲେ । ଦିଲ୍ଲୀରେ ଚାରି ଦିନ ଡେରା ପକେଇ ରହିଥିବା ମୁମ୍ବାଇ ପୋଲିସକୁ ତାଙ୍କର କୌଣସି ଖୋଜ୍ ଖବର ମିଳିନାହିଁ । ତେବେ ନୂପୁର କୁଆଡ଼େ ଗଲେ ତାହା ଏବେ ସାଧାରଣରେ ଚର୍ଚ୍ଚା ହେଉଛି ।

ପ୍ରଫେଟ୍ ବିବାଦ ପରେ ନୁପୂର ଶର୍ମା ଓ ନବୀନ କୁମାର ଜିନ୍ଦଲଙ୍କୁ ବିଭିନ୍ନ ମୌଳବାଦୀ ମୁସଲିମ ସଂଗଠନଙ୍କ ତରଫରୁ ଧମକ ମିଳିଥିଲା । ଏଥିପାଇଁ ନବୀନ କୁମାର କିଛି ଦିନ ପୂର୍ବରୁ ଜିନ୍ଦଲ ସପରିବାର ଦିଲ୍ଲୀ ଛାଡି ଏକ ଅଜ୍ଞାତ ସ୍ଥାନକୁ ପଳାଇଥିଲେ। କିନ୍ତୁ ନୂପୁରଙ୍କୁ ଦିଲ୍ଲୀ ପୋଲିସ ତରଫରୁ ସୁରକ୍ଷା ଦିଆଯାଇଥିଲା । ଏହା ସତ୍ତ୍ୱେ ସେ ନିଖୋଜ କିପରି ହୋଇଗଲେ ବୋଲି ପ୍ରଶ୍ନ ଉଠିଛି ।

ପ୍ରଫେଟ୍ ବିବାଦ ପରେ ଦେଶର ବିଭିନ୍ନ ପୋଲିସ ଥାନାରେ ନୂପୁର ଶର୍ମାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ମହାରାଷ୍ଟ୍ରର ପାଇଧୋନି ପୋଲିସ ନୁପୁରଙ୍କୁ ଜୁନ୍ ୨୫ ରେ ହାଜର ହେବାକୁ ଏବଂ ତାଙ୍କ ବୟାନ ରେକର୍ଡ କରିବାକୁ ସମନ ଜାରି କରିଥିଲା । ସେହିପରି ମୁମ୍ବାଇ ପୋଲିସ ଏବଂ କୋଲକାତା ପୋଲିସ ମଧ୍ୟ ନୂପୁରଙ୍କୁ ସମନ ଜାରି କରିଥିଲେ ।

Comments are closed.